ତିହାଡ଼ିପାଲି–ମରାକୁଟା ଏନ୍ଏଚ୍–୪୯ରେ ଦିନବେଳା ଭାରୀ ଯାନ ଚଳାଚଳ ବନ୍ଦ ଦାବି, ରାସ୍ତା ମରାମତି ପାଇଁ ଶିଳ୍ପ ସଂସ୍ଥାଙ୍କୁ ଦାୟୀ କଲେ ବିଧାୟକ
MLA demands to construction of road
MLA demands to construction of road


ଝାରସୁଗୁଡ଼ା, ୫ ଅଗଷ୍ଟ,(ହି.ସ.) : ଝାରସୁଗୁଡ଼ା ଦେଇ ଯାଇଥିବା ଜାତୀୟ ରାଜପଥ–୪୯ର ତିହାଡ଼ିପାଲିରୁ ମରାକୁଟା ପର୍ଯ୍ୟନ୍ତ ରାସ୍ତାର ଅତ୍ୟନ୍ତ ଶୋଚନୀୟ ଅବସ୍ଥା ନେଇ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ଗଭୀର ଉଦ୍ୱେଗ ପ୍ରକାଶ କରିଛନ୍ତି। ଏହି ସମସ୍ୟାର ସ୍ଥାୟୀ ସମାଧାନ ଦାବି କରି ସେ ଜିଲ୍ଲାପାଳ କୁଣାଲ ମୋତିରାମ ଚୌହାଣଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

ଦାବିପତ୍ରରେ ବିଧାୟକ ଉଲ୍ଲେଖ କରିଛନ୍ତି ଯେ, ରୁଙ୍ଗଟା ଆଣ୍ଡ ସନ୍ସ ପ୍ରାଇଭେଟ୍ ଲିମିଟେଡ୍ (ପୂର୍ବତନ ଆକ୍ସନ୍ ଇସ୍ପାତ) ଏବଂ ଓଡ଼ିଶା ମେଟାଲିକ୍ ପ୍ରାଇଭେଟ୍ ଲିମିଟେଡ୍ର କଂଚାମାଲ ଓ ପ୍ରସ୍ତୁତ ସାମଗ୍ରୀ ପରିବହନ କରୁଥିବା ଶହ ଶହ ଭାରୀ ଯାନ ପ୍ରତିଦିନ ଏହି ରାସ୍ତା ଦେଇ ଚଳାଚଳ କରୁଛି। ଅତ୍ୟଧିକ ଭାର ବହନ କରୁଥିବା ଯାନ ଚଳାଚଳ ଫଳରେ ରାସ୍ତାର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଖାଲ ସୃଷ୍ଟି ହୋଇ ଯାତାୟାତ ବିପଦସଙ୍କୁଳ ହୋଇପଡ଼ିଛି।

ସେ କହିଛନ୍ତି ଯେ, ଦିନବେଳା ଭାରୀ ଯାନ ଚଳାଚଳ ଯୋଗୁଁ ନିୟମିତ ଟ୍ରାଫିକ୍ ଜାମ୍, ଧୂଳି–ଧୂଆଁ ଓ ଶବ୍ଦ ପ୍ରଦୂଷଣ ସୃଷ୍ଟି ହେଉଛି। ଏହାର ପ୍ରଭାବରେ ସ୍କୁଲ ଛାତ୍ରଛାତ୍ରୀ, କାର୍ଯ୍ୟାଳୟ ଯାତ୍ରୀ ଏବଂ ସ୍ଥାନୀୟ ବାସିନ୍ଦାମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ଏହି ପରିପ୍ରେକ୍ଷୀରେ ବିଧାୟକ ସକାଳ ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ତିହାଡ଼ିପାଲି–ମରାକୁଟା ଏନ୍ଏଚ୍–୪୯ରେ ସମସ୍ତ ପ୍ରକାର ଭାରୀ ଯାନ ଚଳାଚଳ ଉପରେ କଟକଣା ଲଗାଇ କେବଳ ରାତି ସମୟରେ ଚଳାଚଳ ପାଇଁ ଅନୁମତି ଦେବାକୁ ଦାବି କରିଛନ୍ତି। ଏଥିସହ ପୁଲିସ, ଆର୍ଟିଓ ଓ ସମ୍ପୃକ୍ତ ରାସ୍ତା ନିର୍ମାଣ ସଂସ୍ଥା ପକ୍ଷରୁ ଟ୍ରାଫିକ୍ ସାଇବୋର୍ଡ ଲଗାଇ ନୋ–ଏଂଟ୍ରି ବ୍ୟବସ୍ଥାକୁ କଡ଼ାକଡ଼ି କାର୍ଯ୍ୟକାରୀ କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି।

ବିଧାୟକ ତାଙ୍କ ଦାବିପତ୍ରରେ ‘ପଲ୍ୟୁଟର ପେଜ୍ ପ୍ରିନ୍ସିପଲ୍’ ଓ ସାମାଜିକ ଉତରଦାୟିତ୍ୱ ନୀତିର ଉଲ୍ଲେଖ କରି କହିଛନ୍ତି ଯେ, ଯେହେତୁ ଏହି ଶିଳ୍ପ ସଂସ୍ଥାଗୁଡ଼ିକର ଭାରୀ ଯାନ ଚଳାଚଳ ଯୋଗୁଁ ରାସ୍ତା କ୍ଷତିଗ୍ରସ୍ତ ହୋଇଛି, ତେଣୁ ସେମାନେ ନିଜସ୍ୱ ଖର୍ଚ୍ଚରେ ସମ୍ପୂର୍ଣ୍ଣ ରାସ୍ତାର ପୁନଃନିର୍ମାଣ ଓ ମରାମତି କରିବା ଉଚିତ।

ଜନସ୍ୱାର୍ଥକୁ ଦୃଷ୍ଟିରେ ରଖି ଉପସ୍ଥାପିତ ସମସ୍ତ ଦାବିକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ବିଧାୟକ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande