
ଝାରସୁଗୁଡ଼ା, ୪ ଅଗଷ୍ଟ (ହି.ସ.)- ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକ ଅନ୍ତର୍ଗତ ତିଲେଇମାଲ ଗ୍ରାମ ପାଇଁ ଆସିଛି ଏକ ଗୌରବମୟ ମୁହୂର୍ତ୍ତ। ଗ୍ରାମର ଝିଅ ଭେଷମତି ନାଏକଙ୍କୁ ଆସନ୍ତା ୧୫ ଅଗଷ୍ଟ ସ୍ୱାଧୀନତା ଦିବସ ଅବସରରେ ନୂଆଦିଲ୍ଲୀ ସ୍ଥିତ ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ୱାଧୀନତା ଦିବସ ପାଳନ କାର୍ଯ୍ୟକ୍ରମରେ ସାମିଲ ହେବା ସହ ରାଷ୍ଟ୍ରପତି ଭବନରେ ଆୟୋଜିତ ରାତ୍ରିଭୋଜନରେ ଯୋଗଦେବା ପାଇଁ ସୋମବାର ସରକାରୀ ନିମନ୍ତ୍ରଣ ମିଳିଛି। ଏହି ସମ୍ମାନଜନକ ନିମନ୍ତ୍ରଣ ପାଇବା ପରେ ଭେଷମତିଙ୍କ ପରିବାର, ଗ୍ରାମବାସୀ ଏବଂ ସମଗ୍ର ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି।
ଭେଷମତି ନାଏକ ବର୍ତ୍ତମାନ ସମ୍ବଲପୁରସ୍ଥିତ ଆଇଆଇଏମ୍ ରେ କାର୍ଯ୍ୟରତ ଅଛନ୍ତି। ନିଜ ପରିଶ୍ରମ, ଦକ୍ଷତା ଓ କର୍ମନିଷ୍ଠା ବଳରେ ସେ ଏହି ସମ୍ମାନଜନକ ସୁଯୋଗ ପାଇଥିବାରୁ ଏହା କେବଳ ତାଙ୍କ ବ୍ୟକ୍ତିଗତ ସଫଳତା ନୁହେଁ, ବରଂ ଝାରସୁଗୁଡ଼ା ଜିଲ୍ଲା ଏବଂ ଲଇକେରା ଅଞ୍ଚଳ ପାଇଁ ମଧ୍ୟ ଗର୍ବର ବିଷୟ ପାଲଟିଛି।
ରାଷ୍ଟ୍ରପତି ଭବନରେ ସ୍ୱାଧୀନତା ଦିବସ ଅବସରରେ ଆୟୋଜିତ ଏହି ଐତିହାସିକ କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ପ୍ରାନ୍ତରୁ ବଛା ବଛା ବ୍ୟକ୍ତିତ୍ୱମାନେ ଯୋଗଦେଇଥାନ୍ତି। ସେମାନଙ୍କ ମଧ୍ୟରେ ଭେଷମତି ନାଏକଙ୍କ ସାମିଲ ହେବା ତିଲେଇମାଲ ଗ୍ରାମ ପାଇଁ ଏକ ଐତିହାସିକ ସଫଳତା ଭାବେ ଦେଖାଯାଉଛି। ଭେଷମତିଙ୍କୁ ଏହି ସମ୍ମାନଜନକ ନିମନ୍ତ୍ରଣ ମିଳିବା ପରେ ବିଭିନ୍ନ ସାମାଜିକ ସଂଗଠନ, ବୁଦ୍ଧିଜୀବୀ, ଜନପ୍ରତିନିଧି, ଶିକ୍ଷକ, ସହକର୍ମୀ ଓ ଶୁଭେଚ୍ଛୁମାନଙ୍କ ପକ୍ଷରୁ ଅଭିନନ୍ଦନ ଓ ଶୁଭେଚ୍ଛାର ସୁଅ ଛୁଟିଛି। ସୋସିଆଲ୍ ମିଡିଆରେ ମଧ୍ୟ ତାଙ୍କ ସଫଳତାକୁ ନେଇ ବହୁ ପ୍ରଶଂସା କରାଯାଉଛି। ଗ୍ରାମାଞ୍ଚଳର ଜଣେ ସାଧାରଣ ପରିବାରରୁ ଆସି ଜାତୀୟ ସ୍ତରରେ ଏଭଳି ସମ୍ମାନ ହାସଲ କରିଥିବା ଭେଷମତି ନାଏକ ଆଜି ଅନେକ ଯୁବପିଢ଼ି, ବିଶେଷକରି ଗ୍ରାମୀଣ ଅଞ୍ଚଳର ଝିଅମାନଙ୍କ ପାଇଁ ପ୍ରେରଣାର ପ୍ରତୀକ ପାଲଟିଛନ୍ତି। ତାଙ୍କ ଏହି ସଫଳତା ନିଶ୍ଚିତ ଭାବେ ଅନ୍ୟ ଯୁବପିଢ଼ିଙ୍କୁ ନିଜ ସ୍ଵପ୍ନ ସାକାର କରିବା ପାଇଁ ନୂଆ ଉତ୍ସାହ ଯୋଗାଇବ ବୋଲି ସ୍ଥାନୀୟ ଅଞ୍ଚଳବାସୀ ମତ ପ୍ରକାଶ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ