ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଅଧ୍ୟାପକଙ୍କୁ ବିଜେପି ବିଧାୟକଙ୍କ ଗାଳିଗୁଲଜକୁ ନିନ୍ଦା କଲା ବିଜେଡି
ଭୁବନେଶ୍ବର , 05 ଅଗଷ୍ଟ (ହି.ସ.) - ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଅଧ୍ୟାପକଙ୍କୁ କଟକ ସଦରର ବିଜେପି ବିଧାୟକ ପ୍ରକାଶ ସେଠୀଙ୍କ ଗାଳିଗୁଲଜକୁ କଡ଼ା ଭାଷାରେ ନିନ୍ଦା କରିଛି ବିଜୁ ଜନତା ଦଳ । ଆଜି ବିଜୁ ଜନତା ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି ଏକ ପ୍ରେସ୍ ବିବୃତିରେ କହିଥିଲେ
ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଅଧ୍ୟାପକଙ୍କୁ ବିଜେପି ବିଧାୟକଙ୍କ ଗାଳିଗୁଲଜକୁ ନିନ୍ଦା କଲା ବିଜେଡି


ଭୁବନେଶ୍ବର , 05 ଅଗଷ୍ଟ (ହି.ସ.) - ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଅଧ୍ୟାପକଙ୍କୁ କଟକ ସଦରର ବିଜେପି ବିଧାୟକ ପ୍ରକାଶ ସେଠୀଙ୍କ ଗାଳିଗୁଲଜକୁ କଡ଼ା ଭାଷାରେ ନିନ୍ଦା କରିଛି ବିଜୁ ଜନତା ଦଳ । ଆଜି ବିଜୁ ଜନତା ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି ଏକ ପ୍ରେସ୍ ବିବୃତିରେ କହିଥିଲେ ଯେ, ରେଭେନ୍ସା ବିଶ୍ୱବିଦ୍ୟାଳୟ କେବଳ ଓଡ଼ିଶାର ସର୍ବପୁରାତନ ଉଚ୍ଚଶିକ୍ଷା ଅନୁଷ୍ଠାନମାନଙ୍କ ମଧ୍ୟରୁ ଅନ୍ୟତମ ନୁହେଁ, ବରଂ ଏହା ଏକ ଜାତୀୟ ସ୍ତରର ଶିକ୍ଷାନୁଷ୍ଠାନ । ଶତାବ୍ଦୀରୁ ଅଧିକ ସମୟ ଧରି ଅସଂଖ୍ୟ ବିଦ୍ୱାନ, ପ୍ରଶାସକ, ବୈଜ୍ଞାନିକ, କଳାକାର ଏବଂ ଜନନେତାଙ୍କୁ ରେଭେନ୍ସା ଗଢ଼ି ତୋଳିଛି । ବିଶ୍ୱବିଦ୍ୟାଳୟର ଆଭ୍ୟନ୍ତରୀଣ ବିଷୟକୁ ରାଜନୀତିକରଣ କରିବା କିମ୍ୱା ଏହାର ଗାରିମାକୁ କ୍ଷୁଣ୍ଣ କରିବାର ପ୍ରୟାସ ଅତ୍ୟନ୍ତ ନିନ୍ଦନୀୟ ।

ଡ଼ ଲେନିନ ମହାନ୍ତି କହିଥିଲେ ଯେ, କଟକ ସଦରର ବିଜେପି ବିଧାୟକ ଶ୍ରୀ ପ୍ରକାଶ ସେଠୀ କୁଳପତି, ପୂର୍ବ ଛାତ୍ରାବାସର ଅନ୍ତେବାସୀ, ଅଧ୍ୟାପକ, ପୂର୍ବ ଛାତ୍ରାବାସ ଓ ନୂତନ ପିଜି ଛାତ୍ରାବାସର ୱାର୍ଡେନମାନଙ୍କ ଉପସ୍ଥିତିରେ ମୁଖ୍ୟ ୱାର୍ଡେନ ପ୍ରଫେସର ସୁଦର୍ଶନ ମିଶ୍ରଙ୍କୁ ଗାଳିଗୁଲଜ କରିଥିଲେ । ଜଣେ ବରିଷ୍ଠ ଶିକ୍ଷାବିତ୍ ଓ ପ୍ରଶାସନିକ ଅଧିକାରୀଙ୍କ ପ୍ରତି ବିଧାୟକଙ୍କ ଏଭଳି ବ୍ୟବହାର ସଭ୍ୟ ସମାଜରେ ଗ୍ରହଣୀୟ ନୁହେଁ । ରେଭେନ୍ସା ବିଶ୍ୱବିଦ୍ୟାଳୟର ରେସିଡେଣ୍ଟସ୍ କମିଟି ମଧ୍ୟ ମୁଖ୍ୟ ୱାର୍ଡେନଙ୍କୁ କରାଯାଇଥିବା ଗାଳିଗୁଲଜକୁ ଦୃଢ଼ ନିନ୍ଦା କରିଛି । କମିଟି କହିଛି ଯେ, ଏହି ଘଟଣା ସମସ୍ତଙ୍କୁ ମର୍ମାହତ କରିଛି । ବିଶ୍ୱବିଦ୍ୟାଳୟର ଗାରିମାକୁ ସର୍ବଦା ଅକ୍ଷୁଣ୍ଣ ରଖିବା ସହ ବିଶ୍ୱବିଦ୍ୟାଳୟ ପରିସରରେ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ କମିଟି ଦାବି କରିଛି । ଶିକ୍ଷାନୁଷ୍ଠାନ ହେଉଛି ଏପରି ସ୍ଥାନ, ଯେଉଁଠାରେ ଆଲୋଚନା, ବିତର୍କ ଏବଂ ପାରସ୍ପରିକ ସମ୍ମାନ ମାଧ୍ୟମରେ ଚିନ୍ତାଧାରାର ବିକାଶ ହୋଇଥାଏ । ରେଭେନ୍ସା ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଅଧ୍ୟାପକମାନେ ପରିପକ୍ୱ, ଦାୟିତ୍ୱବାନ ଏବଂ ନିଜ ସମସ୍ୟାର ସମାଧାନ ଶାନ୍ତିପୂର୍ଣ୍ଣ ଆଲୋଚନା ମାଧ୍ୟମରେ କରିବାକୁ ସକ୍ଷମ । ସମ୍ୱେଦନଶୀଳ କ୍ୟାମ୍ପସ ପ୍ରସଙ୍ଗରୁ ରାଜନୈତିକ ଫାଇଦା ହାସଲ କରିବା ପାଇଁ ବିଜେପି ବିଧାୟକ ପ୍ରକାଶ ସେଠୀଙ୍କ ଏପରି କାର୍ଯ୍ୟକଳାପ ସମ୍ପୂର୍ଣ୍ଣ ଅସଙ୍ଗତ ।

ଡ଼ ମହାନ୍ତି ଆହୁରି କହିଥିଲେ ଯେ, ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଥିବା ହଷ୍ଟେଲଗୁଡ଼ିକର ମୁଖ୍ୟ ୱାର୍ଡେନ ପ୍ରଫେସର ସୁଦର୍ଶନ ମିଶ୍ରଙ୍କୁ ବିଜେପି ବିଧାୟକ ପ୍ରକାଶ ସେଠୀ ଗାଳିଗୁଲଜ କରିଥିବାରୁ, ଏହାକୁ ନେଇ ୱାର୍ଡେନ, ଉପ ୱାର୍ଡେନ, ଉପ ମୁଖ୍ୟ ୱାର୍ଡେନ ଏବଂ ହଷ୍ଟେଲ ଦାୟିତ୍ୱରେ ଥିବା ଅଧ୍ୟାପକମାନେ ଗଣଇସ୍ତଫା ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହିଭଳି ପଦକ୍ଷେପ ଘଟିଥିବା ଘଟଣାର ଗମ୍ଭୀରତା ଏବଂ ସମଗ୍ର ବିଶ୍ୱବିଦ୍ୟାଳୟ ସମ୍ପ୍ରଦାୟ ମଧ୍ୟରେ ବିରାଜମାନ ଗଭୀର କ୍ଷୋଭ ଓ ଉଦ୍ବେଗର ପ୍ରତିଫଳନ କରୁଛି । ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟର ଗାରିମାକୁ ଅକ୍ଷୁଣ୍ଣ ରଖିବାକୁ ସର୍ବଦା ଚେଷ୍ଟିତ ବିଜୁ ଜନତା ଦଳ । ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଶିକ୍ଷା, ନବସୃଜନ, ଗବେଷଣା ଓ ବୌଦ୍ଧିକ ଆଦାନ ପ୍ରଦାନର କେନ୍ଦ୍ର ହୋଇ ରହିବା ଉଚିତ । ସେଥିରେ ଦଳୀୟ ରାଜନୈତିକ ହସ୍ତକ୍ଷେପ କରିବା ସମ୍ପୂର୍ଣ୍ଣ ଅନୁଚିତ । ରେଭେନ୍ସା ବିଶ୍ୱବିଦ୍ୟାଳୟ ସମେତ ଓଡ଼ିଶାର ସମସ୍ତ ଉଚ୍ଚଶିକ୍ଷାନୁଷ୍ଠାନର ଗାରିମାକୁ ଅକ୍ଷୁଣ୍ଣ ରଖିବା ସହ ଶିକ୍ଷାନୁଷ୍ଠାନ ପରିସରରେ ଶାନ୍ତିଶୃଙ୍ଖଳା ବଜାୟ ରଖାଯାଉ । ରାଜନୈତିକ ଫାଇଦା ହାସଲ ପାଇଁ ଶିକ୍ଷାର ମନ୍ଦିରକୁ ଜନପ୍ରତିନିଧି ମାନେ ଅପରିଷ୍କାର ନ କରନ୍ତୁ । ଛାତ୍ରଛାତ୍ରୀ ଓ ଅଧ୍ୟାପକମାନଙ୍କ ମଧ୍ୟରେ ଆଲୋଚନା, ବିଚାରବିମର୍ଶ ଏବଂ ସହଯୋଗ ମାଧ୍ୟମରେ ଶିକ୍ଷାକୁ ଆଗକୁ ବଢ଼ିବାକୁ ଦିଆଯାଉ । ଶିକ୍ଷାନୁଷ୍ଠାନ ଗୁଡ଼ିକରେ ରାଜନୈତିକ ହସ୍ତକ୍ଷେପ ବନ୍ଦ କରିବା ପାଇଁ ରାଜ୍ୟ ସରକାର ଧ୍ୟାନ ଦିଅନ୍ତୁ ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande