
କେନ୍ଦୁଝର, ୦୪ ଅଗଷ୍ଟ (ହି.ସ.) - କେନ୍ଦୁଝର ଜିଲ୍ଲା ପାଟଣା ବନାଂଚଳ ତଥା ଘଟଗାଁ ବ୍ଲକ ମୁକ୍ତାପୁର ଗ୍ରାମପଂଚାୟତ ଅନ୍ତର୍ଗତ ଡଳଙ୍ଗପାଣି ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ମୃତକ ହେଲେ ଗ୍ରାମର ମଦନ ନାୟକ।
ସୂଚନା ଅନୁଯାୟୀ, ପାଟଣା ବନାଂଚଳରେ ବର୍ତମାନ ୧୯ଟିକିଆ ହାତୀପଲଙ୍କ ଉପଦ୍ରବ ଜାରି ରହିଛି। ଗତକାଲି ହାତୀପଲ ଡଳଙ୍ଗପାଣି ଗ୍ରାମ ନିକଟସ୍ଥ ଜଙ୍ଗଲରେ ଡେରା ପକାଇଥିଲେ। ସନ୍ଧ୍ୟା ସମୟରେ ହାତୀପଲ ଗ୍ରାମ ମଧ୍ୟକୁ ଓ ଧାନଜମି ରେ ପ୍ରବେଶ କରି ଉପଦ୍ରବ ସୃଷ୍ଟି କରିଥିଲେ। ଏହି ସମୟରେ ଗ୍ରାମବାସୀ ହାତୀ ଘଉଡ଼ାଇବାକୁ ଯାଇଥିବା ବେଳେ ମଦନ ନାୟକ ( ୨୬)ହାତୀ ଆକ୍ରମଣର ଶିକାର ହୋଇଥିଲେ। ଆକ୍ରମଣ ସମୟରେ ସେ ଏକ ଖାଲରେ ପଡ଼ିଯାଇଥିବା ବେଳେ ହାତୀ ତାଙ୍କୁ ଶୁଣ୍ଢରେ ଉଠାଇ କଚାଡ଼ି ଦେଇଥିବା ଅଭିଯୋଗ ହୋଇଛି। ଗୁରୁତର ଆହତ ଅବସ୍ଥାରେ ସ୍ଥାନୀୟ ଲୋକେ ତାଙ୍କୁ ଘଟଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଏନେଇ ଗ୍ରାମବାସୀ ବନ ବିଭାଗ ଅବହେଳା କୁ ଦାୟୀ କରିଛନ୍ତି।
ଘଟଣା ପରେ ସ୍ଥାନୀୟ ଅଂଚଳରେ ଭୟ ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଛି। ହାତୀପଲ ଥିବାରୁ ରାସ୍ତା ରେ ଯା ଆସ ପାଇଁ ସନ୍ଧ୍ୟା ସମୟରେ ଆଖ ପାଖ ଗ୍ରାମ ଲୋକେ ଆସପାଇଁ ଭୟ କରୁଛନ୍ତି ବନ ବିଭାଗ ପକ୍ଷରୁ ହାତୀପଲଙ୍କ ଗତିବିଧି ଉପରେ ନଜର ରଖାଯାଇଥିବା ବେଳେ ଗ୍ରାମବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA