
କେନ୍ଦ୍ରାପଡ଼ା, ୪ ଅଗଷ୍ଟ (ହି.ସ.)- କିଛି ବର୍ଷ ପୂର୍ବେ ବିରୂପା ନଦୀରେ ପ୍ରବଳ ବନ୍ୟା ଯୋଗୁଁ ସୃଷ୍ଟି ହୋଇଥିବା ଘାଇ ଫଳରେ ପାଟକୁରା ନିର୍ବାଚନ ମଣ୍ଡଳୀର ବେଣୀପୁର ଗ୍ରାମ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇ ବ୍ୟାପକ କ୍ଷୟକ୍ଷତିର ସମ୍ମୁଖୀନ ହୋଇଥିଲା। ଏହି ଘଟଣାକୁ ଦୃଷ୍ଟିରେ ରଖି ଚଳିତ ବନ୍ୟା ପରିସ୍ଥିତିରେ ବିଜେପି ନେତା ତେଜେଶ୍ୱର ପରିଡ଼ା ସେହି ଘାଇ ହୋଇଥିବା ବିରୂପା ନଦୀବନ୍ଧ ସ୍ଥାନକୁ ପରିଦର୍ଶନ କରି ସ୍ଥିତିର ତଦାରଖ କରିଥିଲେ।
ପରିଦର୍ଶନ ସମୟରେ ସେ ନଦୀବନ୍ଧର ସୁରକ୍ଷା ବ୍ୟବସ୍ଥା ଓ ବର୍ତ୍ତମାନର ସ୍ଥିତି ସମ୍ପର୍କରେ ସମୀକ୍ଷା କରିବା ସହ କହିଥିଲେ ଯେ, କୌଣସି ପ୍ରକାରର ବନ୍ୟାଜନିତ ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ସ୍ଥାନୀୟ ଲୋକଙ୍କ ସହ ସମନ୍ୱୟ ରଖି ସଜାଗ ଓ ପ୍ରସ୍ତୁତ ରହିବା ଆବଶ୍ୟକ। ବନ୍ୟାପ୍ରବଣ ଅଞ୍ଚଳର ଲୋକଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେଇ ସମସ୍ତ ପ୍ରତିଷେଧକ ପଦକ୍ଷେପ ନିଆଯିବା ଉଚିତ ବୋଲି ସେ ମତ ପ୍ରକାଶ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ରବି