ବେଲପାହାଡ଼ରେ ପୁଣି ଗଞ୍ଜେଇ ଜବତ : ୬.୨୭୦ କେଜି ସହ ଆନ୍ତଃରାଜ୍ୟ ନିଶା ବ୍ୟବସାୟୀ ଗିରଫ
6 kilo ganja seized with one arrest
6 kg ganga seized


ଝାରସୁଗୁଡ଼ା, ୫ ଅଗଷ୍ଟ (ହି.ସ.) ରାଜ୍ୟବ୍ୟାପୀ ଚାଲିଥିବା ‘ନିଶାମୁକ୍ତ ଓଡ଼ିଶା’ ଅଭିଯାନ ଅନ୍ତର୍ଗତ ବେଲପାହାଡ଼ ପୋଲିସ ପୁଣି ଏକ ସଫଳତା ହାସଲ କରିଛି। ଗୁପ୍ତ ସୂଚନା ଆଧାରରେ ଚଢ଼ାଉ କରି ପୋଲିସ ୬ କେଜି ୨୭୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ଜଣେ ଆନ୍ତଃରାଜ୍ୟ ନିଶା ବ୍ୟବସାୟୀଙ୍କୁ ଗିରଫ କରିଛି।

ଗିରଫ ଅଭିଯୁକ୍ତ ସୁଭମ ଭୋଇ (୧୯) ବୌଦ୍ଧ ଜିଲ୍ଲା ସାଲେଇସିଂ ଗ୍ରାମପଂଚାୟତ ଅନ୍ତର୍ଗତ ବାଘିଆପଡ଼ା ଗ୍ରାମର ବାସିନ୍ଦା ବୋଲି ପୋଲିସ ସୂଚନା ଦେଇଛି।

ସୂଚନାନୁସାରେ, ୪ ଅଗଷ୍ଟରେ ବେଲପାହାଡ଼ ଥାନା ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ଜଣେ ବ୍ୟକ୍ତି ବେଆଇନ ଭାବେ ଗଞ୍ଜେଇ ନେଇ ବିକ୍ରି ଉଦ୍ଦେଶ୍ୟରେ ଯାଉଥିବା ସମ୍ପର୍କରେ ଗୁପ୍ତ ସୂଚନା ପାଇଥିଲା। ଏହାପରେ ସବ୍-ଇନ୍ସପେକ୍ଟର ଚିତରଞ୍ଜନ ମହାନନ୍ଦିଆଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ପୋଲିସ ଟିମ୍ ସନ୍ଦିଗ୍ଧଙ୍କୁ ଅଟକାଇ ଯାଂଚ କରିଥିଲା। ଯାଂଚ ବେଳେ ତାଙ୍କ ନିକଟରୁ ୬ କେଜି ୨୭୦ ଗ୍ରାମ ଗଞ୍ଜେଇ ଜବତ ହୋଇଥିଲା।

ପୋଲିସ ସୂଚନା ଅନୁଯାୟୀ, ଜବତ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୬୩ ହଜାର ଟଙ୍କା। ଏଥିସହ ଅଭିଯୁକ୍ତଙ୍କ ନିକଟରୁ ଏକ ମୋବାଇଲ ଫୋନ ଓ ୨୬୦ ଟଙ୍କା ନଗଦ ମଧ୍ୟ ଜବତ କରାଯାଇଛି।

ଏନେଇ ବେଲପାହାଡ଼ ଥାନାରେ କେସ୍ ନମ୍ବର–୧୫୮ ଅନୁଯାୟୀ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

ଉଲ୍ଲେଖଯୋଗ୍ୟ, ଗତକାଲି ମଧ୍ୟ ବେଲପାହାଡ଼ ପୋଲିସ ମହାରାଷ୍ଟ୍ରର ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ତାଙ୍କ ନିକଟରୁ ୯ କେଜି ଗଞ୍ଜେଇ ଜବତ କରିଥିଲା। ଲଗାତାର ଦୁଇ ଦିନରେ ଏଭଳି ସଫଳତା ବେଲପାହାଡ଼ ଅଂଚଳରେ ନିଶା କାରବାର ବିରୋଧରେ ପୋଲିସର କଡ଼ା ଆଭିମୁଖ୍ୟକୁ ସ୍ପଷ୍ଟ କରିଥିବାବେଳେ ନିଶା ବ୍ୟବସାୟୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିଛି।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande