

ଖୋର୍ଦ୍ଧା, ୦୫ ଅଗଷ୍ଟ (ହି.ସ.) - ୧୬ ନମ୍ବର ଜାତୀୟ ରାଜପଥ ରେ ଦୃତ ଗତିରେ ଚାଲିଥିଲା ଡାକ୍ତର ଲୋଗୋ ଲାଗିଥିବା ହୁଣ୍ଢାଇ କାର। ଗାଡି ଭିତରେ ଡାକ୍ତର ଭଳି ବସିଥିଲେ ଦୁଇ ଜଣ ଗଞ୍ଜେଇ ବେପାରୀ। କନ୍ଧମାଳ ବାଲିଗୁଡାରୁ ଗୋଟିଏ ପରେ ଗୋଟିଏ ଜିଲ୍ଲା ଅତିକ୍ରମ କରି ଗାଡି ପ୍ରବେଶ କରିଥିଲା ଖୋର୍ଦ୍ଧା ଜିଲ୍ଲାରେ । ତେବେ ଖୋର୍ଦ୍ଧା ଜିଲ୍ଲାରେ ପ୍ରବେଶ କରିବା ପୂର୍ବରୁ ଟାଙ୍ଗୀ ପୋଲିସକୁ ଏକ ବିଶେଷ ସୂତ୍ରରୁ ସୁରାକ୍ ମିଳିଥିଲା। ସୁରାକ୍ ମିଳିବା ପରେ ଟାଙ୍ଗୀ ପୋଲିସ ତତ୍ପର ହୋଇ ପଡିଥିଲା। ପରେ ଟାଙ୍ଗୀ ଥାନା ଆଇ ଆଇସି ନେତୃତ୍ୱରେ ଦୁଇଟି ଟିମ୍ ଡାକ୍ତର ଲୋଗୋ ଲଗାଯାଇଥିବା ଗାଡିକୁ ପ୍ରଥମେ ଅଟକାଇ ଥିଲେ। ଡାକ୍ତର ଲୋଗୋ ଥିବା ଗାଡିକୁ କାବୁ କରିଥିଲା। ପରେ ଉକ୍ତ ଗାଡିକୁ ଏସକ୍ଟ କରୁଥିବା ଆଉ ଏକ ବୋଲେରୋ ଗାଡିକୁ ମଧ୍ୟ ଟାଙ୍ଗୀ ପୋଲିସ କୁହୁଡି ଫାଣ୍ଡି ନିକଟରେ ମାଡ଼ି ବସିଥିଲା। ଗାଡି ଦୁଇଟିକୁ ତନଖି କରିବା ପରେ ଡାକ୍ତର ଲୋଗୋ ଥିବା ଗାଡିରୁ ୧୬ଟି ସିଲ୍ ପ୍ୟାକେଟରୁ ୩୨ କେଜି ଗଞ୍ଜେଇ ଜବତ କରିଛି ଟାଙ୍ଗୀ ପୋଲିସ।ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗ ରେ ଏସକ୍ଟ ଦେଉଥିବା ବୋଲେରୋ ସହ ହୁଣ୍ଡାଇ କାର ଜବତ କରିବା ସହ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ କନ୍ଧମାଳ ଜିଲ୍ଲା ବାଲିଗୁଡା ଅଂଚଳ ରବାପିନା ମଲିକ ୨୩ ବର୍ଷ, ଦୀପକ ମଳିକ ୨୦ ବର୍ଷ,ପରୀକ୍ଷିତ ମଲିକ ୨୫ ବର୍ଷ,ସଂଜୀବ କୁମାର ମଲିକ ୩୯ ବର୍ଷ, ଜୟରାମ ପ୍ରଧାନ ୨୫ ବର୍ଷ ଓ ସଦାନନ୍ଦ ମଲିକ ୨୭ ବର୍ଷ ଏହି ଚଢ଼ାଉ ରେ ଆଇ ଆଇ ସି ରବିନ୍ଦ୍ର କୁମାର ଭୁଜବଳଙ୍କ ସମେତ ଏଏସଆଇ ତପନ କୁମାର ନାୟକ,ବସନ୍ତ କୁମାର ବେହେରା, ସୂର୍ଯ୍ୟକାନ୍ତ ମହାପାତ୍ର, ଅରୁଣ କୁମାର ବାରିକ,ପ୍ରଭଞ୍ଜନ ବେହେରା ପ୍ରମୁଖ ସାମିଲ ହୋଇଥିଲେ। ଜବତ ଗଞ୍ଜେଇ ଗୁଡିକ ଟାଙ୍ଗୀ ତହସିଲଦାର ସନାତନ ମଳିକଙ୍କ ଉପସ୍ଥିତରେ ଓଜନ କରାଯାଇ ଜବତ କରାଯାଇଛି।
ହିନ୍ଦୁସ୍ଥାନ ସମାଚାର / ରାକେଶ