ରଥଯାତ୍ରା ଆଣ୍ଟି ସ୍ନାଚିଂ ଅଭିଯାନ ୧୭୫ ସ୍ନାଚର ଗିରଫ, ୩୦୪ ମୋବାଇଲ ଉଦ୍ଧାର
ପୁରୀ, ୪ ଅଗଷ୍ଟ (ହି.ସ.) -ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରା ୨୦୨୬ରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସୁରକ୍ଷା, ଶାନ୍ତିଶୃଙ୍ଖଳା ରକ୍ଷା ଏବଂ ଅପରାଧ ନିୟନ୍ତ୍ରଣକୁ ସର୍ବାଧିକ ପ୍ରାଥମିକତା ଦେଇ ପୁରୀ ପୋଲିସ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରିଥିଲା। ପୁରୀ ଏସପି ପ୍ରତୀକ ସିଂଙ୍କ ନେତୃତ
ରଥଯାତ୍ରା ଆଣ୍ଟି ସ୍ନାଚିଂ ଅଭିଯାନ ୧୭୫ ସ୍ନାଚର ଗିରଫ, ୩୦୪ ମୋବାଇଲ ଉଦ୍ଧାର


ରଥଯାତ୍ରା ଆଣ୍ଟି ସ୍ନାଚିଂ ଅଭିଯାନ ୧୭୫ ସ୍ନାଚର ଗିରଫ, ୩୦୪ ମୋବାଇଲ ଉଦ୍ଧାର


ପୁରୀ, ୪ ଅଗଷ୍ଟ (ହି.ସ.) -ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରା ୨୦୨୬ରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସୁରକ୍ଷା, ଶାନ୍ତିଶୃଙ୍ଖଳା ରକ୍ଷା ଏବଂ ଅପରାଧ ନିୟନ୍ତ୍ରଣକୁ ସର୍ବାଧିକ ପ୍ରାଥମିକତା ଦେଇ ପୁରୀ ପୋଲିସ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରିଥିଲା। ପୁରୀ ଏସପି ପ୍ରତୀକ ସିଂଙ୍କ ନେତୃତ୍ୱରେ ଜିଲ୍ଲାର ସମସ୍ତ ପୋଲିସ ଥାନା, ସାଇବର ପୋଲିସ ଥାନାର ସମନ୍ୱିତ ପ୍ରୟାସରେ ଏକ ସ୍ୱତନ୍ତ୍ର ଆଣ୍ଟି ସ୍ନାଚିଂ ଟିମ୍ ଗଠନ କରାଯାଇଥିଲା। ରଥଯାତ୍ରା ସମୟରେ ଜନଗହଳିପୂର୍ଣ୍ଣ ସ୍ଥାନ, ବଡ଼ଦାଣ୍ଡ, ଶ୍ରୀମନ୍ଦିର ପରିସର, ବସ୍ଷ୍ଟାଣ୍ଡ, ସମୁଦ୍ରକୂଳ ଏବଂ ଅନ୍ୟାନ୍ୟ ସମ୍ବେଦନଶୀଳ ସ୍ଥାନରେ ଏହି ଟିମ୍ ସାଦା ପୋଷାକରେ ନିରନ୍ତର ନଜର ରଖିଥିଲେ । ଏହି ସୁପରିକଳ୍ପିତ ଅଭିଯାନର ଫଳସ୍ୱରୂପ ୧୭୫ ଜଣ ସ୍ନାଚରଙ୍କୁ ଗିରଫ କରିବାରେ ପୁରୀ ପୋଲିସ ସଫଳତା ହାସଲ କରିଛି। ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ସଂପୃକ୍ତ ଥାନାରେ ମାମଲା ରୁଜୁ କରାଯାଇ ଆଇନ ଅନୁଯାୟୀ ନ୍ୟାୟାଳୟକୁ ପ୍ରେରଣ କରାଯାଇଛି। ଏହି ସଫଳତା ରଥଯାତ୍ରା ସମୟରେ ସଂଗଠିତ ସ୍ନାଚିଂ ବିରୋଧରେ ପୁରୀ ପୋଲିସର ଦୃଢ଼ ଓ ଶୂନ୍ୟ ସହନଶୀଳତା ନୀତିର ପ୍ରତିଫଳନ। ଅଭିଯାନ ସମୟରେ ୩୦୪ଟି ହଜିଯାଇଥିବା ମୋବାଇଲ ଫୋନ୍ ଉଦ୍ଧାର କରାଯାଇଛି। ଏଥିସହ ବହୁ ସୁନା ଅଳଙ୍କାର, ନଗଦ ଅର୍ଥ, ପର୍ସ, ପରିଚୟପତ୍ର ଓ ଅନ୍ୟାନ୍ୟ ବହୁମୂଲ୍ୟ ସାମଗ୍ରୀ ମଧ୍ୟ ଉଦ୍ଧାର କରାଯାଇଛି। ସମସ୍ତ ଉଦ୍ଧାର ସାମଗ୍ରୀକୁ ଯାଞ୍ଚ ପରେ ପ୍ରକୃତ ମାଲିକଙ୍କୁ ପର୍ଯ୍ୟାୟକ୍ରମେ ଫେରସ୍ତ କରାଯାଉଛି।

ଆଜି ଆୟୋଜିତ ମିସିଂ ମୋବାଇଲ ମେଳା ମାଧ୍ୟମରେ ଅନେକ ନାଗରିକଙ୍କୁ ସେମାନଙ୍କର ହଜିଯାଇଥିବା ମୋବାଇଲ ଫୋନ୍ ହସ୍ତାନ୍ତର କରାଯାଇଛି। ନିଜର ହଜିଯାଇଥିବା ମୋବାଇଲ ଫେରି ପାଇ ନାଗରିକମାନେ ପୁରୀ ପୋଲିସର ତ୍ୱରିତ କାର୍ଯ୍ୟଶୈଳୀ, ପାରଦର୍ଶିତା ଓ ଜନସେବା ମନୋଭାବକୁ ଉଚ୍ଚ ପ୍ରଶଂସା କରିଛନ୍ତି। ରଥଯାତ୍ରା ସମୟରେ ପ୍ରଯୁକ୍ତିର ସଦୁପଯୋଗ କରି ସିସିଟିଭି ନଜରଦାରୀ, ଇଣ୍ଟେଲିଜେନ୍ସ ସଂଗ୍ରହ, ସାଦା ପୋଷାକଧାରୀ ପୋଲିସ, ଦ୍ରୁତ ପ୍ରତିକ୍ରିୟାକାରୀ ଟିମ୍ ଏବଂ ସମସ୍ତ ଥାନାର ସମନ୍ୱିତ କାର୍ଯ୍ୟ ଫଳରେ ଅପରାଧୀମାନଙ୍କୁ ଶୀଘ୍ର ଚିହ୍ନଟ କରି ଗିରଫ କରିବା ସମ୍ଭବ ହୋଇଥିଲା।

ପୁରୀ ପୋଲିସ ନାଗରିକମାନଙ୍କୁ ଅନୁରୋଧ କରୁଛି ଯେ, ଯଦି କାହାର ମୋବାଇଲ ଫୋନ୍ ହଜିଯାଇଛି ଏବଂ ସେ ଏପର୍ଯ୍ୟନ୍ତ ଅଭିଯୋଗ ଦାଖଲ କରିନାହାନ୍ତି କିମ୍ବା ନିଜର ମୋବାଇଲ ଫେରି ପାଇନାହାନ୍ତି, ତେବେ ପୁରୀ ପୋଲିସର 'ସହାୟକ'ହ୍ଵାଟ୍ସଆପ ଚଟବଟ (୮୭୬୩୧୯୯୪୦୦) ମାଧ୍ୟମରେ ସହଜରେ ନିଜର ଅଭିଯୋଗ ପଞ୍ଜୀକରଣ କରନ୍ତୁ। ଏହି ସେବା ମାଧ୍ୟମରେ ଘରେ ବସି ମୋବାଇଲ ହଜିବା ସମ୍ପର୍କିତ ଅଭିଯୋଗ ଦାଖଲ କରାଯାଇପାରିବ। ରଥଯାତ୍ରା ୨୦୨୬ରେ ଏହି ସଫଳତା କେବଳ ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନର ଉଦାହରଣ ନୁହେଁ, ବରଂ ସିଟିଜେନ ଫାଷ୍ଟ ନୀତିକୁ ଆଧାର କରି ପୁରୀ ପୋଲିସର ଜନମୁଖୀ କାର୍ଯ୍ୟଧାରାର ମଧ୍ୟ ପ୍ରତିଫଳନ। ହଜିଯାଇଥିବା ସାମଗ୍ରୀକୁ ପ୍ରକୃତ ମାଲିକଙ୍କୁ ଫେରାଇବା ମାଧ୍ୟମରେ ପୋଲିସ ପ୍ରତି ସାଧାରଣ ଲୋକଙ୍କ ବିଶ୍ୱାସ ଆହୁରି ସୁଦୃଢ଼ ହୋଇଛି। ଆଗାମୀ ଦିନରେ ମଧ୍ୟ ପୁରୀ ପୋଲିସ ଜନସାଧାରଣଙ୍କ ସୁରକ୍ଷା, ଅପରାଧ ନିୟନ୍ତ୍ରଣ ଏବଂ ଦ୍ରୁତ ଜନସେବା ପ୍ରଦାନ ପାଇଁ ସମାନ ନିଷ୍ଠା ଓ ଦାୟିତ୍ୱବୋଧ ସହ କାର୍ଯ୍ୟ କରିବ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande