
ଜୟପୁର, ୦୪ ଅଗଷ୍ଟ(ହି.ସ.) – କୋରାପୁଟ ଜିଲାରେ ଚାଷ କାର୍ଯ୍ୟ ଜୋର୍ସୋରରେ ଚାଲିଛି। କୋରାପୁଟ ଜିଲ୍ଲାର ଜୟପୁର, କୋଟପାଡ଼, ବୋରିଗୁମ୍ମା, ବୈପାରିଗୁଡ଼ା, କୁନ୍ଦୁରାରେ ଚାଷ କାର୍ଯ୍ୟ ଅଧିକା ଚାଲିଥିବାବେଳେ କଥାରେ ଅଛି, ଚାଷ କାମ ଯାହାର, କି ଆନନ୍ଦ ତାହାର, ସିଏ ପରା ଯୋଗାଉଛି ଦୁନିଆକୁ ଆହାର। ଏହି କାର୍ଯ୍ୟ ପାଇଁ ଚାଷୀ ସଭିଙ୍କ ପାଖରେ ଆଦର ପାଉଥିଲା। ଦିନ ଥିଲା ଗ୍ରାମାଂଚଳ ଲୋକେ ଅନ୍ୟ କାର୍ଯ୍ୟ ଅପେକ୍ଷା ଚାଷ କାର୍ଯ୍ୟ କରିବା ପାଇଁ ଆଗଭର ହେଉଥିଲେ। ବିଭିନ୍ନ କାରଣରୁ ଧିରେ ଧିରେ ଏବେ ଚାଷ କାମ ବନ୍ଦ ହେବାକୁ ବସିଛି। ପୂର୍ବରୁ ଚାଷ କରୁଥିବା ପ୍ରଣାଳୀ ବଦଳାଇ ନୂତନ ପଦ୍ଧତିରେ ଚାଷ କରି ଅଧିକ ଉପାର୍ଜନ ପାଇଁ ଉଦ୍ୟମ ଆରମ୍ଭ ହେଉଥିବାବେଳେ ଏହା ଏବେ ପୋଥି ବାଇଗଣ ପାଲଟିଯିବ ଏହି ଆଶଙ୍କା ପ୍ରକାଶ ପାଉଛି। କୋରାପୁଟ ଜିଲ୍ଲାରେ ଚାଷୀ ମୁଖ୍ୟତଃ ଖରିଫ ଓ ରବି ଋତୁରେ ଧାନ ଚାଷ କରିଥାନ୍ତି। ଏବେ ଚାଷ କାମ ବାଟବଣା ହେଉଥିବାବେଳେ ଚାଷର ଉପାୟ ବଦଳିବାରେ ଲାଗିଛି। ହଳରେ ଏବେ ଆଉ ପ୍ରାୟ କେହି ଚାଷ କରୁନଥିବାବେଳେ ଚାଷୀ ହୁଳହୁଳି, ହଳିଆ ଗୀତ ପୂର୍ବଭଳି ଆଉ ରୁଆ, ବୁଣାବେଳେ ଶୁଣିବାକୁ ମିଳୁନାହିଁ। ପୂର୍ବରୁ ଚାଷୀ ଜମିରେ ଚାଷ ପାଇଁ ହଳ, ଲଙ୍ଗଳ ବ୍ୟବହାର କରୁଥିଲେ। ଏବେ ଚାଷ ପାଇଁ ଟ୍ରାକ୍ଟର, ପାୱର ଟିଲର୍ ବ୍ୟବହାର ହେଉଛି। ମାସ ମାସ ଧରି ଚାଲୁଥିବା ଚାଷ କାମ ଏବେ କମ୍ ଦିନରେ ଶେଷ ହେଉଛି। ପ୍ରତିଗାଁରେ ପୂର୍ବେ ଘରେ ଘରେ ଜମି ଚାଷ ପାଇଁ ବଳଦ, ପୋଢ ପାଳନ କରାଯାଉଥିଲା। ଏପରିକି କିଛି ଧନୀ ଚାଷୀ ମଧ୍ୟ ଗାଈ ବଳଦଙ୍କ ପାଇଁ ହଳିଆ ମଧ୍ୟ ରଖୁଥିଲେ। ଘର ଆଗରେ ଗୁହାଳ ଦେଖିବାକୁ ମିଳୁଥିଲା। ହଳପାଇଁ ଚାଷୀ କୁସୁମ, ଫାଶୀ, ବାବୁଲ, ଗୁହାରିଆ ପ୍ରଭୃତି, କାଠର ଲଙ୍ଗଲ, ଢାମଣ, ଇଷ ତଥା ଅନ୍ୟାନ୍ୟ ଉପକରଣ ରଖାଯାଉଥିଲା। କିଛି ଚାଷୀ ମାମୁଁ ଭଣଜା ବଳଦକୁ ଏକାଠି କରି ହଳ କାର୍ଯ୍ୟରେ ଲଗାଉଥିଲେ। ପ୍ରତିବର୍ଷ ପ୍ରଥମ ବର୍ଷା ପରେ ଚାଷୀମାନେ ବଳଦ ବିକାକିଣା କରିବା ସହିତ ଅନ୍ୟଗ୍ରାମରୁ ବଳଦ କିଣି ଆଣୁଥିଲେ। ମହାଲକ୍ଷ୍ମୀ ସ୍ନାନ ଦିନ ଭୋର ସମୟରେ ତଳିଘଣା ପରେ ପୂଜାର୍ଚ୍ଚନା କରି ରୁଆ କାର୍ଯ୍ୟ ଆରମ୍ଭ କରୁଥିଲା। ହଳ ଧରି ବିଭିନ୍ନ ଢଙ୍ଗରେ ମଧୁର କଣ୍ଠରେ ଗୀତ ଗାଇ ହଳ କରୁଥିବା ଦେଖାଯାଉଥିଲା। ମହିଳାମାନେ
ହୁଳହୁଳି ସହ ମିଳିତ ଭାବେ ଗୀତ ଗାଉଥିଲେ। ଦୂରରୁ ଗୀତ ଶୁଭିଲେ ଚାଷ କାମ ଚାଲିଥିବା ସଂକେତ ମିଳୁଥିଲା। ଗୋଟିଏ ଜମିରେ ମହିଳା ଗୀତ ଗାଇବା ଆରମ୍ଭ କଲେ ଅନ୍ୟ ଜମିର ମହିଳା ତାହା ଅନୁସରଣ କରୁଥିଲେ। ବିଭିନ୍ନ କାରଣରୁ ଏବେ ହଳ ରଖିବା ବନ୍ଦ ହୋଇଯାଉଥିବାବେଳେ ଗ୍ରାମାଂଚଳରେ ପଶୁସମ୍ପଦ ବିଶେଷ ଭାବେ ହ୍ରାସ ପାଇଛି। ଚାଷ ଜମିରେ ଘର ନିର୍ମାଣ ସହ ବର୍ଷ ବର୍ଷ ଧରି ଜମି ପଡ଼ିଆ ରଖାଯାଉଛି। ଉର୍ବର ଜମି ମଧ୍ୟ ଏଥିରୁ ବାଦ ପଡ଼ୁନି। ପୂର୍ବରୁ ଶ୍ରମିକଙ୍କୁ ବର୍ଷିକିଆ ଚୁକ୍ତି ଭିତିରେ ନିଯୁକ୍ତି ଦିଆଯାଇ ଧାନ, ମାଣ୍ଡିଆ, ସୁଆଁ ପ୍ରଭୃତି ଭାବେ ଦିଆଯାଉଥିଲା। ଶସ୍ୟ ମାପିବ ବା ପାଇଁ ନଉତି, ଅଡ଼ା ଆଦି ବ୍ୟବହାର କରାଯାଉଥିବାବେଳେ ଏବେ ସବୁ ଟଙ୍କାରେ ହେଉଛି। ଟ୍ରାକ୍ଟରରେ ଜମି ଚାଷ ହେଉଛି। ସମୟ କ୍ରମେ ଅନେକ ପରିବର୍ତନ ଘଟିଛି। ଚାଷ କାମର ଶୈଳୀ ପରିବର୍ତନ ଯୋଗୁଁ ହଳ, ହୁଳହୁଳି, ହଳିଆ ଗୀତ ଏବେ ହଜିଯିବାକୁ ବସିଥିବା ଲକ୍ଷ୍ୟ କରାଯାଇଛି।
.......................................
ହିନ୍ଦୁସ୍ଥାନ ସମାଚାର / ପିକେପି