
ଝାରସୁଗୁଡ଼ା, ୦୫, ଅଗଷ୍ଟ (ହି.ସ.)ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳ କାର୍ଯ୍ୟାଳୟସ୍ଥିତ ଡିଏମଏଫ ସମ୍ମିଳନୀ କକ୍ଷରେ ମେରା ୟୁବା ଭାରତ ବା ମୋ ଯୁବ ଭାରତ ଜିଲ୍ଲାସ୍ତରୀୟ ପରାମର୍ଶଦାତା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ସଭା ପ୍ରାରମ୍ଭରେ 'ମାଇଁ ଭାରତ ଗାନ' ପରିବେଷଣ କରାଯାଇଥିଲା। ଏହି ବୈଠକରେ ଜିଲ୍ଲାର ଯୁବସମାଜଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଓ ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ ବିସ୍ତୃତ ସମୀକ୍ଷା କରାଯାଇଥିଲା। ଏହି ସମୀକ୍ଷା ବୈଠକରେ ଯୁବବର୍ଗଙ୍କ ଗଠନମୂଳକ ସଂଯୋଜନା, ଯୁବ ନେତୃତ୍ୱରେ ସୂଚନା ପ୍ରସାରଣ, ନିଷ୍ପତ୍ତି ନେବାର କ୍ଷମତା ଏବଂ ନେତୃତ୍ୱ ନେବାର ଦକ୍ଷତା ବିକାଶ ଉପରେ ଜିଲ୍ଲାପାଳ ବିଶେଷ ଗୁରୁତ୍ବାରୋପ କରିଥିଲେ। ଏହାସହ ଯୁବ ସମାଜର ଶିକ୍ଷା, ଶାରୀରିକ ସୁସ୍ଥତା ଏବଂ ଧନ୍ଦାମୂଳକ ତାଲିମ ମାଧ୍ୟମରେ ସେମାନଙ୍କର ଦକ୍ଷତା ବୃଦ୍ଧି କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ, ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମୋଟ ୮,୨୩୩ ଜଣ ଯୁବକ 'ମାଇଁ ଭାରତ' ପୋର୍ଟାଲରେ ପଞ୍ଜୀକୃତ ହୋଇସାରିଛନ୍ତି। ଏହି ସଂଖ୍ୟାକୁ ଆହୁରି ବୃଦ୍ଧି କରିବା ପାଇଁ ଜିଲ୍ଲାର ସମସ୍ତ କଲେଜ ଓ ଶିକ୍ଷାନୁଷ୍ଠାନଗୁଡ଼ିକୁ ବାଧ୍ୟତାମୂଳକ ଭାବେ 'ମାଇଁ ଭାରତ' ପୋର୍ଟାଲରେ ପଞ୍ଜୀକୃତ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ କାର୍ଯ୍ୟକ୍ରମର ସୁଚାରୁ ପରିଚାଳନା ପାଇଁ ଅଧିକାରୀମାନେ ନିୟମିତ ଭାବେ କ୍ଷେତ୍ର ପରିଦର୍ଶନ କରିବାକୁ ପରାମର୍ଶ ଦିଆଯାଇଛି। ଏହି ବୈଠକରେ ସିଡିଏମଓ ଏବଂ ପିଏଚଓ ଡ. ଶକ୍ତି ପ୍ରସାଦ ପାଢ଼ୀ, ଡିପିଏଚଓ ତଥା ଡିପିଏମ ଡ. ସୁନୀଲ କୁମାର ପଣ୍ଡା, ଜିଲ୍ଲା ଦକ୍ଷତା ବିକାଶ ଅଧିକାରୀ ସଙ୍ଗୀତା ମେହେର, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ମୃତ୍ୟୁଞ୍ଜୟ ସବର, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ କୃଷ୍ଣକେଶୀ ବଳିୟାରସିଂହ ଏବଂ 'ମାଇଁ ଭାରତ' ଝାରସୁଗୁଡ଼ାର ଜିଲ୍ଲା ଯୁବ ଅଧିକାରୀ କମଲ ସାଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ