
ମାଲକାନଗିରି , ୫ ଅଗଷ୍ଟ (ହି.ସ.)
ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳ ବିକାଶର କଥା ବାରମ୍ବାର ସରକାରୀ ମଞ୍ଚରେ ଉଚ୍ଚାରଣ ହେଉଛି। ସେତୁ, ରାସ୍ତା ଓ ଭିତ୍ତିଭୂମି ବିକାଶ ପାଇଁ କୋଟି କୋଟି ଟଙ୍କା ବ୍ୟୟ ହେଉଥିବା ଦାବି କରାଯାଉଛି। କିନ୍ତୁ ଚିତ୍ରକୋଣ୍ଡା ବ୍ଲକ ଅଣ୍ଡ୍ରାପାଲ୍ଲୀ ପଞ୍ଚାୟତର ରାମଗୁଡ଼ା–ଘୁଷୁମପଦର–ଅଣ୍ଡ୍ରାପାଲ୍ଲୀ–ପଣଷପୁଟକୁ ସଂଯୋଗ କରୁଥିବା ଆର୍.ଡି. ରାସ୍ତାର ପୋଲ ଭାଙ୍ଗିଯିବାର ଦୁଇ ବର୍ଷ ପରେ ମଧ୍ୟ ଏହାର ପୁନର୍ନିର୍ମାଣ ହୋଇନଥିବା ଘଟଣା ଅନେକ ପ୍ରଶ୍ନ ସୃଷ୍ଟି କରିଛି।
୨୦୨୪ ଅଗଷ୍ଟ ୩ ତାରିଖରେ ଲଗାଣ ବର୍ଷାରେ ପୋଲଟି ଭୁଶୁଡ଼ି ପଡ଼ିଥିଲା। ୨୦୨୬ ଅଗଷ୍ଟ ୩ରେ ଦୁଇ ବର୍ଷ ପୂରଣ ହେଲା। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ଏହି ସମୟ ମଧ୍ୟରେ ତିନିଜଣ ବିଡିଓ, ଆର୍.ଡି. ବିଭାଗର ଯନ୍ତ୍ରୀ, ସ୍ଥାନୀୟ ବିଧାୟକ ଏବଂ କ୍ରମାଗତ ତିନିଜଣ ଜିଲ୍ଲାପାଳଙ୍କ ଜନଶୁଣାଣୀରେ ଅଭିଯୋଗ ଦାଖଲ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ପଦକ୍ଷେପ ଦେଖିବାକୁ ମିଳିନାହିଁ।
ଯାତାୟାତ ବନ୍ଦ ହେବା ପରେ ଗ୍ରାମବାସୀ ନିଜସ୍ୱ ଅର୍ଥ ବ୍ୟୟ କରି ପୋଲ ପାର୍ଶ୍ୱରେ ଅସ୍ଥାୟୀ ରାସ୍ତା ତିଆରି କରିଥିଲେ। ବର୍ତ୍ତମାନ ବର୍ଷାରେ ସେହି ରାସ୍ତା ମଧ୍ୟ କ୍ଷତିଗ୍ରସ୍ତ ହେବାକୁ ଲାଗିଛି। ଫଳରେ ଦୈନନ୍ଦିନ ଯାତାୟାତ, ଛାତ୍ରଛାତ୍ରୀଙ୍କ ପାଠପଢ଼ା, ରୋଗୀଙ୍କ ଚିକିତ୍ସା, ଚାଷୀଙ୍କ କୃଷିଜାତ ଦ୍ରବ୍ୟ ପରିବହନ ସବୁ ପ୍ରଭାବିତ ହେଉଥିବା ଅଭିଯୋଗ ହେଉଛି।
ସବୁଠାରୁ ବଡ଼ ପ୍ରଶ୍ନ ହେଉଛି— ପୋଲ ଭାଙ୍ଗିବା ପରେ ପ୍ରାରମ୍ଭିକ କ୍ଷୟକ୍ଷତି ଆକଳନ ହୋଇଥିଲା କି? ପୁନର୍ନିର୍ମାଣ ପାଇଁ ପ୍ରସ୍ତାବ ପଠାଯାଇଥିଲା କି? ଅର୍ଥ ମଞ୍ଜୁର ହୋଇନଥିଲେ ତାହାର କାରଣ କ'ଣ? ଯଦି ମଞ୍ଜୁର ହୋଇଥାଏ, ତେବେ କାମ ଆରମ୍ଭ କାହିଁକି ହୋଇନାହିଁ? ଦୁଇ ବର୍ଷ ଧରି କେଉଁ ସ୍ତରରେ ଫାଇଲ୍ ଅଟକି ରହିଛି ଏବଂ ଏହା ପାଇଁ କିଏ ଉତ୍ତରଦାୟୀ?
ସ୍ଥାନୀୟ ଜନପ୍ରତିନିଧିମାନେ ମଧ୍ୟ ବିଭିନ୍ନ ସ୍ତରରେ ଉଦ୍ୟମ କରିଥିବା କହୁଛନ୍ତି। ଯଦି ସେପରି ହୋଇଥାଏ, ତେବେ ସେହି ଉଦ୍ୟମର ପରିଣାମ କେଉଁଠି? ସରକାରୀ ଘୋଷଣା ଓ ବାସ୍ତବ ସ୍ଥିତି ମଧ୍ୟରେ ଏତେ ବଡ଼ ବ୍ୟବଧାନ କାହିଁକି?
ଗ୍ରାମବାସୀଙ୍କ ଦାବି ହେଉଛି, ଏହି ପୋଲର ପୁନର୍ନିର୍ମାଣ କେବଳ ଏକ ବିକାଶମୂଳକ କାମ ନୁହେଁ; ଏହା ହଜାର ହଜାର ଲୋକଙ୍କ ଜୀବନ, ଜୀବିକା ଓ ସୁରକ୍ଷା ସହ ଜଡ଼ିତ। ସେମାନେ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ଓ ସମ୍ପୃକ୍ତ ବିଭାଗକୁ ତୁରନ୍ତ ସ୍ଥିତି ସ୍ପଷ୍ଟ କରି ପୋଲ ନିର୍ମାଣ କାମ ଆରମ୍ଭ କରିବାକୁ ଦାବି କରିଛନ୍ତି। କାରଣ ବିକାଶର ପ୍ରକୃତ ପରିଚୟ କେବଳ ଘୋଷଣାରେ ନୁହେଁ, ବରଂ ଲୋକଙ୍କ ପାଇଁ ସମୟରେ ପହଞ୍ଚୁଥିବା ସୁବିଧାରେ ନିହିତ।
---------------
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ