୮୦ତମ ସ୍ବାଧୀନତା ଦିବସ ପାଳନ ଅବସରରେ ଝାରସୁଗୁଡ଼ା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା
Different types of competition
Competition held


ଝାରସୁଗୁଡ଼ା, ୦୫, ଅଗଷ୍ଟ (ହି.ସ.): ଆଗାମୀ ୮୦ତମ ସ୍ବାଧୀନତା ଦିବସ-୨୦୨୬ ପାଳନ ଅବସରରେ ଝାରସୁଗୁଡ଼ା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ସୌଜନ୍ୟରୁ ଜିଲ୍ଲା ସ୍ତରୀୟ ବକ୍ତୃତା, ପ୍ରବନ୍ଧ ଏବଂ କୁଇଜ୍ ପ୍ରତିଯୋଗିତା ଉତ୍ସାହଜନକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି।ଲକ୍ଷ୍ମୀନାରାୟଣ କଲେଜ, ଝାରସୁଗୁଡ଼ାଠାରେ ଆୟୋଜିତ ଜିଲ୍ଲା ସ୍ତରୀୟ ପ୍ରବନ୍ଧ ଲିଖନ ଓ ପ୍ରତିଯୋଗିତାରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ୧୦୦ରୁ ଊର୍ଦ୍ଧ୍ବ ପ୍ରତିଯୋଗୀ ଅଂଶଗ୍ରହଣ କରି ନିଜ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। ଚଳିତ ବର୍ଷର ପ୍ରତିଯୋଗିତା ପାଇଁ ଆମେ କ’ଣ ପ୍ରକୃତରେ ସ୍ବାଧୀନ? ସମକାଳୀନ ଭାରତରେ ସ୍ବାଧୀନତାର ପୁନଃଚିନ୍ତନ ଏବଂ ବିକାଶଶୀଳ ଭାରତରେ ଅଭିବ୍ୟକ୍ତିର ସ୍ବାଧୀନତା ଶୀର୍ଷକ ବିଷୟବସ୍ତୁ ନିର୍ଦ୍ଧାରଣ କରାଯାଇଥିଲା। ପ୍ରତିଯୋଗୀମାନେ ନିଜ ନିଜର ସୃଜନଶୀଳ ଚିନ୍ତାଧାରା ଓ ସୁଚିନ୍ତିତ ବକ୍ତବ୍ୟ ମାଧ୍ୟମରେ ବିଷୟବସ୍ତୁକୁ ଉପସ୍ଥାପନ କରିଥିଲେ। ଏହି କାର୍ଯ୍ୟକ୍ରମର ପରିଚାଳନାରେ ଏଲ.ଏନ୍. କଲେଜ କର୍ତ୍ତୃପକ୍ଷଙ୍କ ସମେତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର କର୍ମଚାରୀ ନିହାଲ ଭୋଇ ଏବଂ ରବୀନ୍ଦ୍ର ନିଆଲ ସହଯୋଗ ପ୍ରଦାନ କରିଥିଲେ। ଅପରପକ୍ଷରେ, ଝାରସୁଗୁଡ଼ା ଇଞ୍ଜିନିୟରିଂ ସ୍କୁଲ୍ ପରିସରରେ ଜିଲ୍ଲା ସ୍ତରୀୟ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଡକ୍ଟର ଅନୀତା ରାଣୀ ବ୍ରହ୍ମା ଏହି କୁଇଜ୍ ପ୍ରତିଯୋଗିତାକୁ ସୁଚାରୁ ରୂପେ ପରିଚାଳନା କରିଥିଲେ। ପ୍ରତିଯୋଗିତାର କୃତୀ ବିଜେତାମାନଙ୍କୁ ଆଗାମୀ ସ୍ବାଧୀନତା ଦିବସର ମୁଖ୍ୟ ଜିଲ୍ଲା ସ୍ତରୀୟ ସମାରୋହରେ ପୁରସ୍କୃତ ଓ ସମ୍ବର୍ଦ୍ଧିତ କରାଯିବ।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande