
ଝାରସୁଗୁଡ଼ା, ୪ ଅଗଷ୍ଟ (ହି.ସ.)- ଝାରସୁଗୁଡ଼ା ଜିଲ୍ଲାରେ ଚାଲୁଥିବା ସ୍ୱତନ୍ତ୍ର ସଘନ ସଂଶୋଧନ-୨୦୨୬ କାର୍ଯ୍ୟକ୍ରମର ଅଗ୍ରଗତି ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଡିଏମଏଫ୍ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାର ସମସ୍ତ ମାନ୍ୟତାପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିମାନେ ଯୋଗ ଦେଇଥିଲେ। ଭୋଟର ତାଲିକାରୁ ନାମ କଟିବା ନେଇ ଜନସାଧାରଣ କିମ୍ବା ରାଜନୈତିକ ଦଳଗୁଡ଼ିକ ଭୟଭୀତ କିମ୍ବା ଆଶଙ୍କିତ ନହେବାକୁ ଉପ-ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ଏବଂ ଜିଲ୍ଲା ନିର୍ବାଚନ ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି।
ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ବ୍ରଜବନ୍ଧୁ ଭୋଇ, ଭାରପ୍ରାପ୍ତ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ତଥା ନିର୍ବାଚନ ପଞ୍ଜିକରଣ ଅଧିକାରୀ ୦୬- ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀ, ଲଳିତ ସୋରେଙ୍ଗ, ଉପ-ଜିଲ୍ଲାପାଳ ତଥା ନିର୍ବାଚନ ପଞ୍ଜିକରଣ ଅଧିକାରୀ ୦୭, ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀ, ସବ୍ୟସାଚୀ ପଣ୍ଡା ଏବଂ ଡେପୁଟି କଲେକ୍ଟର (ନିର୍ବାଚନ) ଲୋପାମୁଦ୍ରା କାଲୋ, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ କୃଷ୍ଣାକେଶୀ ବଳିୟାରସିଂହ ଯୋଗଦେଇଥିଲେ। ଉକ୍ତ ବୈଠକରେ ବିଜେପି ଜିଲ୍ଲା ସଭାପତି ରଘୁନନ୍ଦନ ପଣ୍ଡା, କଂଗ୍ରେସ ପ୍ରତିନିଧି ସଞ୍ଜୟ କୁମାର ମହାପାତ୍ର, ବିଜେଡି ସାଧାରଣ ସମ୍ପାଦକ ରଘୁନନ୍ଦନ ପାଢ଼ୀ, ବିଏସପି ଜିଲ୍ଲା ସାଧାରଣ ସମ୍ପାଦକ ଅଲିନ୍ଦ୍ର ଚାନ୍ଦ ଏବଂ ସିପିଆଇ(ଏମ) ସହ-ସମ୍ପାଦକ ବାସୁଦେବ ଧୁରୁଆଙ୍କ ସମେତ ଅନ୍ୟାନ୍ୟ ପ୍ରତିନିଧିମାନେ ଉପସ୍ଥିତ ଥିଲେ। ଏହି ବୈଠକରେ ସ୍ୱଚ୍ଛ, ନିର୍ଭୁଲ ଓ ତ୍ରୁଟିମୁକ୍ତ ଭୋଟର ତାଲିକା ପ୍ରସ୍ତୁତି ଉପରେ ବିଶେଷ ଗୁରୁତ୍ୱାରୋପ କରାଯାଇଥିଲା।
ସୂଚନା ଅନୁସାରେ, ଅଗଷ୍ଟ ୪ ତାରିଖ ସୁଦ୍ଧା ଜିଲ୍ଲାର ବ୍ରଜରାଜନଗର ଓ ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀରେ ମୋଟ ୯୫,୦୮୫ଟି ନୋଟିସ୍ ଜାରି କରାଯାଇଛି। ସେଥିମଧ୍ୟରୁ ୯୦,୦୨୭ଟି ନୋଟିସ୍ ବଣ୍ଟନ କରାଯାଇ ସାରିଛି। ସେହିପରି ମୋଟ ୩୬,୨୯୭ଟି କ୍ଷେତ୍ରରେ ଶୁଣାଣି ସମ୍ପୂର୍ଣ୍ଣ ହୋଇଯାଇଛି। ଭାରତ ନିର୍ବାଚନ ଆୟୋଗଙ୍କ ନୂତନ ସଂଶୋଧିତ ସମୟସୂଚୀ ଅନୁଯାୟୀ, ଦାବି ଓ ଆପତ୍ତି ଦାଖଲର ଶେଷ ତାରିଖକୁ ଆଉ ୧୫ ଦିନ ବୃଦ୍ଧି କରାଯାଇ ୧୯ ଅଗଷ୍ଟ ପର୍ଯ୍ୟନ୍ତ ନିର୍ଦ୍ଧାରଣ କରାଯାଇଛି। ସେହିପରି ନୋଟିସ୍ ପର୍ଯ୍ୟାୟ ଏବଂ ଦାବି ଓ ଆପତ୍ତିର ସମାଧାନ ପ୍ରକ୍ରିୟା ୧୭ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ଚାଲୁରହିବ ଏବଂ ୨୧ ସେପ୍ଟେମ୍ବରରେ ଭୋଟର ତାଲିକାର ଚୂଡ଼ାନ୍ତ ପ୍ରକାଶନ କରାଯିବ। ବୈଠକରେ ନୂତନ ଭୋଟର ପଞ୍ଜୀକରଣ (ଫର୍ମ-୬), ନାମ ବାଦ୍ (ଫର୍ମ-୭) ଏବଂ ସଂଶୋଧନ (ଫର୍ମ-୮)ର ସଠିକ୍ ବ୍ୟବହାର ସହ ବୁଥ୍ ସ୍ତରୀୟ ଏଜେଣ୍ଟଙ୍କ ଭୂମିକା ଓ ଅପିଲ୍ ବ୍ୟବସ୍ଥା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସଂଶୋଧନ କାର୍ଯ୍ୟକୁ ଶୃଙ୍ଖଳିତ ଓ ସଫଳ କରିବା ପାଇଁ ସମସ୍ତ ରାଜନୈତିକ ଦଳର ସକ୍ରିୟ ସହଯୋଗ ପ୍ରଶାସନ ପକ୍ଷରୁ କାମନା କରାଯାଇଛି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ