
କେନ୍ଦୁଝର, 05 ଅଗଷ୍ଟ (ହି.ସ.)ଧରଣୀଧର ସ୍ୱୟଂ ଶାସିତ ମହାବିଦ୍ୟାଳୟର ସ୍ୱତନ୍ତ୍ର ସ୍ଥିତି ପୁନଃ ସ୍ଥାପନ ଦାବିରେ ଆଜି ଶହଶହ ଛାତ୍ରଛାତ୍ରୀ ଧରଣୀ ଧର ବିଶ୍ୱ ବିଦ୍ୟାଳୟ ଠାରୁ ଏକ ବିରାଟ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।
କେନ୍ଦୁଝରବାସୀଙ୍କ ଭାବନା ଓ ଶିକ୍ଷାର ବିକାଶ ସହ ଜଡ଼ିତ ଧରଣୀଧର ସ୍ୱୟଂ ଶାସିତ ମହାବିଦ୍ୟାଳୟ ଦୀର୍ଘ ବର୍ଷ ଧରି ଜିଲ୍ଲାର ଏକ ଗୌରବମୟ ଶିକ୍ଷାନୁଷ୍ଠାନ ଭାବେ ପରିଚିତ।
ଏହି ମହାବିଦ୍ୟାଳୟକୁ ଧରଣୀଧର ବିଶ୍ୱବିଦ୍ୟାଳୟରୁ ପୃଥକ କରି ପୂର୍ବଭଳି ସ୍ୱତନ୍ତ୍ର ସ୍ୱୟଂ ଶାସିତ ମହାବିଦ୍ୟାଳୟର ମାନ୍ୟତା ପୁନଃ ସ୍ଥାପନ କରିବା ପାଇଁ ଛାତ୍ରଛାତ୍ରୀ, ପୂର୍ବତନ ଛାତ୍ରଛାତ୍ରୀ, ଅଭିଭାବକ ଓ ବୁଦ୍ଧିଜୀବୀମାନଙ୍କ ମଧ୍ୟରେ ଦାବି ଜୋର ଧରିଛି। ସ୍ୱତନ୍ତ୍ର ସ୍ଥିତି ପୁନଃ ସ୍ଥାପନ ହେଲେ ମହାବିଦ୍ୟାଳୟର ପରମ୍ପରା, ଶିକ୍ଷାର ଗୁଣବତ୍ତା ଏବଂ ପ୍ରଶାସନିକ ସ୍ୱାଧୀନତା ଅଧିକ ସୁଦୃଢ଼ ହେବ।
ତେଣୁ ସରକାର ଓ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଏହି ଜନଭାବନାକୁ ଗୁରୁତ୍ୱର ସହ ବିଚାର କରି ଧରଣୀଧର ସ୍ୱୟଂ ଶାସିତ ମହାବିଦ୍ୟାଳୟର ସ୍ୱତନ୍ତ୍ର ସ୍ଥିତି ପୁନଃ ସ୍ଥାପନ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଛି। ଆଗାମୀ ଦିନରେ ଦାବୀ ପୂରଣ ନହେଲେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ଛାତ୍ରଛାତ୍ରୀ ଚେତାବନୀ ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA