ଇ.ଏସ୍.ଆଇ.ସି.ର ସହାୟତାରେ ଶ୍ରମିକ ପରିବାରକୁ ମିଳିଲା ନୂଆ ଆଶା : ୪.୨୩ ଲକ୍ଷ ବକେୟା, ମାସିକ ପେନସନ୍ ୧୧,୬୨୫ ଟଙ୍କା
New hope by e.s.i.c to family
New hope


ଝାରସୁଗୁଡ଼ା, ୪ ଅଗଷ୍ଟ (ହି.ସ.)- କାର୍ଯ୍ୟସ୍ଥଳୀରେ ଆକସ୍ମିକ ମୃତ୍ୟୁବରଣ କରିଥିବା ଜଣେ ବୀମାଭୁକ୍ତ ଶ୍ରମିକଙ୍କ ପରିବାର ପାଇଁ କର୍ମଚାରୀ ରାଜ୍ୟ ବୀମା ନିଗମ (ଇ.ଏସ୍.ଆଇ.ସି.) ଆର୍ଥିକ ସହାୟତାର ବଡ଼ ଭରସା ପାଲଟିଛି। ଇ.ଏସ୍.ଆଇ.ସି. ପକ୍ଷରୁ ଦିବଂଗତ ଶ୍ରମିକଙ୍କ ପରିବାରକୁ ୪ ଲକ୍ଷ ୨୩ ହଜାର ଟଙ୍କା ବକେୟା ପେନସନ୍ ପ୍ରଦାନ କରାଯିବା ସହ ପ୍ରତିମାସ ୧୧ ହଜାର ୬୨୫ ଟଙ୍କା ପେନସନ୍ ମଞ୍ଜୁର କରାଯାଇଛି।

ଝାରସୁଗୁଡ଼ାସ୍ଥିତ ମେସର୍ସ ଜେ.ବି. କଣ୍ଟ୍ରାକ୍ଟସର ବୀମାଭୁକ୍ତ ଶ୍ରମିକ ସ୍ୱର୍ଗତ ନରେଶ ପିଙ୍ଗଙ୍କର ୨୯ ମଇ ୨୦୨୩ରେ କାର୍ଯ୍ୟରତ ଅବସ୍ଥାରେ ହୃଦଘାତରେ ମୃତ୍ୟୁ ଘଟିଥିଲା। କମ୍ପାନୀ ପକ୍ଷରୁ ଦାଖଲ କରାଯାଇଥିବା ଦୁର୍ଘଟଣା ରିପୋର୍ଟ ଆଧାରରେ ଏହାକୁ ରୋଜଗାରଜନିତ କ୍ଷତି ଭାବେ ସ୍ୱୀକୃତି ଦିଆଯାଇଥିଲା।

ମଙ୍ଗଳବାର ଝାରସୁଗୁଡ଼ା ଉପ-ଆଞ୍ଚଳିକ ଇ.ଏସ୍.ଆଇ.ସି. କାର୍ଯ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଦିବଂଗତ ଶ୍ରମିକଙ୍କ ପତ୍ନୀ ଜନାନୀ ପିଙ୍ଗ, ଝିଅ ଲକ୍ଷ୍ମୀ ପିଙ୍ଗ ଓ ପୁଅ ପ୍ରବୀଣ ପିଙ୍ଗଙ୍କୁ ପେନସନ୍ ସାର୍ଟିଫିକେଟ୍ ପ୍ରଦାନ କରାଯାଇଥିଲା। ଇ.ଏସ୍.ଆଇ.ସି.ର ଯୁଗ୍ମ ନିର୍ଦ୍ଦେଶକ ରାଜୀବ ରଞ୍ଜନ, ଉପ-ନିର୍ଦ୍ଦେଶକ ଦୁତୀବାହନ ଦାସ ଓ ଶାଖା ପ୍ରବନ୍ଧକ ସୁରେନ୍ଦ୍ର ଝା ଉପସ୍ଥିତ ରହି ପେନସନ୍ ପତ୍ର ହସ୍ତାନ୍ତର କରିଥିଲେ।

ଇ.ଏସ୍.ଆଇ.ସି. ସୂଚନା ଅନୁଯାୟୀ, ଦିବଂଗତ ଶ୍ରମିକଙ୍କ ପତ୍ନୀଙ୍କୁ ଆଜୀବନ ପେନସନ୍ ମିଳିବା ସହ ଉଭୟ ସନ୍ତାନଙ୍କୁ ୨୫ ବର୍ଷ ବୟସ ପର୍ଯ୍ୟନ୍ତ ପେନସନ୍ ସୁବିଧା ମିଳିବ। ମୃତ୍ୟୁ ତାରିଖଠାରୁ ବର୍ତ୍ତମାନ ପର୍ଯ୍ୟନ୍ତର ୪ ଲକ୍ଷ ୨୩ ହଜାର ଟଙ୍କା ବକେୟା ପେନସନ୍ ସେମାନଙ୍କ ବ୍ୟାଙ୍କ ଖାତାରେ ଜମା କରାଯାଇଛି। ଏହି ଆର୍ଥିକ ସହାୟତା ପାଇବା ପରେ ଦିବଂଗତ ଶ୍ରମିକଙ୍କ ପତ୍ନୀ ଇ.ଏସ୍.ଆଇ.ସି. କର୍ତ୍ତୃପକ୍ଷଙ୍କୁ କୃତଜ୍ଞତା ଜଣାଇବା ସହ ଏହି ପେନସନ୍ ପିଲାମାନଙ୍କ ଲାଳନପାଳନ ଓ ଉଚ୍ଚଶିକ୍ଷାରେ ସହାୟକ ହେବ ବୋଲି କହିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande