ଝାରସୁଗୁଡ଼ା ଜୁଭେନାଇଲ ଜଷ୍ଟିସ ବୋର୍ଡ କାର୍ଯ୍ୟାଳୟ ପରିଦର୍ଶନ କଲେ ଜିଲ୍ଲାପାଳ
Collector visit jubenial board
Collector visit


ଝାରସୁଗୁଡ଼ା, 05 ଅଗଷ୍ଟ (ହି.ସ.) ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣ ସ୍ଥାନୀୟ ଜୁଭେନାଇଲ ଜଷ୍ଟିସ ବୋର୍ଡ କାର୍ଯ୍ୟାଳୟ ପରିଦର୍ଶନ କରି ସେଠାରେ ଥିବା ଭିତ୍ତିଭୂମି, କୋଠରୀ ସୁବିଧା ଓ ଅନ୍ୟାନ୍ୟ ପ୍ରଶାସନିକ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ପରିଦର୍ଶନ ସମୟରେ ଜିଲ୍ଲାପାଳ କାର୍ଯ୍ୟାଳୟର ପ୍ରତ୍ୟେକ ବିଭାଗ ବୁଲି ଦେଖିବା ସହ ବୋର୍ଡର ସଦସ୍ୟ ଓ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ। ଏହି ଗସ୍ତ କାଳରେ ଜିଲ୍ଲାପାଳ ବୋର୍ଡର ସଦସ୍ୟମାନଙ୍କ ପାଇଁ ନିର୍ଦ୍ଧାରିତ କୋଠରୀ, ସେମାନଙ୍କର କାର୍ଯ୍ୟାଳୟ ଭିତ୍ତିଭୂମି ଏବଂ ଶୁଣାଣି ସମୟରେ ଆବଶ୍ୟକ ହେଉଥିବା ବିଭିନ୍ନ ବ୍ୟବସ୍ଥା ଅନୁଧ୍ୟାନ କରିଥିଲେ। ବୋର୍ଡ ସଦସ୍ୟମାନେ ଯେପରି ସୁଚାରୁରୂପେ ଓ ବିନା କୌଣସି ପ୍ରତିବନ୍ଧକରେ ଆଇନଗତ ପ୍ରକ୍ରିୟା ସୁପରିଚାଳନା କରିପାରିବେ, ସେଥିପାଇଁ ଆବଶ୍ୟକୀୟ ଭିତ୍ତିଭୂମିର ତଦାରଖ କରିଛନ୍ତି। ଏହା ସହିତ ଆଇନଗତ ବିବାଦରେ ଥିବା ଶିଶୁମାନଙ୍କ ପାଇଁ ଉଦ୍ଦିଷ୍ଟ କୋଠରୀ, ବସିବା ବ୍ୟବସ୍ଥା ଓ ଅପେକ୍ଷାଗୃହର ଉପଲବ୍ଧତା ସମ୍ପର୍କରେ ମଧ୍ୟ ଜିଲ୍ଲାପାଳ ତଦାରଖ କରିଥିଲେ। ବୋର୍ଡକୁ ଆସୁଥିବା କିଶୋର-କିଶୋରୀମାନଙ୍କୁ ଯେପରି ଏକ ମାନସିକ ଭାବେ ସୁରକ୍ଷିତ, ଅନୁକୂଳ ଓ ସମ୍ମାନଜନକ ପରିବେଶ ମିଳିପାରିବ, ସେ ନେଇ ସମ୍ପୃକ୍ତ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି। କାର୍ଯ୍ୟାଳୟରେ ଉପଲବ୍ଧ ସ୍ଥାନ ଓ କୋଠରୀଗୁଡ଼ିକର ସଠିକ୍ ବିନିଯୋଗ କରିବା ସହ ଆବଶ୍ୟକ ଭିତ୍ତିଭୂମିର ସୁଧାର ପାଇଁ ପଦକ୍ଷେପ ନେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ଏହି ପରିଦର୍ଶନ ସମୟରେ ଜିଲ୍ଲା ପ୍ରଶାସନ ଏବଂ ଜୁଭେନାଇଲ ଜଷ୍ଟିସ ବୋର୍ଡର ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande