ଜମି ରେଜିଷ୍ଟ୍ରେସନରେ ଅନିୟମିତତା ଅଭିଯୋଗ: ରାଜସ୍ୱ ବିଭାଗୀୟ ତଦନ୍ତ ଦାବି
Allegations for illegally registration
ଜମି ରେଜିଷ୍ଟ୍ରେସନରେ ଅନିୟମିତତା ଅଭିଯୋଗ: ରାଜସ୍ୱ ବିଭାଗୀୟ ତଦନ୍ତ ଦାବି


ଝାରସୁଗୁଡା, ୫, ଅଗଷ୍ଟ (ହି.ସ.) -ଝାରସୁଗୁଡା ଜିଲ୍ଲାର ଲଖନପୁର ବ୍ଲକ ଅନ୍ତର୍ଗତ କୁଡ଼ାଲୋଇ ଅଞ୍ଚଳରେ ପ୍ରସ୍ତାବିତ କୋଇଲା ଖଣି ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ନେଇ ଜମି ରେଜିଷ୍ଟ୍ରେସନରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ଉଠିଛି। ଏହାର ନିରପେକ୍ଷ ତଦନ୍ତ କରିବା ସହ ଦୋଷୀଙ୍କ ବିରୋଧରେ କଡ଼ା ପଦକ୍ଷେପ ନେବାକୁ ବୁଧବାର କାପୁମାଲସ୍ଥିତ ଗଣ୍ଡୱାନା ଭବନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ବିଭିନ୍ନ ସଙ୍ଗଠନର ପ୍ରତିନିଧିମାନେ ଦାବି କରିଛନ୍ତି।

ସମ୍ମିଳନୀରେ କୁହାଯାଇଛି ଯେ, ଅଧିକ କ୍ଷତିପୂରଣ ଓ ବିସ୍ଥାପନ ସୁବିଧା ହାସଲ କରିବା ଉଦ୍ଦେଶ୍ୟରେ ବଞ୍ଜାରୀ, ବର୍ତ୍ତାପ, କୁଡ଼ାଲୋଇ ଓ ପିପିଲିମାଳ ଅଞ୍ଚଳରେ କେତେକ ଜମି ଦଲାଲ ସକ୍ରିୟ ହୋଇପଡ଼ିଛନ୍ତି। ଏହି ଘଟଣାରେ ପ୍ରଶାସନିକ ସ୍ତରରେ ମଧ୍ୟ ସହଯୋଗ ମିଳୁଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ, କୁଡ଼ାଲୋଇ ମୌଜା ପରଧିଆପଡ଼ାର ଏକଜିମାଳୀ ଖାତା ନମ୍ବର–୧୭୩ର ପ୍ଲଟ ନମ୍ବର–୭୩୧ର ୧୦ ଡେସିମିଲ ଜମିକୁ ସହ-ଅଂଶୀଦାର ସୁରତ କୁମୁରା ଓ ବାବୁଲାଲ କୁମୁରାଙ୍କ ଅଜାଣତରେ ଅନ୍ୟ ଅଂଶୀଦାର ପ୍ରେମସିଲା ଦେହେରି ବେଲପାହାଡ଼ର ଅଭିନାଶ ଖଡ଼ିଆଙ୍କ ନାମରେ ବିକ୍ରି କରିଦେଇଥିବା ଦାବି କରାଯାଇଛି।

ଅଭିଯୋଗକାରୀଙ୍କ କହିବାନୁସାରେ, ବିକ୍ରେତାଙ୍କୁ ମାତ୍ର ୯୦ ହଜାର ଟଙ୍କା ପ୍ରଦାନ କରାଯାଇଥିବା ବେଳେ ରେଜିଷ୍ଟ୍ରି ଦସ୍ତାବିଜରେ ଜମିର ମୂଲ୍ୟ ୩ ଲକ୍ଷ ଟଙ୍କା ଦର୍ଶାଯାଇଛି। ଏହାଛଡ଼ା ରେଜିଷ୍ଟ୍ରେସନର ମାତ୍ର ପାଞ୍ଚ ଦିନ ପରେ, ଜୁଲାଇ ୨୨ରେ ସମ୍ପୃକ୍ତ ଜମି ପାଇଁ ୧୧(୧) ନୋଟିଫିକେସନ ପ୍ରକାଶ ପାଇଥିବାରୁ ସନ୍ଦେହ ଆହୁରି ଘନୀଭୂତ ହୋଇଛି। ସେହିପରି, ସହ-ଅଂଶୀଦାରମାନଙ୍କୁ କୌଣସି ନୋଟିସ ନଦେଇ ଏବଂ ସେମାନଙ୍କ ସମ୍ମତି ବିନା କ୍ରେତାଙ୍କ ନାମକୁ ଆରଓଆରରେ ଦରଜ କରାଯାଇଥିବା ଅଭିଯୋଗ ମଧ୍ୟ ଉଠିଛି। ଏହା ଫଳରେ ଆଗାମୀ ଦିନରେ ପରିବାର ମଧ୍ୟରେ ବିବାଦ ସୃଷ୍ଟି ହେବାର ଆଶଙ୍କା ଥିବା ବକ୍ତାମାନେ ପ୍ରକାଶ କରିଛନ୍ତି।

ଏହି ଘଟଣାର ତୁରନ୍ତ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଆଇନାନୁଗ ପଦକ୍ଷେପ ନେବାକୁ ରାଜସ୍ୱ ବିଭାଗ ହସ୍ତକ୍ଷେପ କରିବା ପାଇଁ ସମ୍ମିଳନୀରେ ଦାବି କରାଯାଇଛି। ଏଥିରେ ଗୋପୀନାଥ ମାଝୀ, ସଙ୍କୀର୍ତ୍ତନ କୁମୁରା, ବିରଞ୍ଚି ସାହୁ, ଶ୍ୟାମଲାଲ ନାଏକ, ମୁକ୍ତେଶ୍ୱର ବାଡ଼େଇ, ସୁରାନ ରାଉତ ଓ ବସୁଦେବ ଧୁରୁଆ ପ୍ରମୁଖ ଉପସ୍ଥିତ ଥିଲେ।

ଏ ସମ୍ପର୍କରେ ଲଖନପୁର ତହସିଲଦାର ପ୍ରସନ୍ନ ପଟେଲ କହିଛନ୍ତି ଯେ, ଘଟଣାର ତଦନ୍ତ କରାଯିବ। ତଦନ୍ତରେ କୌଣସି ବେଆଇନ କାର୍ଯ୍ୟ ହୋଇଥିବା ପ୍ରମାଣିତ ହେଲେ ସମ୍ପୃକ୍ତଙ୍କ ବିରୋଧରେ ଆଇନ ଅନୁଯାୟୀ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande