ଜିଲ୍ଲା ଖଣିଜ ପାଣ୍ଠିର ୨୪ତମ କାର୍ଯ୍ୟନିର୍ବାହୀ କମିଟି ବୈଠକ ଅନୁଷ୍ଠିତ
24th annual meeting of dmf
24th annual meeting


ଝାରସୁଗୁଡ଼ା, ୦୫, ଅଗଷ୍ଟ (ହି.ସ.)- ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଖଣିଜ ପାଣ୍ଠିର ୨୪ତମ କାର୍ଯ୍ୟନିର୍ବାହୀ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପ୍ରାୟ ୪୮ କୋଟି ଟଙ୍କା ବ୍ୟୟବରାଦରେ ୧୭୭ଟି ବିଭିନ୍ନ ବିକାଶମୂଳକ ପ୍ରସ୍ତାବକୁ ଅନୁମୋଦନ ପ୍ରଦାନ କରାଯାଇଛି। ଏହି ବୈଠକରେ ଜିଲ୍ଲାର ବହୁବିଧ ବିକାଶ ପାଇଁ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଭାଗ, ଯେପରିକି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗ ଅଧୀନରେ ବିଭିନ୍ନ କାର୍ଯ୍ୟକ୍ରମ କରାଯିବ। ବିଶେଷ କରି ଭିତ୍ତିଭୂମିର ବିକାଶ, ବିଦ୍ୟାଳୟଗୁଡ଼ିକର ରୂପାନ୍ତରଣ ଓ ନବୀକରଣ, ଆଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର ଭିତ୍ତିଭୂମି ସୁଦୃଢ଼ୀକରଣ, ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ବସ୍ ସେବା, ଦକ୍ଷତା ବିକାଶ ତାଲିମ ଏବଂ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ମୋବାଇଲ ମେଡିକାଲ ୟୁନିଟର ପ୍ରସାର ଉପରେ ବିଶେଷ ପ୍ରାଥମିକତା ଦିଆଯାଇଛି। ବୈଠକରେ ସମୀକ୍ଷା କରି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ଯେ, ଏହି ସମସ୍ତ ପ୍ରକଳ୍ପ ଓ ଯୋଜନାର ସଫଳତା ଯେପରି ପ୍ରତ୍ୟକ୍ଷ ଭାବେ ଖଣି ପ୍ରଭାବିତ ଅଞ୍ଚଳର ପରିବାରଗୁଡ଼ିକ ପାଖରେ ପହଞ୍ଚିପାରିବ, ସେଥିପ୍ରତି ସ୍ବତନ୍ତ୍ର ଧ୍ୟାନ ଦେବାକୁ ହେବ। ବିଶେଷ କରି ସ୍ବାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ଗ୍ରାମୀଣ ତଥା ଖଣି ଅଞ୍ଚଳର ଲୋକଙ୍କୁ ପ୍ରାଥମିକ ସେବା ଯୋଗାଇବା ଆମର ମୁଖ୍ୟ ଲକ୍ଷ୍ୟ ହେବା ଆବଶ୍ୟକ ବୋଲି କହିଛନ୍ତି। ଏହି ବୈଠକରେ ଝାରସୁଗୁଡ଼ା ବି.ଡି.ଓ ଶ୍ରୀ ଅନିଲ କୁମାର ଆଚାର୍ଯ୍ୟ, ସମ୍ବଲପୁର ଖଣି ମଣ୍ଡଳର ଉପ-ନିର୍ଦ୍ଦେଶକ (ଖଣି), ଏସ୍.ଡି.ଆଇ.ପି ଆର୍ ଓ. କୃଷ୍ଣକେଶୀ ବଳିୟାରସିଂହ, ନିର୍ବାହୀ ଯନ୍ତ୍ରୀ ଆର୍ ଡବ୍ଲୁ ଏସ ଏସ ଭାରପ୍ରାପ୍ତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ବାସ୍ଥ୍ୟ ବିଭାଗର ଅଧିକାରୀ ସମେତ ଅନ୍ୟାନ୍ୟ ପ୍ରମୁଖ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଓ ଜିଲ୍ଲା ଖଣିଜ ପାଣ୍ଠିର କର୍ମଚାରୀ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande