
ଝାରସୁଗୁଡ଼ା, 05 ଅଗଷ୍ଟ (ହି.ସ.)
, ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ସୀମାନ୍ତ ୧୯ ଖଣ୍ଡ ମୌଜା ଅନ୍ତର୍ଗତ ରେମତା ଗ୍ରାମ ପଞ୍ଚାୟତର କଣ୍ଢେଇକେଲା–କିରିତମାଲ–ସରଧା ସଂଯୋଗକାରୀ ସଂକୀର୍ଣ୍ଣ ରାସ୍ତାର ଦୁରବସ୍ଥା ପୁଣିଥରେ ସାମ୍ନାକୁ ଆସିଛି। ସକାଳୁ ଏକ ହାଇୱା ଟ୍ରକ୍ ରାସ୍ତା ମଝିରେ ଫସି ରହିବାରୁ ସନ୍ଧ୍ୟା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଯାତାୟାତ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଥିଲା। ଫଳରେ କିରିତମାଲ, ସରଧା ସମେତ ଆଖପାଖ ଅଞ୍ଚଳର ବହୁ ଲୋକ ଦିନସାରା ନାନା ସମସ୍ୟାର ସମ୍ମୁଖୀନ ହୋଇଥିଲେ।
ହାଇୱାଟି ଫସି ରହିବା ଯୋଗୁଁ ଯାତ୍ରୀବାହୀ ବସ, ଦୁଇଚକିଆ, ଚାରିଚକିଆ ଯାନ ଓ ଜରୁରୀ ସେବାର ଗାଡ଼ି ମଧ୍ୟ ରାସ୍ତା ଅତିକ୍ରମ କରିପାରି ନଥିଲା। ଏପରିକି ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ, ଚାଷୀ, ବ୍ୟବସାୟୀ ଏବଂ ରୋଗୀମାନେ ବିକଳ୍ପ ରାସ୍ତାର ଅଭାବରୁ ଦୀର୍ଘ ସମୟ ଧରି ଅପେକ୍ଷା କରିବାକୁ ବାଧ୍ୟ ହୋଇଥିଲେ।
ସ୍ଥାନୀୟ ଲୋକଙ୍କ କହିବାନୁସାରେ, କଣ୍ଢେଇକେଲା–କିରିତମାଲ–ସରଧା ସଡ଼କଟି ବହୁ ବର୍ଷ ଧରି ସଂକୀର୍ଣ୍ଣ ଅବସ୍ଥାରେ ରହିଛି। ଅଞ୍ଚଳରେ ଯାତ୍ରୀବାହୀ ବସ ସମେତ ବିଭିନ୍ନ ଯାନବାହନର ଚଳାଚଳ ବଢ଼ୁଥିବା ସତ୍ତ୍ୱେ ରାସ୍ତାର ସମ୍ପ୍ରସାରଣ ହୋଇନଥିବାରୁ ବାରମ୍ବାର ଏଭଳି ସମସ୍ୟା ସୃଷ୍ଟି ହେଉଛି।
ରାସ୍ତା ପ୍ରଶସ୍ତୀକରଣ ପାଇଁ ଅନେକ ଥର ଜିଲ୍ଲା ପ୍ରଶାସନଙ୍କୁ ଲିଖିତ ଭାବେ ଅବଗତ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସ୍ଥାୟୀ ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହୋଇଛି। ଏଭଳି ପରିସ୍ଥିତି ଜାରି ରହିଲେ ଭବିଷ୍ୟତରେ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିବାର ଆଶଙ୍କା ଥିବାରୁ କଣ୍ଢେଇକେଲାଠାରୁ କିରିତମାଲ–ସରଧା ପର୍ଯ୍ୟନ୍ତ ମୁଖ୍ୟ ସଡ଼କକୁ ଶୀଘ୍ର ପ୍ରଶସ୍ତୀକରଣ କରି ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ସ୍ଥାନୀୟ ବାସିନ୍ଦାମାନେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ