

ସମ୍ବଲପୁର, ୦୪, ଅଗଷ୍ଟ (ହି.ସ.) - ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରୁ ଅଧିକାଂଶ ଲୋକେ ସୀମାନ୍ତ ଆନ୍ଧ୍ରପ୍ରଦେଶ ଯା-ଆସ କରିଥାଆନ୍ତି । ଦାଦନ ଶ୍ରମିକ ଭାବେ କାର୍ଯ୍ୟ ଅନ୍ୱେଷଣ, ନିୟୋଜିତ ଠାରୁ ଆରମ୍ଭ କରି ରୋଗୀ ଚିକିତ୍ସା ଏପରିକି ବ୍ୟବସାୟୀକ ସମ୍ପର୍କ ମଧ୍ୟ ରହି ଆସିଛି । ଫଳରେ ଅଧିକାଂଶ ଲୋକେ କେବଳ ଟ୍ରେନ୍ ଉପରେ ନିର୍ଭର କରି ଆସୁଥିଲେ । ଯାତ୍ରୀମାନଙ୍କ ଗମନାଗମନ ସୁବିଧାକୁ ଦୃଷ୍ଟିରେ ରଖି ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ସମ୍ବଲପୁର ଡିଭିଜନ ପକ୍ଷରୁ ସମ୍ବଲପୁର ଏବଂ ବିଶାଖାପାଟଣା ମଧ୍ୟରେ ଏକ ନୂତନ ଦୈନିକ ସିଧାସଳଖ ବସ୍ ସେବା ଆରମ୍ଭ କରାଯାଇଛି। ଆନ୍ତଃରାଜ୍ୟ ଯୋଗାଯୋଗ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ସହିତ ଯାତ୍ରୀମାନଙ୍କୁ ସୁରକ୍ଷିତ, ଆରାମ ଦାୟକ ପରିବହନ ସେବା ଯୋଗାଇ ଦେବା ଏହି ନୂତନ ପଦକ୍ଷେପର ମୂଳ ଲକ୍ଷ୍ୟ । ଏହି ବସସେବା ପ୍ରତିଦିନ ଭବାନୀପାଟଣା ଏବଂ ପାର୍ବତୀପୁରମ୍ ଦେଇ ଯାତାୟାତ କରିବ। ଏହି ବସ୍ ସମ୍ବଲପୁରରୁ ସନ୍ଧ୍ୟା ୭ ଟା ବେଳେ ଛାଡ଼ି ବିଶାଖାପାଟଣାରେ ସକାଳ ୬ ଟା ୨୫ ମିନିଟ୍ ରେ ପହଂଚିବ। ଏହି ବସ୍ ବରଗଡ଼ରେ ରାତି ୮ଟା ୦୪ ମିନିଟ୍, ବରପାଲିରେ ରାତି ୦୮ଟା ୨୧ ମିନିଟ୍, ବଲାଙ୍ଗୀରରେ ରାତି ୧୦ଟା ୧୩ ମିନିଟ୍, କେସିଙ୍ଗାରେ ରାତି ୧୧ଟା ୦୭ ମିନିଟ୍, ଭବାନୀପାଟଣାରେ ରାତି ୧୧ଟା ୫୯ ମିନିଟ୍, ଅମ୍ବାଦୋଳାରେ ରାତି ୧୨ଟା ୪୩ ମିନିଟ୍, ମୁନିଗୁଡ଼ାରେ ରାତି ଗୋଟାଏ ୧୮ ମିନିଟ୍, ରାୟଗଡ଼ାରେ ରାତି ୦୨ଟା ୩୩ ମିନିଟ୍, ସୀମାନ୍ତ ପାର୍ବତୀ ପୁରମରେ ରାତି ୦୩ଟା ୩୧ ମିନିଟ୍ ଏବଂ ବିଜୟନଗରମରେ ଭୋର ୫ଟା ୨୩ ମିନିଟ୍ ହୋଇ ବିଶାଖାପାଟଣାରେ ସକାଳ ୬ ଟା୨୫ ମିନିଟରେ ପହଂଚିବ। ସେହିପରି ଫେରିବା ବସ୍ ସମୟ ସାରଣୀ ଅନୁଯାୟୀ ଏହି ବସ୍ ବିଶାଖାପାଟଣାରୁ ସନ୍ଧ୍ୟା ୭ଟା ୦୫ ମିନିଟରେ ଛାଡି ପରଦିନ ଭୋର ୦୬ ଟା ୨୫ ମିନିଟରେ ପହଂଚିବ। ରହଣି ସମୟ ସୂଚୀକା ଅନୁଯାୟୀ ବିଜୟନଗରମ୍ ରାତି ୦୮ଟା ୩୨ ମିନିଟ୍, ସୀମାନ୍ତ ପାର୍ବତୀପୁରମ୍ ରାତି ୦୯ଟା ୫୯ ମିନିଟ୍, ରାୟଗଡ଼ା ରାତି ୧୧ଟା ୦୧ ମିନିଟ୍, ମୁନିଗୁଡ଼ାରେ ରାତି ୧୨ଟା ୧୨ ମିନିଟ୍, ଅମ୍ବାଦୋଳାରେ ରାତି ୧୨ ଟା ୪୫ ମିନିଟ୍, ଭବାନୀପାଟଣାରେ ରାତି ଗୋଟାଏ ୪୬ ମିନିଟ୍, କେସିଙ୍ଗାରେ ରାତି ୦୨ଟା ୨୨ ମିନିଟ୍, ବଲାଙ୍ଗୀରରେ ଭୋର ୦୪ଟା ୨୫ ମିନିଟ୍, ବରପାଲିରେ ଭୋର ୦୫ଟା ୧୦ ମିନିଟ୍, ଏବଂ ବରଗଡ଼ରେ ଭୋର ୦୫ ଟା ୪୧ ମିନିଟ୍ ଦେଇ ସମ୍ବଲପୁର ଯାତ୍ରା କରିବ । ଏହି ବସ ଚଳାଚଳ ସୁବିଧା ଦ୍ୱାରା ଦୁଇ ପ୍ରମୁଖ ସହର ମଧ୍ୟରେ ଯାତ୍ରା କରୁଥିବା ବ୍ୟବସାୟୀ, ଛାତ୍ରଛାତ୍ରୀ ତଥା ସାଧାରଣ ଯାତ୍ରୀମାନେ ବିଶେଷ ଭାବେ ଉପକୃତ ହୋଇ ପାରିବେ। ଟିକେଟ୍ ବୁକିଂ ଏବଂ ଅଧିକ ସୂଚନା ପାଇଁ ଯାତ୍ରୀମାନେ ସିଧାସଳଖ ଓଏସ୍ଆରଟିସିର ୱେବସାଇଟ୍ କିମ୍ବା ଆଧିକାରୀକ ମୋବାଇଲ୍ ଆପ୍ ବ୍ୟବହାର କରିପାରିବେ। ଆବଶ୍ୟକ ସ୍ଥଳେ ନିକଟସ୍ଥ ବସ୍ ଷ୍ଟାଣ୍ଡରେ ଯୋଗାଯୋଗ କରିପାରିବେ ବୋଲି ସୂଚନା ମିଳିଛି । ସର୍ବସାଧାରଣଙ୍କ ଅବଗତି ସମେତ ଏହି ନୂତନ ବସସେବାର ସୁଯୋଗ ନେବାକୁ ଓଏସ୍ଆରଟିସି ପକ୍ଷରୁ ବିଭିନ୍ନ ଗଣମାଧ୍ୟମ ମାଧ୍ୟମରେ ନିବେଦନ କରାଯାଇଛି।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ