
ନୂଆପଡ଼ା, ୦୪ ଅଗଷ୍ଟ(ହି.ସ.) – ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ରିଷିଗାଁ ପଂଚାୟତରେ ହୋଇଥିବା ଏକ ଡ୍ରେନ ନିର୍ମାଣ କାମକୁ ନେଇ ଏକ ଭିଡିଓ ସାମ୍ନାକୁ ଆସିଛି। ଉକ୍ତ ଭିଡିଓରେ ଖଡ଼ିଆଳ ବ୍ଲକର ଜଣେ ଡେଭେଲପମେଂଟ କ୍ଲର୍କ ପ୍ରାୟ ୩ ଲକ୍ଷ ୨୦ ହଜାର ଟଙ୍କାର ଠିକା କାମ ବାବଦରେ ୬ ହଜାର ଟଙ୍କା ପିସି ନେଉଥିବା ବ୍ଲକ ଅଫିସ ଭିତରର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଘୁରି ବୁଲଛି। ଏହି ଭିଡିଓ ବର୍ତମାନ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଥିବାବେଳେ, ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ବ୍ୟାପକ ଚର୍ଚ୍ଚା ଚାଲିଛି। ତେବେ ଭିଡିଓର ସତ୍ୟାସତ୍ୟ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସରକାରୀ ପୁଷ୍ଟି ହୋଇ ପାରିନାହିଁ। ଘଟଣାର ପ୍ରକୃତ ସତ୍ୟ ଜାଣିବା ପାଇଁ ସମ୍ପୃକ୍ତ ବିଭାଗ ପକ୍ଷରୁ ନିରପେକ୍ଷ ଓ ସ୍ୱଚ୍ଛ ତଦନ୍ତ କରାଯାଇ, ତଦନ୍ତ ରିପୋର୍ଟ ଆଧାରରେ ଆବଶ୍ୟକ ପଦକ୍ଷେପ ନିଆଯାଉ ବୋଲି ସାଧାରଣରେ ଦାବି ଉଠିଛି। ଅନ୍ୟ ପକ୍ଷରେ କେଉଁ ଉଦ୍ଦେଶ୍ୟରେ ଟଙ୍କା ଦିଆଯାଇଛି ତା’ର ତଦନ୍ତ କରାଯାଉ। କାରଣ ଡ୍ରେନ କାର୍ଯ୍ୟ ଅତି ନିମ୍ନମାନର ହୋଇଥିବା ଯୋଗୁଁ ଟଙ୍କା କାରବାର କରି ବିଲ କରି ଟଙ୍କା ହାତେଇବାର ଉଦ୍ୟମ କରୁଥିବା ଚର୍ଚ୍ଚା ହେଉଛି। ଏନେଇ ଖଡ଼ିଆଳ ବିଡ଼ିଓ ମିଳନ କୁମାର ଝାଙ୍କରଙ୍କୁ ପଚାରିବାରୁ ଏହି ଭିଡିଓଟି ମୋର ହସ୍ତଗତ ହୋଇଛି। ବ୍ଲକ ଅଫିସ୍ ଭିତରର ବୋଲି ଜଣାପଡ଼ିଛି। ଦୁର୍ନୀତିକୁ ପ୍ରଶ୍ରୟ ଦିଆଯିବ ନାହିଁ। ଏନେଇ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରି ତଦନ୍ତ କରାଯିବ। ଯଦି ଅଭିଯୋଗ ସତ୍ୟ ହୁଏ ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ହେମନ୍ତ