
ଭୁବନେଶ୍ବର , 04 ଅଗଷ୍ଟ (ହି.ସ.)- ଓଡ଼ିଶାରେ ବନ୍ୟାର ପ୍ରକୋପ ବଢ଼ୁଥିବାବେଳେ ମୁଖ୍ୟମନ୍ତ୍ରୀ ଓ ଏମପିମାନେ ଦିଲ୍ଲୀରେ ଦଳୀୟ ରାଜନୀତିରେ ବ୍ୟସ୍ତଥିଲେ। ବନ୍ୟାହେବା ଜାଣି ମଧ୍ୟ ସରକାର ଆଦୌ କୌଣସି ପୂର୍ବ ପ୍ରସ୍ତୁତି କରିନଥିଲେ ବୋଲି ଓଡ଼ିଶା ଜନତା କଂଗ୍ରେସର ରାଜ୍ୟ କାର୍ୟ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ରେ ଓଡ଼ିଶା କୃଷକ ଜନତା କଂଗ୍ରେସର ଅଧ୍ୟକ୍ଷ ସଂଗ୍ରାମ କିଶୋର ମାଝୀ ଅଭିଯୋଗ କରିଛନ୍ତି । ପୂର୍ବ ବିଜେଡି ସରକାରର ଅପାରଗତା ପାଇଁ ଛତିଶଗଡ଼ ମନମାନୀ କରିବା ସହ ମହାନଦୀ ପାଣିକୁ ବଡ଼ ବଡ଼ ବ୍ୟାରେଜ ଓ ଚେକଡ୍ୟାମ ଜରିଆରେ ଅଟକାଇ ରଖିଲା। ଏବେ ଛତିଶଗଡ଼ରେ ବିଜେପି, କେନ୍ଦ୍ରରେ ବିଜେପି ଏବଂ ଓଡ଼ିଶାରେ ବିଜେପି ସରକାର ଥିଲେ ମଧ୍ୟ ଉପରମୁଣ୍ଡରେ କ୍ୟାଚମେଣ୍ଟ ସମୟରେ କେତେ ପାଣି ଆସିବ ତାହାର କୌଣସି ପ୍ରାକ୍ ସୂଚନା ସମୟାନୁସାରେ ଦିଆଯାଉନାହିଁ। ମହାନଦୀ ଜଳ ପରିଚାଳନାରେ କୌଣସି ସମନ୍ୱୟ ନରହିବା କାରଣରୁ ଓଡ଼ିଶାରେ ବଡ଼ ବନ୍ୟା ହେଲା ଏବଂ ଲକ୍ଷ ଲକ୍ଷ ଲୋକ ପ୍ରଭାବିତ ହେଲେ । ବନ୍ୟା ପରବର୍ତ୍ତୀ ସମୟରେ ପ୍ରଭାବିତ ଲୋକଙ୍କ ପାଖରେ ରିଲିଫ, ଶୁଖିଲା, ରନ୍ଧା ଖାଦ୍ୟ କିମ୍ବା ଗୋଖାଦ୍ୟର କୌଣସି ସୁବ୍ୟବସ୍ଥା ହେଲାନାହିଁ। ଯାହାଫଳରେ ରାଜ୍ୟର ୬ଟି ମୂଲ୍ୟବାନ ଜୀବନହାନୀ ହେଲା, ତାହାପାଇଁ ସରକାର ସଂପୂର୍ଣ୍ଣ ଦାୟୀ। ବନ୍ୟାପରେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଗସ୍ତ ବାସ୍ତବରେ ବନ୍ୟା କ୍ଷୟକ୍ଷତି ଆକଳନ ପାଇଁ ଥିଲା ନା ଲୋକଦେଖାଣିଆ ପ୍ରହସନ କରୁଥିଲେ ? ସରକାର ଯେଉଁ କ୍ଷୟକ୍ଷତି ରାଶି ଦେବା ପାଇଁ ଘୋଷଣା କଲେ ତାହା ସମୁଦ୍ରକୁ ଶଙ୍ଖେ।
ଓଜେସି ଦାବି କରିଛି ଯେ ସରକାର ତୁରନ୍ତ ଚାଷଜମିର କ୍ଷୟକ୍ଷତି ବାବଦରେ ଘୋଷିତ ନିଷ୍ପତ୍ତିରେ ପରିବର୍ତ୍ତନ କରନ୍ତୁ ଏବଂ ହେକ୍ଟର ପିଛା ସର୍ବନିମ୍ନ ୮୦ ହଜାର ପର୍ୟ୍ୟନ୍ତ ସହାୟତା ରାଶି ତୁରନ୍ତ ପ୍ରଦାନ କରନ୍ତୁ। କେବଳ ଧାନ ନୁହେଁ, ପନିପରିବା କ୍ଷୟକ୍ଷତିର ମଧ୍ୟ ଆକଳନ କରି କ୍ଷତି ଭରଣା କରନ୍ତୁ । ସରକାର ବନ୍ୟାରେ କ୍ଷତିଗ୍ରସ୍ତ ଚାଷୀଙ୍କର ଅବିଳମ୍ବେ ଋଣ ଛାଡ଼ କରନ୍ତୁ । ବନ୍ୟା ଛାଡ଼ିଲା ପରେ ଚାଷକାର୍ୟ୍ୟକୁ ତ୍ୱରାନିତ କରିବା ପାଇଁ ସ୍ୱଳ୍ପ ସମୟ ମଧ୍ୟରେ ଚାଷୀଙ୍କୁ ବିହନ, ସାର ମାଗଣାରେ ଯୋଗାଇ ଦିଅନ୍ତୁ । ଗୋ ଚାଷୀ, ମତ୍ସ୍ୟ ଚାଷୀ ଓ କୁକୁଡ଼ା ଚାଷୀ ମାନଙ୍କର କ୍ଷୟକ୍ଷତି ଆକଳନ କରି ଅତିଶୀଘ୍ର କ୍ଷତିପୂରଣ ରାଶି ପ୍ରଦାନ କରନ୍ତୁ । ବନ୍ୟାରେ ଭାଙ୍ଗି ଯାଇଥିବା ଘର ପାଇଁ ଅତିକମରେ ୨ ଲକ୍ଷ ୫୦ ହଜାର ଟଙ୍କା ସରକାର ପ୍ରଦାନ କରନ୍ତୁ । ବନ୍ୟାରେ ମୃତ ବ୍ୟକ୍ତିଙ୍କ ପରିବାରକୁ ୪ ଲକ୍ଷ ବଦଳରେ ସରକାର ୧୦ ଲକ୍ଷ ଅନୁକମ୍ପା ରାଶି ପ୍ରଦାନ କରନ୍ତୁ । ବନ୍ୟା ପ୍ରଭାବିତ ଅଞ୍ଚଳକୁ ସରକାର ସ୍ବତନ୍ତ୍ର ମେଡିକାଲ ଟିମ ପଠାନ୍ତୁ ଏବଂ ଡାଇରିଆ ଓ ପାଣିଜନିତ ରୋଗ ସମସ୍ୟାର ନିରାକରଣ ଦିଗରେ ଚେଷ୍ଟିତ ହୁଅନ୍ତୁ । ସଂପୂର୍ଣ୍ଣ ନିରପେକ୍ଷ ଭାବରେ ଦଳୀୟ ରାଜନୀତିରୁ ଉର୍ଦ୍ଧ୍ୱକୁ ଉଠି କ୍ଷୟକ୍ଷତି ଆକଳନ କରି କ୍ଷତିଗ୍ରସ୍ତ ଚାଷୀଙ୍କୁ ଅତିଶୀଘ୍ର ସହାୟତା ରାଶି ପ୍ରଦାନ କରନ୍ତୁ। ଘାଇ ସୃଷ୍ଟି ହୋଇଥିବା ବନ୍ୟାଞ୍ଚଳରେ ବାଲିଚର ଚାଷଜମିରୁ ବାଲି ଉଦ୍ଧାର ପାଇଁ ସରକାର ପଦକ୍ଷେପ ନିଅନ୍ତୁ ।
ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଓଜେସି ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ଏବଂ ବରିଷ୍ଠ କୃଷକ ନେତା ଦୁର୍ଗାଚରଣ ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା