
ଭୁବନେଶ୍ୱର, ୦୪ ଅଗଷ୍ଟ (ହି.ସ)- ଓଡ୍ରାଫକୁ ରାଜ୍ୟର ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବାହିନୀ /ଷ୍ଟେଟ୍ ଡିଜାଷ୍ଟର୍ ରେସପନ୍ସ୍ ଫୋର୍ସ୍ (ଏସଡିଆରଏଫ୍) ଭାବେ ଉନ୍ନୀତ କରାଯିବ ଏବଂ ଏହାକୁ ବିପର୍ଯ୍ୟୟ ମୁକାବିଲା ପାଇଁ ଏକ ସମ୍ପୂର୍ଣ୍ଣ ସମର୍ପିତ ବାହିନୀରେ ପରିଣତ କରିବା ଦିଗରେ ପର୍ଯ୍ୟାୟକ୍ରମେ ପଦକ୍ଷେପ ଗ୍ରହଣ କରାଯିବ। ସେହିପରି, ଓଡ୍ରାଫ ପାଇଁ ସ୍ୱତନ୍ତ୍ର ବାଟାଲିଅନ୍ ଗଠନ ସହିତ ଏହାର ନେତୃତ୍ୱ ଓ ପରିଚାଳନା ପାଇଁ ଜଣେ ସ୍ୱତନ୍ତ୍ର ଅଧିକାରୀ ନିଯୁକ୍ତ କରିବାକୁ ମଧ୍ୟ ପଦକ୍ଷେପ ନିଆଯିବ। ଲୋକସେବା ଭବନଠାରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟର ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥା ଏବଂ ଭିତିଭୂମି ସମ୍ପର୍କରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ବିପର୍ଯ୍ୟୟ ମୁକାବିଲା ନିମନ୍ତେ ଓଡ୍ରାଫର ଆବଶ୍ୟକ ଦକ୍ଷତା ଏବଂ ସାମର୍ଥ୍ୟ ବୃଦ୍ଧି ନିମନ୍ତେ ମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ।
ବୈଠକରେ ସାମ୍ପ୍ରତିକ ବନ୍ୟା ପରିପ୍ରେକ୍ଷୀରେ ପ୍ରତିକୂଳ ପରିସ୍ଥିତିରେ ଓଡ୍ରାଫ୍ ଦ୍ୱାରା ବିଭିନ୍ନ ପ୍ରଭାବିତ ଅଂଚଳରେ ପ୍ରଦତ ସେବା ଏବଂ ସମ୍ମୁଖୀନ ହୋଇଥିବା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା କ୍ଷ ଅଗଷ୍ଟ ୪ ତାରିଖ ସୁଦ୍ଧା ୯ଟି ଜିଲ୍ଲାରେ ପ୍ରାୟ ୫୮ ଘଣ୍ଟାର ରାତ୍ରିକାଳୀନ ଉଦ୍ଧାର ଅଭିଯାନ ସହ ପ୍ରାୟ ୫୯ଟି ବୋଟ୍ ବ୍ୟବହୃତ ହୋଇଛି । ଏଥିରେ ୮୫୨ ଜଣ ପୁରୁଷ ଏବଂ ୫୪୧ ଜଣ ମହିଳାଙ୍କୁ ଓଡ୍ରାଫ୍ ଦ୍ୱାରା ସୁରକ୍ଷିତ ଉଦ୍ଧାର କରାଯାଇଛି । ପ୍ରାୟ ୫୯ଟି ଓଡ୍ରାଫ୍ ଟିମରେ ୬୭୪ ଜଣ ଉଦ୍ଧାରକାର୍ଯ୍ୟରେ ନିୟୋଜିତ ହୋଇ ଦିନ ରାତି ଏକ କରି ସମର୍ପିତ ହୋଇ ଜନସାଧାରଣଙ୍କୁ ସେବା ଏବଂ ସହାୟତା ଯୋଗାଇ ଦେଇଛନ୍ତି । ୧୯ଜଣ ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରାଯିବା ସହ ୬ଜଣ ସାପ କାମୁଡ଼ିଥିବା ରୋଗୀଙ୍କୁ ଉଚିତ୍ ସମୟରେ ଉଦ୍ଧାର କରାଯାଇଛି କ୍ଷ ସେହିପରି ଜରୁରିକାଳୀନ ଡାକ୍ତରୀ ସେବା ନିମନ୍ତେ ୨୫ଟି ଉଦ୍ଧାର କାର୍ଯ୍ୟ କରାଯାଇଥିବା ବେଳେ ୨୧୩ ପଶୁସମ୍ପଦଙ୍କୁ ମଧ୍ୟ ଓଡ୍ରାଫ୍ ଟିମ୍ ଉଦ୍ଧାର କରିଛନ୍ତି । ଏଥିସହିତ ପ୍ରଭାବିତ ଅଂଚଳରେ ୧୮ଟି ବିଶାଳ ଗଛକୁ କାଟି ଯାତାୟତ ପଥ ସୁଗମ କରାଯାଇଥିବା ବେଳେ ଏପର୍ଯ୍ୟନ୍ତ ସର୍ବମୋଟ୍ ୪୯୦ଘଂଟା ଧରି ନିରବଚ୍ଛିନ୍ନ ଭାବେ ଓଡ୍ରାଫ୍ ଟିମ୍ ସଫଳତାର ସହ ବନ୍ୟା ପ୍ରଭାବିତ ଅଞ୍ଚଳରେ ସେବା ପ୍ରଦାନ କରିଛନ୍ତି ।
ଓଡ୍ରାଫ୍ ଦ୍ୱାରା ବନ୍ୟା ପ୍ରଭାବିତ ଅଂଚଳରେ ପ୍ରଦତ ବ୍ୟାପକ ସେବା କାର୍ଯ୍ୟର ସମୀକ୍ଷା କରି ମନ୍ତ୍ରୀ ଉଦ୍ଧାରକାରୀ ଦଳର ପ୍ରଶଂସା କରିବା ସହ ଏପରି ପ୍ରତିକୂଳ ପରିସ୍ଥିତିରେ ଓଡ୍ରାଫ୍ ଟିମର ସାହସିକତା ଏବଂ ସମର୍ପିତ ମନୋଭାବ ଆମକୁ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ନିମନ୍ତେ ଆହୁରି ସଶକ୍ତ କରିବା ସହ ଆତ୍ମବିଶ୍ୱାସ ଯୋଗାଇଛି ବୋଲି ମତବ୍ୟକ୍ତ କରିଥିଲେ। ଏହି ପରିପ୍ରେକ୍ଷୀରେ ବୈଠକରେ ଓଡ୍ରାଫର ଦକ୍ଷତା ଏବଂ କ୍ଷମତା ବୃଦ୍ଧି ସହ ଆଗାମୀ ସମୟରେ ଏହାର ସୁବ୍ୟବସ୍ଥିତ ପରିଚାଳନା ନିମନ୍ତେ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ସୂଚନାଯୋଗ୍ୟ ଯେ, ବିପର୍ଯ୍ୟୟ ପରିଚାଳନା (ସଂଶୋଧନ) ଆଇନ୍, ୨୦୨୫ ଅଧୀନରେ ପ୍ରତ୍ୟେକ ରାଜ୍ୟରେ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବାହିନୀ /ଷ୍ଟେଟ୍ ଡିଜାଷ୍ଟର୍ ରେସପନ୍ସ୍ ଫୋର୍ସ୍ (ଏସଡିଆରଏଫ୍) ସ୍ଥାପନ ସହ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ବ୍ୟାପକ କରିବା ନିମନ୍ତେ ଅଧ୍ୟାଦେଶ ରହିଛି । ଏହି ପରିପ୍ରେକ୍ଷୀରେ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷଙ୍କ ତରଫରୁ ପ୍ରତ୍ୟେକ ରାଜ୍ୟରେ ଏସଡିଆରଏଫ୍ ଗଠନ ସହ ଏହାର କାର୍ଯ୍ୟପ୍ରଣାଳୀ, ତାଲିମ୍ ପ୍ରକ୍ରିୟା, ପରିଚାଳନା ସମ୍ପର୍କିତ ବିସ୍ତୃତ ରୂପରେଖ ମଧ୍ୟ ଗୃହୀତ ହୋଇଛି । ଏହି କ୍ରମରେ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷଙ୍କର ପରିଚାଳନା କମିଟିର ବୈଠକରେ ଓଡ୍ରାଫକୁ ରାଜ୍ୟର ଏସଡିଆରଏଫ୍ ଭାବେ ଉନ୍ନୀତ କରିବା ନିମନ୍ତେ ଆଲୋଚନା ହୋଇଛି କ୍ଷ ମାନ୍ୟବର ମନ୍ତ୍ରୀ ଶ୍ରୀ ପୂଜାରୀ ଏହି ନିଷ୍ପତିକୁ କାର୍ଯ୍ୟକାରୀ କରି ଓଡ୍ରାଫକୁ ରାଜ୍ୟର ଏସଡିଆରଏଫ୍ ଭାବେ ବିପର୍ଯ୍ୟୟ ପରିଚାଳନା ନିମନ୍ତେ ଉଦ୍ଦିଷ୍ଟ ସମ୍ପୂର୍ଣ୍ଣ ସମର୍ପିତ ବାହିନୀ ଭାବେ ଦାୟିତ୍ୱ ଏବଂ କ୍ଷମତା ପ୍ରଦାନ ନିର୍ଦ୍ଦେଶ ଦେଇଛନ୍ତି । ଆଗାମୀ ଦିନରେ ନିର୍ମିତ ହେବାକୁ ଥିବା ବିପର୍ଯ୍ୟୟ ପରିଚାଳନା ଭବନରେ ଏହାର ମୁଖ୍ୟାଳୟ ଅବସ୍ଥାପିତ ହେବାକୁ ଥିବା ବେଳେ ନୂତନ ୧୦ଟି ୟୁନିଟ୍ ସହ ସମୁଦାୟ ୩୦ଟି ୟୁନିଟ୍ ରାଜ୍ୟର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ନିୟୋଜିତ ହେବେ । ସେହିପରି ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷ (ଓସଡମା ) ପୁଲିସ ବିଭାଗର ପରାମର୍ଶ ତଥା ସହଯୋଗ କ୍ରମେ ଓଡ୍ରାଫର କାର୍ଯ୍ୟ, ପ୍ରଶିକ୍ଷଣ, ଆବଶ୍ୟକ ଭିତିଭୂମି, ସରଞ୍ଜାମ ଏବଂ ନିଯୁକ୍ତି ତଥା ମାନବସମ୍ବଳ ପରିଚାଳନାକୁ ଆଧାର କରି ଏକ ସମ୍ପୂର୍ଣ୍ଣ ଏସଓପି ପ୍ରସ୍ତୁତ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।ସାମ୍ପ୍ରତିକ ପରିସ୍ଥିତିରେ ଓଡ୍ରାଫ୍ ଉଦ୍ଧାରକାରୀ ଦଳ ସମ୍ମୁଖୀନ ହୋଇଥିବା ବିଭିନ୍ନ ଆହ୍ୱାନ ସମ୍ପର୍କରେ ମଧ୍ୟ ଆଲୋଚନା କରି ଆଗାମୀ ଦିନରେ ସେଥିନିମନ୍ତେ ପୂର୍ବପ୍ରସ୍ତୁତି ଭିତିରେ ସଜାଗ ରହିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି କ୍ଷ ଏଥିସହିତ ବିଭିନ୍ନ ପ୍ରଭାବିତ ଜିଲ୍ଲାରେ ଚାଲିଥିବା କ୍ଷୟକ୍ଷତି ଆକଳନକୁ ତ୍ୱରାନ୍ୱିତ କରିବା ସହ କ୍ଷତିଗ୍ରସ୍ତ ଚାଷଜମି, ପନିପରିବା ଚାଷ, ଗୃହ, ବିଭିନ୍ନ ବିଦ୍ୟାଳୟ, ଅଙ୍ଗନୱାଡି କେନ୍ଦ୍ର ଏବଂ ଅନ୍ୟାନ୍ୟ କାର୍ଯ୍ୟାଳୟର କ୍ଷୟକ୍ଷତି ଆକଳନ ତ୍ୱରିତ ଶେଷ କରି କ୍ଷତିପୂରଣ ପ୍ରଦାନ ସୁନିଶ୍ଚିତ କରିବାକୁ ମଧ୍ୟ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ବୈଠକରେ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷ (ଓସଡମା)ର ପରିଚାଳନା ନିର୍ଦ୍ଦେଶକ ରାଜେଶ ପ୍ରଭାକର ପାଟିଲ୍, ଓସଡମାର ପରାମର୍ଶଦାତା ଡ. କମଳ ଲୋଚନ ମିଶ୍ର, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀମତୀ ସୁସ୍ମିତା ବେହେରା, ଅର୍ଥନୈତିକ ପରାମର୍ଶଦାତା ତଥା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସିଦ୍ଧାର୍ଥ ଶଙ୍କର ଆଚାର୍ଯ୍ୟ ଏବଂ ବରିଷ୍ଠ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା