ଝାରସୁଗୁଡ଼ା ବିମାନବନ୍ଦର ପରିବେଶ କମିଟି ବୈଠକ ଅନୁଷ୍ଠିତ
Environment committee meeting of Air port
Environment committee meeting


ଝାରସୁଗୁଡ଼ା, 05 ଅଗଷ୍ଟ (ହି.ସ.)- ଝାରସୁଗୁଡ଼ା ବିମାନବନ୍ଦର ପରିବେଶ କମିଟିର ବୈଠକ ଜିଲ୍ଲାପାଳ କୁଣlଲ ମୋତିରାମ ଚହ୍ୱାଣ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବିମାନ ଚଳାଚଳର ସୁରକ୍ଷା, ପକ୍ଷୀ ଓ ବନ୍ୟଜନ୍ତୁ ପରିଚାଳନା, ପକ୍ଷୀ ଧକ୍କା ରୋକିବା ଏବଂ ଗ୍ରୀଷ୍ମଋତୁରେ ୱାଇଲ୍ଡ ଫାୟାର ବିପଦର ମୁକାବିଲା ପାଇଁ ଗ୍ରହଣ କରାଯାଉଥିବା ବ୍ୟବସ୍ଥା ଉପରେ ବିସ୍ତୃତ ସମୀକ୍ଷା କରାଯାଇଥିଲା।

ବିମାନ ଚଳାଚଳର ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ଏବଂ ପକ୍ଷୀ ଧକ୍କା ଜନିତ ବିପଦକୁ କମାଇବା ଉଦ୍ଦେଶ୍ୟରେ ବିମାନବନ୍ଦରରେ ପକ୍ଷୀ ଓ ବନ୍ୟଜନ୍ତୁ ପରିଚାଳନା ପାଇଁ ଆଧୁନିକ ଆକାଉଷ୍ଟିକ୍ ଡିଭାଇସ୍ ବ୍ୟବହାର କରାଯାଉଥିବା ସମ୍ପର୍କରେ ବୈଠକରେ ଅବଗତ କରାଯାଇଥିଲା। ଏହି ଉପକରଣ ବିଭିନ୍ନ ପ୍ରକାରର ଶବ୍ଦ ସୃଷ୍ଟି କରି ବିମାନ ଉଡ଼ାଣ ଓ ଅବତରଣ କ୍ଷେତ୍ରରୁ ପକ୍ଷୀ ଏବଂ ବନ୍ୟଜନ୍ତୁଙ୍କୁ ସୁରକ୍ଷିତ ଭାବେ ଦୂରେଇବା ଫଳରେ ବିମାନ ଚଳାଚଳ ଅଧିକ ସୁରକ୍ଷିତ ହେବା ସହିତ ଯାତ୍ରୀ ଓ ବିମାନର ସୁରକ୍ଷା ନିଶ୍ଚିତ ହେବା ବିଷୟରେ ବୈଠକ ରେ ଆଲୋଚନା କରାଯାଇଥିଲା l

ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ଏହି ପ୍ରଯୁକ୍ତିର ବ୍ୟବହାର ଦ୍ୱାରା ପକ୍ଷୀ ଧକ୍କାର ସମ୍ଭାବନା ହ୍ରାସ ପାଇବା ସହ ବିମାନ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସଶକ୍ତ କରାଯାଉଛି। ବନ୍ୟଜନ୍ତୁଙ୍କୁ କୌଣସି କ୍ଷତି ନ ପହଞ୍ଚାଇ ସେମାନଙ୍କୁ ରନୱେ ପରିସରରୁ ଦୂରେଇ ରଖିବା ପାଇଁ ଏହି ବ୍ୟବସ୍ଥା ଏକ ପରିବେଶ ଅନୁକୂଳ ଏବଂ ପ୍ରଭାବଶାଳୀ ପଦକ୍ଷେପ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା।

ବୈଠକରେ ଗ୍ରୀଷ୍ମଋତୁରେ ଶୁଖିଲା ଘାସରେ ଅଗ୍ନିକାଣ୍ଡ (ୱାଇଲ୍ଡ ଫାୟାର) ଘଟିବାର ସମ୍ଭାବନା ଏବଂ ଏହା ଯୋଗୁଁ ବିମାନବନ୍ଦରର ଗୁରୁତ୍ୱପୂର୍ଣ୍ଣ ସ୍ଥାପନା ପ୍ରତି ସୃଷ୍ଟି ହେବାକୁ ଥିବା ବିପଦ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଆୟୋଜିତ ବୈଠକ ରେ ୱାଇଲ୍ଡ ଫାୟାରର ସମ୍ଭାବ୍ୟ ବିପଦ ଓ ପ୍ରତିକାରମୂଳକ ବ୍ୟବସ୍ଥା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇ

ବିମାନବନ୍ଦର ପରିସରର ଅଧିକ ବିପଦସଙ୍କୁଳ ଅଞ୍ଚଳଗୁଡ଼ିକ ଚିହ୍ନଟ କରାଯାଇଥିଲା। ସେଥିରେ ଆଇ ଓ ସି ଏଲ ଫ୍ୟୁଏଲିଂ ଷ୍ଟେସନ, ମାଲିମୁଣ୍ଡା ନିକଟସ୍ଥ ଏମ୍ ଏସ ଏସ ଆର ରାଡାର ଏବଂ ରନୱେର ଉଭୟ ପାର୍ଶ୍ୱର ଆପ୍ରୋଚ୍ ଓ ଟେକ୍-ଅଫ୍ ଅଞ୍ଚଳ ପ୍ରମୁଖ ଭାବେ ଅନ୍ତର୍ଭୁକ୍ତ ରହିଥିବା ବିଷୟରେ ଆଲୋଚନା କରାଯାଉଥିଲା lଅଗ୍ନିକାଣ୍ଡ ପ୍ରତିରୋଧ ପାଇଁ ନିୟମିତ ଭାବେ ଶୁଖିଲା ଘାସ ସଫା କରିବା, ସମ୍ବେଦନଶୀଳ ସ୍ଥାନରେ କଡ଼ା ନଜରଦାରି ରଖିବା, ଜରୁରୀକାଳୀନ ଅଗ୍ନି ନିର୍ବାପକ ବ୍ୟବସ୍ଥାକୁ ସର୍ବଦା ପ୍ରସ୍ତୁତ ରଖିବା ଏବଂ ସମସ୍ତ ସମ୍ପୃକ୍ତ କର୍ମଚାରୀଙ୍କୁ ସଚେତନ ରହିବାକୁ ପରାମର୍ଶ ଦିଆଯାଇଥିଲା।

ବିମାନବନ୍ଦରର ସୁରକ୍ଷା ଏବଂ ନିରବଚ୍ଛିନ୍ନ ବିମାନ ସେବା ପରିଚାଳନା ପାଇଁ ପକ୍ଷୀ ଧକ୍କା ଓ ୱାଇଲ୍ଡ ଫାୟାର ଭଳି ବିପଦକୁ ପ୍ରଭାବଶାଳୀ ଭାବେ ପ୍ରତିହତ କରିବା ନିମନ୍ତେ ସମସ୍ତ ସମ୍ପୃକ୍ତ ବିଭାଗ ମଧ୍ୟରେ ସମନ୍ୱିତ ପଦକ୍ଷେପ ଗ୍ରହଣ କରିବା ଉପରେ ଜିଲ୍ଲାପାଳ ଶ୍ରୀ ଚହ୍ୱାଣ ଗୁରୁତ୍ୱାରୋପ କରିଥିଲେ। ଏହି ବୈଠକରେ ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରର ନିର୍ଦ୍ଦେଶକ ଉପେନ୍ଦ୍ର ନାଥ ଧୌଣ୍ଡିଆ, ପରିଚାଳନା ବିଭାଗର ସିନିୟର୍ ମ୍ୟାନେଜର ପ୍ରତାପ ନାମ୍ବିଆର, ସିଏସ୍ଓ ତେଜରାଜ ପାତ୍ର, ସିଏସ୍ଓ ପ୍ରକାଶ ଚନ୍ଦ୍ର, ଏବଂ ଏଟିସି ଇନ୍ଚାର୍ଜ ସନ୍ଧ୍ୟା ତିୱାରୀ ପ୍ରମୁଖ ଉପସ୍ଥିତ ଥିଲେ। ଏହା ସହିତ ବନ ବିଭାଗର ବରିଷ୍ଠ ଅଧିକାରୀ ବୃନ୍ଦ ଏବଂ ବିମାନବନ୍ଦରର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande