
ଭୁବନେଶ୍ୱର, ୦୪ ଅଗଷ୍ଟ (ହି.ସ)- ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ୧୦ଟି ଅଗ୍ରଣୀ ଅନୁଷ୍ଠାନ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ କାର୍ଯ୍ୟକ୍ରମ ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗଙ୍କ ଉପସ୍ଥିତିରେ ଭୁବନେଶ୍ୱର ସ୍ଥିତ ଖାରବେଳଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।
ଏହି ସହଯୋଗିତା ମାଧ୍ୟମରେ ଅମୃତା ହସପିଟାଲ୍ ସହାୟତାରେ ଶିଶୁମାନଙ୍କ ହୃଦ୍ ରୋଗର ମାଗଣା ଚିକିତ୍ସା, ସେବାଦାନ ଆରୋଗ୍ୟ ଫାଉଣ୍ଡେସନ୍ ଦ୍ୱାରା ୬ଟି ମେଡିକାଲ କଲେଜରେ ରୋଗୀଙ୍କ ସମ୍ପର୍କୀୟଙ୍କ ପାଇଁ ବିଶ୍ରାମଗୃହ' ନିର୍ମାଣ, ଏବଂ ଆଇଏଫସି ସହଭାଗିତାରେ ସମସ୍ତ ୩୦ଟି ଜିଲ୍ଲାରେ ଆଧୁନିକ ଔଷଧ ସଂରକ୍ଷଣ ଗୋଦାମ ଗୃହ ସ୍ଥାପନ କରାଯିବ। ଏହାସହ ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ଆୟୁର୍ବେଦ (ଏଆଇଆଇଏ) ମାଧ୍ୟମରେ ଆୟୁର୍ବେଦ ଗବେଷଣାର ବିକାଶ, ଆଇ-ହବ୍ ଗୁଜୁରାଟ ଦ୍ୱାରା ସ୍ୱାସ୍ଥ୍ୟ କ୍ଷେତ୍ରରେ ନବସୃଜନ ଓ ଷ୍ଟାର୍ଟଅପ୍ କୁ ପ୍ରୋତ୍ସାହନ, ଟାଟା ଷ୍ଟିଲ୍ ଓ କୈବଲ୍ୟ ଫାଉଣ୍ଡେସନ୍ ର ପ୍ରୋଜେକ୍ଟ ସ୍ୱାସ୍ଥ୍ୟ' ଦ୍ୱାରା ମାତୃ ଓ ଶିଶୁ ମୃତ୍ୟୁହାର ହ୍ରାସ, ଏବଂ କ୍ୟୁସିଆଇ ଦ୍ୱାରା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଲ୍ୟାବ୍ ଗୁଡ଼ିକୁ ଏନଏବିଏଲ ସ୍ୱୀକୃତି ପ୍ରଦାନ କରାଯିବ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ବିକଶିତ ଭାରତ' ସଂକଳ୍ପକୁ ପାଥେୟ କରି, ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଆମ ସରକାର ରାଜ୍ୟର ସ୍ୱାସ୍ଥ୍ୟ ଭିତିଭୂମିକୁ ସୁଦୃଢ଼ କରିବା ପାଇଁ ନିରନ୍ତର ପ୍ରୟାସରତ। ସମସ୍ତ ନାଗରିକଙ୍କ ନିକଟରେ ଗୁଣାତ୍ମକ, ସୁଲଭ ଓ ଆଧୁନିକ ସ୍ୱାସ୍ଥ୍ୟସେବା ପହଂଚାଇବା ପାଇଁ ଆମେ ସଂକଳ୍ପବଦ୍ଧ।
ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ, ଜାତୀୟ ସ୍ୱାସ୍ଥ୍ୟ ମିଶନ, ଓଡ଼ିଶାର ମିଶନ ନିର୍ଦ୍ଦେଶିକା, ସ୍ୱାକ୍ଷରିତ ହୋଇଥିବା ସଂସ୍ଥାଗୁଡ଼ିକର ପ୍ରମୁଖ ଅଧିକାରୀଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା