
କେନ୍ଦ୍ରାପଡ଼ା, ୦୫ ଅଗଷ୍ଟ(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲା ଯୋଜନା ଓ ପର୍ଯ୍ୟାଲୋଚନା ବିଭାଗ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ୨୦୨୫-୨୬ର ନିରୀକ୍ଷଣ କମିଟି ବୈଠକ ଜିଲ୍ଲାପାଳ ରଘୁରାମ୍.ଆର୍. ଆୟାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ପ୍ରଧାନମନ୍ତ୍ରୀ ଫସଲ ବିମା ଯୋଜନା(ପିଏମ୍ଏଫ୍ବିୱାଇ) ଅନ୍ତର୍ଗତ ରବିଋତୁ ପାଇଁ ଫସଲ କଟା ପରୀକ୍ଷଣ(ସିସିଇ) ଅନୁମୋଦନ ସହିତ ଶୀତ ଓ ଗ୍ରୀଷ୍ମ ଋତୁର ଏକ ପ୍ରମୁଖ ଫସଲ(ଧାନ) ଏବଂ ତେରଟି ଗୌଣ ଫସଲର କ୍ଷେତ୍ରଫଳକୁ ଅନୁମୋଦନ ପ୍ରଦାନ କରାଯାଇଥିଲା। ଜିଲ୍ଲା ଯୋଜନା ଓ ପର୍ଯ୍ୟାଲୋଚନା ଏକକ କାର୍ଯ୍ୟାଳୟର ଉପନିର୍ଦ୍ଦଶିକା(ପରିସଂଖ୍ୟନ ଓ ଯୋଜନା) ଆରତୀ ନାୟକଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଡଃ. ସୁସ୍ମିତା ମହାନ୍ତି, ଡଃ. ଗାୟତ୍ରୀ ସାହୁ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ହେମନ୍ତ କୁମାର ସାମଲ, ନାବାର୍ଡର ସ୍ମିତା ବଡ଼ଜେନା, ଏଲ୍ଡିଏମ୍ ରମାକାନ୍ତ ମାଝି, କଟକ କେନ୍ଦ୍ର ସମବାୟ ବ୍ୟାଙ୍କର ଶାଖା ପରିଚାଲକ ତାପସ ପ୍ରସାଦ ସିଂଙ୍କ ସହିତ ସହକାରୀ ପରିସଂଖ୍ୟାନ ଅଧିକାରୀ ସୌମ୍ୟରଞ୍ଜନ ଦାସ ଏବଂ ସୁଶ୍ରୀ ସ୍ନିଗ୍ଧା ସେନାପତି ଉପସ୍ଥିତ ଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରବି