
ଗଞ୍ଜାମ, ୪ ଅଗଷ୍ଟ (ହି.ସ.)- ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ଗସ୍ତର ଆଜି ଦ୍ୱିତୀୟ ଦିନ । ଆଜି ସକାଳେ ଏକ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଭୁବନେଶ୍ୱରରୁ ଯାଇ ବ୍ରହ୍ମପୁର ରେଳଷ୍ଟେସନରେ ପହଂଚିଥିଲେ ରାଷ୍ଟ୍ରପତି । ନିର୍ଦ୍ଧାରିତ ସମୟ ଠାରୁ ପ୍ରାୟ ୧୦ ମିନିଟ୍ ବିଳମ୍ବ ଅର୍ଥାତ୍ ପୂର୍ବାହ୍ନ ୧୧ଟା ୨୦ ମିନିଟ୍ ରେ ବ୍ରହ୍ମପୁର ରେଳଷ୍ଟେସନରେ ପହଂଚିଥିଲେ ରାଷ୍ଟ୍ରପତି । ସେଠାରୁ କାର୍ ଯୋଗେ ତପ୍ତପାଣି ଅଭିମୁଖେ ଯାତ୍ରା କରିଛନ୍ତି ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବ୍ରହ୍ମପୁର ରେଳଷ୍ଟେସନର ୪ ନମ୍ବର ପ୍ଲାଟଫର୍ମରେ ପହଂଚିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ରାଜ୍ୟପାଳ ହରିବାବୁ କମ୍ଭମପତି, ମନ୍ତ୍ରୀ ବିଭୂତି ଭୂଷଣ ଯେନା, ଗୋକୁଳାନନ୍ଦ ମଲିକ, ସାଂସଦ ପ୍ରଦୀପ କୁମାର ପାଣିଗ୍ରାହି ଓ ଜିଲା ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ରହି ତାଙ୍କୁ ସ୍ୱାଗତ ଜଣାଇଥିଲେ । ଷ୍ଟେସନ ନିକଟରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଗଞ୍ଜାମ ଜିଲ୍ଲାର ୧୮ଟି ଲୋକକଳା ଓ ଲୋକ ନୃତ୍ୟ ପ୍ରଦର୍ଶନ ଯାଇଥିଲା । ଏହାପରେ ରାଷ୍ଟ୍ରପତି ସାଢ଼େ ଏଗାରଟା ବେଳେ କାର୍ ଯୋଗେ ତପ୍ତପାଣି ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ମା’ କନ୍ଧୁଣି ଦେବୀ ପୀଠରେ ପହଂଚି ମା’ଙ୍କ ଦର୍ଶନ ସହିତ ପୂଜାର୍ଚ୍ଚନା କରିବେ ରାଷ୍ଟ୍ରପତି । ପରେ ପୁଣି ବ୍ରହ୍ମପୁର ଦେଇ ଫେରି ଗୋପାଳପୁର ଆର୍ମୀ ଏଡି କଲେଜରେ ରାତ୍ରୀଯାପନ କରିବେ । ସେ ଆସନ୍ତାକାଲି ସକାଳେ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଭୁବନେଶ୍ୱର ପ୍ରତ୍ୟାବର୍ତନ କରିବାର କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ