
ଗଞ୍ଜାମ, ୪ ଅଗଷ୍ଟ (ହି.ସ.)- ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତର ଆଜି ଥିଲା ଦ୍ଵିତୀୟ ଦିନ। ଆଜି ସକାଳେ ଏକ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଭୁବନେଶ୍ୱରରୁ ଯାଇ ବ୍ରହ୍ମପୁର ରେଳଷ୍ଟେସନରେ ପହଂଚିଥିଲେ ରାଷ୍ଟ୍ରପତି । ନିର୍ଦ୍ଧାରିତ ସମୟ ଠାରୁ ପ୍ରାୟ ୧୦ ମିନିଟ୍ ବିଳମ୍ବ ଅର୍ଥାତ୍ ପୂର୍ବାହ୍ନ ୧୧ଟା ୨୦ ମିନିଟ୍ ରେ ବ୍ରହ୍ମପୁର ରେଳଷ୍ଟେସନରେ ପହଂଚିଥିଲେ ରାଷ୍ଟ୍ରପତି । ସେଠାରୁ କାର୍ ଯୋଗେ ତପ୍ତପାଣି ଅଭିମୁଖେ ଯାତ୍ରା କରିଥିଲେ ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବ୍ରହ୍ମପୁର ରେଳଷ୍ଟେସନର ୪ ନମ୍ବର ପ୍ଲାଟଫର୍ମରେ ପହଂଚିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ରାଜ୍ୟପାଳ ହରିବାବୁ କମ୍ଭମପତି, ମନ୍ତ୍ରୀ ବିଭୂତି ଭୂଷଣ ଯେନା, ଗୋକୁଳାନନ୍ଦ ମଲ୍ଲିକ, ସାଂସଦ ପ୍ରଦୀପ କୁମାର ପାଣିଗ୍ରାହି ଓ ଜିଲା ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ରହି ତାଙ୍କୁ ସ୍ୱାଗତ ଜଣାଇଥିଲେ । ଷ୍ଟେସନ ନିକଟରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଗଞ୍ଜାମ ଜିଲ୍ଲାର ୧୮ଟି ଲୋକକଳା ଓ ଲୋକ ନୃତ୍ୟ ପ୍ରଦର୍ଶନ ଯାଇଥିଲା । ଏହାପରେ ରାଷ୍ଟ୍ରପତି ପୂର୍ବାହ୍ନ ସାଢ଼େ ଏଗାରଟା ବେଳେ କାର୍ ଯୋଗେ ତପ୍ତପାଣି ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ବ୍ରହ୍ମପୁରରୁ ଯାଇ ତପ୍ତପାଣିରେ ପହଞ୍ଚି ମଧ୍ୟାହ୍ନରେ ପାନ୍ଥନିବାସରେ ଦୁଇଘଣ୍ଟା ବିଶ୍ରାମ ନେବାପରେ ଅପରାହ୍ନ ତିନିଟା ସମୟରେ ସେ ଜନଜାତିଙ୍କ ଆରାଧ୍ୟ ଦେଵୀ ମା' କନ୍ଧୁଣୀଦେଵୀଙ୍କ ମନ୍ଦିରରେ ପ୍ରାୟ ୨୦ ମିନିଟ୍ ପୂଜାର୍ଚ୍ଚନା କରିଥିଲେ। ପରେ ନିକଟରେ ଥିବା ଶିବଶଙ୍କରଙ୍କୁ ଦର୍ଶନ କରିଥିଲେ। ଏହା ପୂର୍ବରୁ ସେ ଉଷ୍ମ ତପ୍ତପାଣିରେ ସ୍ନାନ କରିଥିଲେ। ଏହା ପରେ ତାଙ୍କୁ ଅପେକ୍ଷା କରିଥିବା ଶିଶୁମାନଙ୍କୁ ଚକୋଲେଟ୍ ଦେଇ ସେ ଖୁସି କରାଇ ଥିଲେ। ଏହାସହ ଗଞ୍ଜାମ, ଗଜପତି ଜିଲାରୁ ଆସିଥିଵା ଜନଜାତିର ଶହଶହ ମହିଳା ଓ ପୁରଷ, ଲୋକନୃତ୍ୟ ଦଳ, ଅପେକ୍ଷାରତ ଜନସାଧାରଣଙ୍କ ସହିତ ଭାବ ବିନିମୟ କରିଥିଲେ। ତପ୍ତପାଣିରୁ କାର୍ ଯୋଗେ ଦିଗପହଣ୍ଡି ଦେଇ ସନ୍ଧ୍ୟାରେ ସେ ବ୍ରହ୍ମପୁର ଅଭିମୁଖେ ଫେରିଛନ୍ତି। ଗୋପାଳପୁର ଠାରେ ରାତ୍ରୀଯାପନ କରିବେ ରାଷ୍ଟ୍ରପତି। ଆସନ୍ତା କାଲି ସକାଳେ ପୁଣି ସେ ଵ୍ରହ୍ମପୁର ଆସି ସ୍ବତନ୍ତ୍ର ଟ୍ରେନରେ ଭୁବନେଶ୍ୱର ପ୍ରତ୍ୟାବର୍ତନ କରିବାର କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ