ଜିଲ୍ଲା ସଡ଼କ ସୁରକ୍ଷା ଟାସ୍କ ଫୋର୍ସ ଏବଂ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ
ସଡ଼କ ସୁରକ୍ଷା ନିୟମ ଉଲ୍ଲଂଘନ ବିରୋଧରେ କଡ଼ା ଏନଫୋର୍ସମେଂଟ ଉପରେ ଗୁରୁତ୍ୱ କେନ୍ଦ୍ରାପଡ଼ା, ୦୫ ଅଗଷ୍ଟ(ହି.ସ.) – ଜିଲ୍ଲା ସଡ଼କ ସୁରକ୍ଷା ଟାସ୍କ ଫୋର୍ସ ଏବଂ ଜିଲ୍ଲା ସଡ଼କ ସୁରକ୍ଷା କମିଟିର ବୈଠକ ଆଜି ଜିଲ୍ଲାପାଳ ଶ୍ରୀ ରଘୁରାମ ଆର୍. ଆୟରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ
ଜିଲ୍ଲା ସଡ଼କ ସୁରକ୍ଷା ଟାସ୍କ ଫୋର୍ସ ଏବଂ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ..  ସଡ଼କ ସୁରକ୍ଷା ନିୟମ ଉଲ୍ଲଂଘନ ବିରୋଧରେ କଡ଼ା ଏନଫୋର୍ସମେଣ୍ଟ ଉପରେ ଗୁରୁତ୍ୱ.. =


ସଡ଼କ ସୁରକ୍ଷା ନିୟମ ଉଲ୍ଲଂଘନ ବିରୋଧରେ କଡ଼ା ଏନଫୋର୍ସମେଂଟ ଉପରେ ଗୁରୁତ୍ୱ

କେନ୍ଦ୍ରାପଡ଼ା, ୦୫ ଅଗଷ୍ଟ(ହି.ସ.) – ଜିଲ୍ଲା ସଡ଼କ ସୁରକ୍ଷା ଟାସ୍କ ଫୋର୍ସ ଏବଂ ଜିଲ୍ଲା ସଡ଼କ ସୁରକ୍ଷା କମିଟିର ବୈଠକ ଆଜି ଜିଲ୍ଲାପାଳ ଶ୍ରୀ ରଘୁରାମ ଆର୍. ଆୟରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାରେ ସଡ଼କ ଦୁର୍ଘଟଣା ହ୍ରାସ, ଯାତାୟାତ ନିୟମର କଡ଼ାକଡ଼ି ପାଳନ ଏବଂ ସଡ଼କ ସୁରକ୍ଷା ଭିତିଭୂମିର ସୁଦୃଢ଼ୀକରଣ ଉପରେ ବିସ୍ତୃତ ଆଲୋଚନା କରାଯାଇଛି। ବୈଠକରେ ପଟ୍ଟାମୁଣ୍ଡାଇ ପଟୁ ଆସୁଥିବା ବସ୍ଗୁଡ଼ିକ ତିନିମୁହାଣୀ ଛକ, ଅର୍ଥାତ୍ ଟ୍ରାଫିକ୍ ଛକ ପୂର୍ବରୁ ଥିବା ନିର୍ଦ୍ଧାରିତ ବସ୍ଷ୍ଟପ୍ରେ ରହି ଯାତ୍ରୀ ଉଠାଇବେ ଓ ଓହ୍ଲାଇବେ ବୋଲି ଜିଲ୍ଲାପାଳ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଟ୍ରାଫିକ୍ ଛକ ପରେ କୌଣସି ବସ୍ ଯାତ୍ରୀ ଉଠାଇବା କିମ୍ବା ଓହ୍ଲାଇବା ପାଇଁ ରହିବ ନାହିଁ। ଏହାଦ୍ୱାରା ଟ୍ରାଫିକ୍ ଜାମ୍ ଓ ଦୁର୍ଘଟଣାର ସମ୍ଭାବନା ହ୍ରାସ ସହ ଯାତାୟାତ ବ୍ୟବସ୍ଥାକୁ ସୁଗମ କରାଯିବ। ଜୁନ୍ ଓ ଜୁଲାଇ ୨୦୨୬ ମାସରେ ଜିଲ୍ଲାରେ ଯାତାୟାତ ନିୟମ ଉଲ୍ଲଂଘନ ବିରୋଧରେ ଏନ୍ଫୋର୍ସମେଂଟକୁ ଜୋରଦାର କରାଯାଇ ମୋଟ ୨,୪୭୩ଟି ମାମଲାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏଥିମଧ୍ୟରେ ଅତ୍ୟଧିକ ବେଗରେ ଗାଡ଼ି ଚାଳନା ପାଇଁ ୧,୫୯୮ଟି, ଗାଡ଼ି ଚଳାଇବା ସମୟରେ ମୋବାଇଲ୍ ଫୋନ୍ ବ୍ୟବହାର ପାଇଁ ୯୬ଟି, ହେଲମେଟ ନପିନ୍ଧି ଗାଡ଼ି ଚଳାଇବା ପାଇଁ ୬୦୩ଟି, ସିଟ୍ବେଲ୍ଟ ବ୍ୟବହାର ନକରିବା ପାଇଁ ୧୦ଟି, ମାଲବାହୀ ଗାଡ଼ିରେ ଯାତ୍ରୀ ପରିବହନ ପାଇଁ ୫୫ଟି, ଓଭରଲୋଡିଂ ପାଇଁ ୪୪ଟି, ଅନଧିକୃତ ପାର୍କିଂ ପାଇଁ ୪୦ଟି ଏବଂ ମଦ୍ୟପାନ କରି ଗାଡ଼ି ଚଳାଇବା ପାଇଁ ୨୭ଟି ମାମଲା ରହିଛି। ବୈଠକରେ ଜିଲ୍ଲାର ଚାନ୍ଦୋଳ, ଜନ୍ତିଲୋ ଛକ, ଦୁହୁରିଆ, ଚୁନଡିହ(ପଟ୍ଟାମୁଣ୍ଡାଇ), ଗଗୁଆ(ପଟ୍ଟାମୁଣ୍ଡାଇ), ସଂସାରଫଳ(ପଟ୍ଟାମୁଣ୍ଡାଇ), ଗୋପ ଛକ, ମାର୍ଶାଘାଇ ଓ ହଳଦିଆଗଡ଼ା ଆଦି ଚିହ୍ନଟ ହୋଇଥିବା ବ୍ଲାକ୍ ସ୍ପଟ୍ଗୁଡ଼ିକରେ ସଡ଼କ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ଏହି ସ୍ଥାନଗୁଡ଼ିକରେ ଆବଶ୍ୟକ ସାଇନ୍ବୋର୍ଡ, ସିଗ୍ନାଲ୍, ରୋଡ୍ ମାର୍କିଂ, ଆଲୋକୀକରଣ ଓ ଅନ୍ୟାନ୍ୟ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରି ଆବଶ୍ୟକ ପଦକ୍ଷେପ ନେବାକୁ ସମ୍ପୃକ୍ତ ବିଭାଗକୁ କୁହାଯାଇଛି। ସେହିପରି ହାଟଦିନ ଗୋପ ଅଂଚଳରେ ସୃଷ୍ଟି ହେଉଥିବା ଟ୍ରାଫିକ୍ ସମସ୍ୟା ଉପରେ ମଧ୍ୟ ବୈଠକରେ ଆଲୋଚନା ହୋଇଛି। ହାଟଦିନରେ ଅତିରିକ୍ତ ଟ୍ରାଫିକ୍ ଭିଡ଼କୁ ନିୟନ୍ତ୍ରଣ, ଯାନବାହନର ସୁଚାରୁ ଚଳାଚଳ ଏବଂ ଲୋକଙ୍କ ଯାତାୟାତକୁ ସୁଗମ କରିବା ପାଇଁ ଆବଶ୍ୟକ ଟ୍ରାଫିକ୍ ପରିଚାଳନା ବ୍ୟବସ୍ଥା କରିବାକୁ ପୋଲିସ୍ ଓ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ବୈଠକରେ ଜାତୀୟ ରାଜପଥର ରୋ(ରାଇଟ୍ ଅଫ୍ ୱେ) ହାଇୱେ ସେଫ୍ଟି ଜୋନ୍ ମଧ୍ୟରେ ଥିବା ଅନଧିକୃତ ଢାବା, ଗ୍ୟାରେଜ୍, ଦୋକାନ, ଭେଣ୍ଡିଂ ଜୋନ୍ ଓ ବାଣିଜ୍ୟିକ ନିର୍ମାଣଗୁଡ଼ିକୁ ଚିହ୍ନଟ କରି ଆଇନାନୁସାରେ ନୋଟିସ୍ ଓ ଅପସାରଣ କାର୍ଯ୍ୟାନୁଷ୍ଠାନ ନେବାକୁ ଟାସ୍କଫୋର୍ସକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ଜାତୀୟ ରାଜପଥରେ ପ୍ରତି ୭୫ କିଲୋମିଟର ବ୍ୟବଧାନରେ ଟ୍ରକ୍ ଲେ-ବାଇ ସୁବିଧା ବିକାଶ ଉପରେ ମଧ୍ୟ ଆଲୋଚନା ହୋଇଛି। ବିଦ୍ୟାଳୟ, ହସ୍ପିଟାଲ୍, ବଜାର ଅଂଚଳ, ସ୍ପିଡ୍ ବୋର୍ଡ ଏବଂ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଛକ ଆଦି ରାସ୍ତାରେ ଥିବା ସାଇନ୍ବୋର୍ଡ ଓ ସିଗ୍ନାଲ୍ଗୁଡ଼ିକର ଅଡିଟ୍ କରି ଆବଶ୍ୟକ ସ୍ଥାନରେ ନଷ୍ଟ କିମ୍ବା ପୁରୁଣା ସାଇନ୍ବୋର୍ଡକୁ ପରିବର୍ତନ ଏବଂ ନୂତନ ସାଇନ୍ବୋର୍ଡ ସ୍ଥାପନ ପାଇଁ ପଦକ୍ଷେପ ନେବାକୁ ସମ୍ପୃକ୍ତ ବିଭାଗକୁ କୁହାଯାଇଛି। ସଡ଼କରେ ବୁଲା ଗୋରୁ ଯୋଗୁଁ ଘଟୁଥିବା ଦୁର୍ଘଟଣା ହ୍ରାସ ପାଇଁ ଗୋରୁଙ୍କ ଶରୀରରେ ଆର୍ଆର୍ବି ବ୍ୟବହାର କରିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ନବକ୍ରିଷ୍ଣ ଜେନା, ଉପଜିଲ୍ଲାପାଳ ଅରୁଣ କୁମାର ନାୟକ, ଡେରାବିଶ ତହସିଲଦାର ସରୋଜ କାନ୍ତ ନାୟକ, ଆଂଚଳିକ ପରିବହନ ଅଧିକାରୀ ଲୋକନାଥ ମେହେର, ପୋଲିସ୍ ଡିଏସ୍ପି ବବିତା ଦଳାଇ, ଏସ୍ପି, ଆର୍ଆଣ୍ଡ୍ବି ରତିକାନ୍ତ ବେହେରା, ଜିଲ୍ଲା ଶିକ୍ଷା ଅଧିକାରୀ ପବିତ୍ର ମୋହନ ବାରିକଙ୍କ ସମେତ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande