
ଝାରସୁଗୁଡ଼ା, ୫, ଅଗଷ୍ଟ (ହି.ସ.) ଝାରସୁଗୁଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଚାଲିଥିବା ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ (ଏସ୍ଆଇଆର୍) ପ୍ରକ୍ରିୟା ସମୟରେ ପ୍ରକୃତ ଭୋଟରଙ୍କ ନାମ ତାଲିକାରୁ କାଟିବା ପାଇଁ ଜାଲି ଓ ମିଥ୍ୟା ଆବେଦନ ଦାଖଲ ହେଉଥିବା ଅଭିଯୋଗ ଉଠାଇଛି ଜିଲ୍ଲା ବିଜୁ ଜନତା ଦଳ (ବିଜେଡି)। ଏହି ଘଟଣାର ତୁରନ୍ତ ତଦନ୍ତ ସହ ଦୋଷୀଙ୍କ ବିରୋଧରେ କଡ଼ା ଆଇନଗତ ପଦକ୍ଷେପ ନେବା ଦାବିରେ ବୁଧବାର ଦଳ ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।
ଦଳର ଅଭିଯୋଗ ଅନୁଯାୟୀ, ଭୋଟର ତାଲିକାରେ ବୈଧ ଭାବେ ସାମିଲ ଥିବା ପ୍ରକୃତ ଭୋଟର, ବିଶେଷକରି ଅଳ୍ପସଂଖ୍ୟକ ଓ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଲୋକଙ୍କୁ ନିର୍ବାଚନୀ ଅଧିକାରରୁ ବଞ୍ଚିତ କରିବା ଉଦ୍ଦେଶ୍ୟରେ ଯୋଜନାବଦ୍ଧ ଭାବେ ଜାଲି ଆବେଦନପତ୍ର ଦାଖଲ କରାଯାଉଛି।
ଦାବିପତ୍ରରେ ଭୋଟର ତାଲିକାରୁ ନାମ କାଟିବା ପାଇଁ ଆସିଥିବା ସମସ୍ତ ଆବେଦନର ତୁରନ୍ତ ପ୍ରତ୍ୟକ୍ଷ ଯାଞ୍ଚ କରିବା, ଆଧାରହୀନ ଓ ମିଥ୍ୟା ଆବେଦନକୁ ତୁରନ୍ତ ଖାରଜ କରିବା ଏବଂ ପ୍ରକୃତ ଭୋଟରଙ୍କ ନାମ ସୁରକ୍ଷିତ ରଖିବାକୁ ଦାବି କରାଯାଇଛି। ସେହିପରି ଜାଲିଆତିରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଜିଲ୍ଲା ନିର୍ବାଚନ ଅଧିକାରୀ ଓ ରିଟର୍ଣ୍ଣିଂ ଅଫିସରଙ୍କ ଦ୍ୱାରା ତୁରନ୍ତ ଏଫ୍ଆଇଆର୍ ରୁଜୁ କରି ଆପରାଧିକ କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ଦଳ ଦାବି କରିଛି।ସ୍ୱଚ୍ଛ, ଅବାଧ ଓ ନିରପେକ୍ଷ ନିର୍ବାଚନ ପ୍ରକ୍ରିୟା ବଜାୟ ରଖିବା ପାଇଁ ପ୍ରଶାସନ ତୁରନ୍ତ ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ବିଜେଡି ଆହ୍ୱାନ ଜଣାଇଛି। ଏହି ଦାବିପତ୍ରର ନକଲ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ, ଝାରସୁଗୁଡ଼ା ଉପ-ଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଫିସର ଏବଂ ବିଭିନ୍ନ ଗଣମାଧ୍ୟମକୁ ମଧ୍ୟ ପ୍ରଦାନ କରାଯାଇଛି।
ଦାବିପତ୍ର ପ୍ରଦାନ ବେଳେ ଜିଲ୍ଲା ବିଜେଡି ସଭାପତି ହରିଶ ଗଣତ୍ରା, ଜିଲ୍ଲା ଓକିଲ ସଂଘ ସଭାପତି ରଘୁମଣି ପଟେଲ, ପୌର ପରିଷଦ ଅଧ୍ୟକ୍ଷା ରାନୀ ହାତୀ, ଜିଲ୍ଲା ସାଧାରଣ ସମ୍ପାଦକ ପିଣ୍ଟୁ ପାଢ଼ୀଙ୍କ ସମେତ ରବି ସିଂ, ତୁଳସୀ ଦାସ, ମଦନ ହାତୀ, ନାଗେଶ୍ୱରୀ ବୋନେଳା, ଦାମୋଦର ନାଥ, ଚୂଡ଼ାମଣି ସାହୁ, ପୁରୁଷୋତ୍ତମ ନାୟକ, ସତ୍ୟ ପ୍ରକାଶ ନାଏକ, ଚୂଡ଼ାମଣି ବଢ଼େଇ, ତପି ମରେଇଙ୍କ ସହ ବହୁ ବିଜେଡି କର୍ମକର୍ତ୍ତା ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ