
କେନ୍ଦୁଝର, 05 ଅଗଷ୍ଟ (ହି.ସ.) କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ ହୋଇ ପାଞ୍ଚ ଦିନ ଧରି ଅଲୋଡ଼ା ହୋଇ ପଡ଼ିଥିବା ଦୁଇ ଅଜଣା ଶବସତ୍କାର କରି ସମାଜ ପାଇଁ ଉଦାହରଣ ପାଲଟିଛି ଅଗ୍ରଣୀ ସ୍ୱେଚ୍ଛାସେବୀ ସଙ୍ଗଠନ ଭରସା ପରିବାର ଟ୍ରଷ୍ଟ । ଏ ଦୁଇ ଅଲୋଡ଼ା ଶବକୁ ମିଶାଇଲେ ଏପର୍ଯ୍ଯନ୍ତ ୧୭୩ ଟି ଶବସତ୍କାର କରିସାରିଲେଣି ସଙ୍ଗଠନର କର୍ମକର୍ତ୍ତା । ସଙ୍ଗଠନର ପ୍ରତିଷ୍ଠାତା ତଥା ସଭାପତି ଲମ୍ବୋଦର ମହାନ୍ତଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପ୍ରମୁଖ କର୍ମକର୍ତ୍ତା ସେକ ତହିଦ, ଗୌତ୍ତମ ଦାସ, ପୋଲିସ କର୍ମଚାରୀ ରାଜେନ୍ଦ୍ର ସାହୁ, ମେଡିକାଲ ଫାଣ୍ଡି ଅଧିକାରୀ ଅନାମ ମହାନ୍ତ, ଶ୍ମଶାନ ରକ୍ଷକ ସିଦ୍ଧେଶ୍ୱର ନାଏକ ପ୍ରମୁଖ ସହିତ ଅନ୍ୟାନ୍ୟ କର୍ମକର୍ତ୍ତା ଶବକୁ ସମ୍ମାନପୂର୍ବକ ମେଡିକାଲ ଶବବ୍ୟବଚ୍ଛେଦ ଗୃହରୁ ଧାଙ୍ଗରପଡ଼ାସ୍ଥିତ ଆଦର୍ଶ ଶ୍ମଶାନକୁ ନେଇ ପ୍ରଶାସନିକ ନିୟମ ଅନୁସାରେ ମାଜିଷ୍ଟ୍ରେଟ ଉପସ୍ଥିତିରେ ବିଦ୍ଧି ମୁତାବକ ଅନ୍ତେଷ୍ଟି କ୍ରିୟା କରି ସମାଜ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । ବିଭିନ୍ନ ସମୟରେ ଶବସତ୍କାର ପାଇଁ ମହାପ୍ରୟାଣ ଯାନ ମିଳୁ ନଥିବାରୁ ଶବକୁ ପିକଅପ ଗାଡ଼ି ମାଧ୍ୟମରେ ଶ୍ମଶାନକୁ ନେବା ପାଇଁ ପଡୁଥିବାରୁ ସଙ୍ଗଠନକୁ ପ୍ରଶାସନ ପକ୍ଷରୁ ଏକ ମହାପ୍ରୟାଣ ଗାଡି ଯୋଗାଇ ଦେବାକୁ ସଭାପତି ଲମ୍ବୋଦର ମହାନ୍ତ ସମେତ ପ୍ରତ୍ୟେକ କର୍ମକର୍ତ୍ତା ଅନୁରୋଧ କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA