



ସମ୍ବଲପୁର,୦୪, ଅଗଷ୍ଟ (ହି.ସ.) ସମ୍ବଲପୁର ଜିଲ୍ଲା ଜମନକିରା ସ୍ଥିତ ଷଣ୍ଢପଥର ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ହଷ୍ଟେଲରୁ ଜନୈକ ନବମ ଶ୍ରେଣୀର ଛାତ୍ର ରୋହିତ ମୁଣ୍ଡା ଗତ ରବିବାର ସକାଳଠାରୁ ନିଖୋଜ ଥିବା ଅଭିଯୋଗ ହୋଇଛି। ଛାତ୍ର ନିଖୋଜ ସମ୍ପର୍କରେ ଜଣାପଡିବା ପରେ ଆଖପାଖ ସାଙ୍ଗସାଥୀ ଓ ପାରିବାରିକ ବନ୍ଧୁବାନ୍ଧବଙ୍କ ଘରକୁ ଯାଇଥିବ ଭାବେ ସହପାଠୀ ଓ ହଷ୍ଟେଲ କର୍ତ୍ତୃପକ୍ଷ ଆଶା ରଖିଥିଲେ । ମାତ୍ର ଘଣ୍ଟା ପରେ ଘଣ୍ଟା, ଏପରିକି ଦିନ ପରେ ଦିନ ବିତି ଯାଇଥିଲେ ମଧ୍ୟ ରୋହିତଙ୍କର କୌଣସି ସୁରାକ୍ ନମିଳିବା ଓ ବିଦ୍ୟାଳୟ କର୍ତ୍ତୃପକ୍ଷ ନିଜସ୍ତରରେ ଖୋଜାଖୋଜି କରି ବିଫଳ ହେବା ପରେ ଶେଷରେ ଜମନକିରା ଥାନାରେ ନିଖୋଜ ଛାତ୍ର ସମ୍ପର୍କରେ ଅଭିଯୋଗ କରିଥିଲେ। ପୋଲିସକୁ ପ୍ରାଥମିକ ତଦନ୍ତରେ ନିଖୋଜ ଛାତ୍ରର ମୋବାଇଲ କିଛି ସହାୟତା କରିବ ବୋଲି ଆଶା କରାଯାଇଛି । ତେବେ ପୋଲିସ ଏ ସମ୍ପର୍କରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଅପରପକ୍ଷେ ପୁଅ ନିଖୋଜ ହେବା ଜାଣିବା ପରେ ଛାତ୍ରର ପରିବାର ଲୋକେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ମୋ ପୁଅ ନିଖୋଜ ହୋଇଥିବା ଅଭିଯୋଗ କରିବା ପରେ ଏବେ ବିଦ୍ୟାଳୟର ଦୁର୍ବଳ ପରିଚାଳନା କମିଟିର ଦକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ