
କେନ୍ଦ୍ରାପଡ଼ା, ୪ ଅଗଷ୍ଟ (ହି.ସ.)- କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ମଣିକୁଣ୍ଡା ଗ୍ରାମରେ ଘରୋଇ କଳିକୁ କେନ୍ଦ୍ର କରି ରକ୍ତାକ୍ତ କାଣ୍ଡ ଘଟିଛି। ପଡୋଶୀଙ୍କ ଆକ୍ରମଣରେ ଏକ ପରିବାରର ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଘଟଣାରେ ୨ ଜଣ ମହିଳାଙ୍କୁ ଗିରଫ କରାଯାଇଛି।
ସୂଚନା ଅନୁସାରେ, ଗତ ଜୁଲାଇ ୩୦ ତାରିଖରେ ମଣିକୁଣ୍ଡା ଗ୍ରାମରେ ଘରୋଇ କଳହକୁ ନେଇ ଦୁଇ ପଡୋଶୀ ପରିବାର ମଧ୍ୟରେ ବଚସା ହୋଇଥିଲା। ପରେ ବଚସା ଉଗ୍ରରୂପ ନେଇଥିଲା ଏବଂ ଆକ୍ରମଣରେ ଗୋଟିଏ ପରିବାରର ୩ ଜଣ ସଦସ୍ୟ ଗୁରୁତର ଭାବେ ଆହତ ହୋଇଥିଲେ। ଆହତମାନଙ୍କୁ ପ୍ରଥମେ କେନ୍ଦ୍ରାପଡ଼ା ମେଡିକାଲ ଏବଂ ପରେ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଏନେଇ ପୀଡିତ ପରିବାର ପକ୍ଷରୁ ମାର୍ଶାଘାଇ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଆଜି ମାର୍ଶାଘାଇ ପୋଲିସ ଆକ୍ରମଣ ଘଟଣାରେ ସମ୍ପୃକ୍ତ ଥିବା ଦୁଇ ଜଣ ମହିଳା ମମତା ସ୍ୱାଇଁ, ଶାଶୁ ସୁଲଚନା ସ୍ୱାଇଁଙ୍କୁ ଗିରଫ କରିଛି। ଗିରଫ ମହିଳା ଦ୍ୱୟଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି। ଅନ୍ୟ ମୁଖ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୋଲିସର ଚଢଉ ଜାରି ରହିଛି।
ହିନ୍ଦୁସ୍ଥାନ ସମାଚାର / ରବି