
୫ ବର୍ଷ ବିତିଗଲାଣି, ତଥାପି ୨୫ କୋଟି ଟଙ୍କାର ଏହି ପ୍ରକଳ୍ପ ଅସମ୍ପୂର୍ଣ୍ଣ ହୋଇ ରହିଛି
ବଲାଙ୍ଗୀର, ୦୪ ଅଗଷ୍ଟ(ହି.ସ.) – ବର୍ଷ ପରେ ବର୍ଷ ବିତିଯାଉଛି, କିନ୍ତୁ ବଲାଙ୍ଗୀରରେ ସାଇନ୍ସ ପାର୍କ(ବିଜ୍ଞାନ ଉଦ୍ୟାନ) ଏବଂ ପ୍ଲାନେଟାରିୟମ୍(ତାରକାମଣ୍ଡଳ) ନିର୍ମାଣ କାର୍ଯ୍ୟ ଏପର୍ଯ୍ୟନ୍ତ ଶେଷ ହୋଇପାରିନାହିଁ। କାର୍ଯ୍ୟରେ ବିଳମ୍ବ ଘଟୁଥିବାବେଳେ ବର୍ତମାନର ସରକାର ଏଥିପ୍ରତି ବିଶେଷ ଧ୍ୟାନ ଦେଉନଥିବା ନେଇ ଅଭିଯୋଗ ହେଉଛି। ଆଶ୍ଚର୍ଯ୍ୟର କଥା ହେଉଛି, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗର ମନ୍ତ୍ରୀ ନିଜେ ବଲାଙ୍ଗୀର ଜିଲ୍ଲାର ପ୍ରତିନିଧିତ୍ୱ କରୁଥିଲେ ମଧ୍ୟ, ସେ ଏହି ପ୍ରକଳ୍ପ ପ୍ରତି ଉଦାସୀନତା ପ୍ରଦର୍ଶନ କରୁଥିବା ଅଭିଯୋଗ ରହିଛି। ପୂର୍ବତନ ସରକାରଙ୍କ ସମୟରେ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ ସାଇନ୍ସ ପାର୍କ ଏବଂ ପ୍ଲାନେଟାରିୟମ୍ ନିର୍ମାଣ ପାଇଁ ନିଷ୍ପତି ନିଆଯାଇଥିଲା। ସେହି କ୍ରମରେ, ୨୦୧୯ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜେନ୍ଦ୍ର କଲେଜର ୭୫ତମ ବାର୍ଷିକ ଉତ୍ସବରେ ଯୋଗଦେଇ ବଲାଙ୍ଗୀରରେ ଏକ ସାଇନ୍ସ ପାର୍କ ଓ ପ୍ଲାନେଟାରିୟମ୍ ନିର୍ମାଣ ଘୋଷଣା କରିଥିଲେ। ଏଥିପାଇଁ ୨୫ କୋଟି ଟଙ୍କାର ଅନୁଦାନ ମଧ୍ୟ ମଞ୍ଜୁର କରାଯାଇଥିଲା।
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟକୁ ଶାସ୍ତ୍ରୀନଗର ସହ ସଂଯୋଗ କରୁଥିବା ରାସ୍ତା ନିକଟ ସୂର୍ଯ୍ୟନଗର ଠାରେ ୧୦ ଏକର ଜମିରେ ଏହି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଥିଲା। ଜିଲ୍ଲା ପ୍ରଶାସନ ଜମି ଚିହ୍ନଟ କରି ବିଭାଗକୁ ହସ୍ତାନ୍ତର କରିଥିଲା। ତଥାପି କାର୍ଯ୍ୟ ଆରମ୍ଭ ହେବାର ପ୍ରାୟ ଚାରିବର୍ଷ ପରେ ମଧ୍ୟ କାମ ଶେଷ ହୋଇନାହିଁ ଏବଂ ଏହା କେବେ ସମ୍ପୂର୍ଣ୍ଣ ହେବ ସେନେଇ କୌଣସି ସ୍ପଷ୍ଟ ସମୟସୀମା ଦିଆଯାଇନାହିଁ। ଛାତ୍ରଛାତ୍ରୀମାନଙ୍କୁ ବିଜ୍ଞାନ ସମ୍ବନ୍ଧୀୟ ବ୍ୟାବହାରିକ ଜ୍ଞାନ ପ୍ରଦାନ କରିବା ଏବଂ ସେମାନଙ୍କୁ ବିଜ୍ଞାନ ସହ ପ୍ରତ୍ୟକ୍ଷ ଭାବେ ପରିଚିତ କରାଇବା ଲକ୍ଷ୍ୟରେ ଏହି ପ୍ରକଳ୍ପ ହାତକୁ ନିଆଯାଇଥିଲା।
ନିର୍ମାଣ ଦାୟିତ୍ୱ ଏନ୍ବିସିସିକୁ ଦିଆଯାଇଥିଲା। ଅଭିଯୋଗ ରହିଛି ଯେ କାର୍ଯ୍ୟକାରୀ ସଂସ୍ଥାର ମନମୁଖୀ କାର୍ଯ୍ୟଶୈଳୀ ଯୋଗୁଁ କାମ ଅତି ଧୀର ଗତିରେ ଆଗେଇ ଚାଲିଛି ଏବଂ ଏହାର ଉଚିତ୍ ସମୀକ୍ଷା କରାଯାଉନାହିଁ। ରାଜ୍ୟରେ ସରକାର ପରିବର୍ତନ କାର୍ଯ୍ୟ ଜାରି ରହିଥିବାରୁ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ବର୍ତମାନ ନିର୍ମାଣ କାର୍ଯ୍ୟ ଶୀଘ୍ର ଶେଷ କରି ଅଗଷ୍ଟ ୨୦୦୬ ସୁଦ୍ଧା ଏହାକୁ ଜନସାଧାରଣଙ୍କ ପାଇଁ ଖୋଲିଦେବାକୁ ଦୃଢ଼ ଦାବି କରାଯାଉଛି।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ