
ସାଇବର ଅପରାଧ ତଦନ୍ତ ଓ ଡିଜିଟାଲ ଫରେନ୍ସିକ୍ସ କ୍ଷେତ୍ରରେ ଦକ୍ଷତା ବୃଦ୍ଧି ହେବା ଲକ୍ଷ୍ୟ
ଭୁବନେଶ୍ୱର, ୦୪ ଅଗଷ୍ଟ (ହି.ସ)- ସାଇବର ଅପରାଧର ସଠିକ ମୁକାବିଲା, ଡିଜିଟାଲ ଫରେନ୍ସିକ୍ସରେ ଦକ୍ଷତା ବୃଦ୍ଧି ଏବଂ ବୈଜ୍ଞାନିକ ତଦନ୍ତ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ଓଡ଼ିଶା ପୋଲିସର ସିଆଇଡି–କ୍ରାଇମବ୍ରାଂଚ ଏବଂ ରାଷ୍ଟ୍ରୀୟ ଫରେନ୍ସିକ ବିଜ୍ଞାନ ବିଶ୍ୱବିଦ୍ୟାଳୟ (ଏନଏଫଏସୟୁ), ଭୁବନେଶ୍ୱର ମଧ୍ୟରେ ଆଜି ଏକ ୫ ବର୍ଷିଆ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଓଡ଼ିଶା ପୋଲିସର ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ଉପସ୍ଥିତିରେ ଡିଜିପି, କ୍ରାଇମବ୍ରାଂଚ ବିନୟତୋଷ ମିଶ୍ର ଓ ଏନଏଫଏସୟୁ କ୍ୟାମ୍ପସ ନିର୍ଦ୍ଦେଶିକା, ଡ଼ଃ ପୁରବୀ ପୋଖରିୟାଲ ଏମଓୟୁ ସ୍ୱାକ୍ଷର କରିଥିଲେ । ପରେ ଡିଜିପି ଶ୍ରୀ ଖୁରାନିଆ “ସାଇବର ଅପରାଧ ତଦନ୍ତ ଏବଂ ଡିଜିଟାଲ ଫରେନ୍ସିକ ଶୀର୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।
ଏହି ଅବସରରେ ଡିଜିପି କହିଥିଲେ ଯେ, ଆଜିର ଦିନଟି ଓଡ଼ିଶା ପୋଲିସର ଆଧୁନିକୀକରଣ ଓ ବିକାଶ ଯାତ୍ରାରେ ଏକ ଐତିହାସିକ ମାଇଲଖୁଂଟ। ଏହି ପାଂଚବର୍ଷିଆ ବୁଝାମଣାପତ୍ର ଉଭୟ ଅନୁଷ୍ଠାନ ମଧ୍ୟରେ ଏକ ସୁଦୃଢ଼ ଭିତିଭୂମି ସୃଷ୍ଟି କରିବ। ପ୍ରଥମ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଶୁଭାରମ୍ଭ ହେବା ଯୋଗୁଁ ରାଜ୍ୟର ସାଇବର ପୋଲିସିଂ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟର ଶୁଭାରମ୍ଭ ବୋଲି ସେ କହିଥିଲେ।
ସେ କହିଥିଲେ ଯେ, ବର୍ତମାନ ଅପରାଧର ସ୍ୱରୂପ ଦ୍ରୁତ ଗତିରେ ପରିବର୍ତନ ହେଉଛି ଏବଂ ପ୍ରାୟ ପ୍ରତ୍ୟେକ ଅପରାଧରେ ଡିଜିଟାଲ ପ୍ରମାଣର ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ମ୍ୟୁଲ୍ ଆକାଉଂଟ, ଅନଲାଇନ୍ ନିବେଶ ଠକେଇ ଏବଂ “ଡିଜିଟାଲ ଗିରଫ” ଭଳି ସାଇବର ଅପରାଧ କ୍ରମାଗତ ଭାବେ ବଢ଼ୁଥିବାବେଳେ ନୂତନ ଫୌଜଦାରୀ ଆଇନରେ ଫରେନ୍ସିକ ବିଜ୍ଞାନକୁ ତଦନ୍ତର କେନ୍ଦ୍ରବିନ୍ଦୁ କରାଯାଇଛି। ତେଣୁ ଇଲେକ୍ଟ୍ରୋନିକ୍ ପ୍ରମାଣର ସଠିକ୍ ଜବତ, ସଂରକ୍ଷଣ ଓ ପରିଚାଳନା ପ୍ରତ୍ୟେକ ପୋଲିସ ଅଧିକାରୀଙ୍କର ମୌଳିକ ଦକ୍ଷତା ହେବା ଆବଶ୍ୟକ ବୋଲି ସେ ମତ ପ୍ରକାଶ କରିଥିଲେ।
ସାଇବର ଅପରାଧ ଚ୍ୟାଲେଞ୍ଜର ମୁକାବିଲା ପାଇଁ ରାଜ୍ୟରେ ୨୦ଟି ନୂତନ ସାଇବର ଅପରାଧ ଓ ଅର୍ଥନୈତିକ ଥାନା ସ୍ଥାପନ କରାଯାଇଥିବାବେଳେ ସମସ୍ତ ଥାନାକୁ ପ୍ରାୟ ୧୫ କୋଟି ଟଙ୍କା ମୂଲ୍ୟର ଆଧୁନିକ ହାର୍ଡୱେର ଓ ସଫ୍ଟୱେର ଯୋଗାଇ ଦିଆଯାଇଛି। ଏହି ଉପକରଣଗୁଡ଼ିକର ବ୍ୟବହାର ପାଇଁ ଉନ୍ନତମାନର ପ୍ରଶିକ୍ଷଣ ଅପରିହାର୍ଯ୍ୟ ବୋଲି ସେ କହିଥିଲେ।ଏନଏଫଏସୟୁ ସହ ବୁଝାମଣାପତ୍ର କେବଳ ପ୍ରଶିକ୍ଷଣରେ ସୀମିତ ନରହି ଅପରାଧସ୍ଥଳ ପରିଚାଳନା, ଉଚ୍ଚଶିକ୍ଷା, ମିଳିତ ଗବେଷଣା, ଫରେନ୍ସିକ୍ ଭିତିଭୂମିର ବିକାଶ ଓ ବୈଷୟିକ ପରାମର୍ଶ ଭଳି ବହୁ କ୍ଷେତ୍ରକୁ ସାମିଲ କରିବା ଦିଗରେ ଡିଜିପି ଗୁରୁତ୍ୱାରୋପ କରିଥିଲେ ।
୨୦୨୭ ଜାନୁଆରୀ ସୁଦ୍ଧା ରାଜ୍ୟର ୩୪ଟି ପୋଲିସ ଜିଲ୍ଲା ଏବଂ କ୍ରାଇମବ୍ରାଂଚର ମୋଟ ୪୮୦ ଜଣ ଅଧିକାରୀ ଓ କର୍ମଚାରୀଙ୍କୁ ୧୬ଟି ବ୍ୟାଚରେ ପ୍ରଶିକ୍ଷଣ ପ୍ରଦାନ କରାଯିବ ବୋଲି ଡିଜିପି ଶ୍ରୀ ମିଶ୍ର ସୂଚନା ଦେଇଥିଲେ। ପ୍ରତ୍ୟେକ ବ୍ୟାଚରେ ୩୦ ଜଣ ଅଂଶଗ୍ରହଣ କରିବେ ଏବଂ କନଷ୍ଟେବଲ୍ ଠାରୁ ଡିଏସପି ପର୍ଯ୍ୟନ୍ତ ଅଧିକାରୀମାନେ ଏହି ପ୍ରଶିକ୍ଷଣରେ ସାମିଲ ହେବେ। ୬ ଦିନିଆ ଏହି ପ୍ରଶିକ୍ଷଣରେ ୫ ଦିନ ଏନଏଫଏସୟୁ ରେ ଶ୍ରେଣୀଗୃହ ଓ ପରୀକ୍ଷାଗାର ଭିତିକ ପ୍ରଶିକ୍ଷଣ ଏବଂ ୧ ଦିନ ସାଇବର କମ୍ପେ୍ଲକ୍ସରେ ପ୍ରଶିକ୍ଷଣ ଦିଆଯିବ ବୋଲି ସେ ସୂଚନା ଦେଇଥିଲେ ।
ପ୍ରଥମ ବ୍ୟାଚକୁ ସମ୍ବୋଧନ କରି ଡିଜିପି କହିଥିଲେ ଯେ, ଏହି ପ୍ରଶିକ୍ଷଣର ପ୍ରକୃତ ସଫଳତା କେବଳ ପ୍ରମାଣପତ୍ର ହାସଲରେ ନୁହେଁ, ବରଂ ସଠିକ୍ ଡିଜିଟାଲ ପ୍ରମାଣ ସଂଗ୍ରହ, ବୈଜ୍ଞାନିକ ତଦନ୍ତ ଏବଂ ଅଦାଲତରେ ଗ୍ରହଣଯୋଗ୍ୟ ପ୍ରମାଣ ଉପସ୍ଥାପନ କରିବାର ଦକ୍ଷତା ହାସଲ କରିବାର ଆବଶ୍ୟକତା ରହିଛି। ପ୍ରଶିକ୍ଷଣ ଶେଷ ପରେ ନିଜ ନିଜ ଜିଲ୍ଲାକୁ ଫେରି ଅନ୍ୟ ସହକର୍ମୀମାନଙ୍କୁ ମଧ୍ୟ ଏହି ଜ୍ଞାନ ବାଂଟିବାକୁ ସେ ଆହ୍ୱାନ ଜଣାଇଥିଲେ।
ଆଜିର ଏହି କାର୍ଯ୍ୟକ୍ରମରେ ନିର୍ଦ୍ଦେଶିକା ଏସଫଏଲ, ଡ଼. ସନ୍ତୋଷ ବାଲା, ଏନଏଫଏସୟୁ କ୍ୟାମ୍ପସ ନିର୍ଦ୍ଦେଶିକା, ଡ଼ଃ ପୁରବୀ ପୋଖରିୟାଲ, ଆଇଜି (କ୍ରାଇମବ୍ରାଂଚ) ଡ଼ଃ ସାର୍ଥକ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ। ଏନଏଫଏସୟୁ ଆସୋସିଏଟ ପ୍ରଫେସର, ଡ଼ଃ ବିଶ୍ୱକଲ୍ୟାଣ ଦାଶ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା