
ନୂଆପଡ଼ା, ୦୫ ଅଗଷ୍ଟ(ହି.ସ.) – ନୂଆପଡ଼ା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଏବଂ ଖଡ଼ିଆଳ ତାଲୁକ ଆଇନ ସେବା ସମିତିର ସମନ୍ୱିତ ପ୍ରୟାସ ଫଳରେ ଖଡ଼ିଆଳ ବ୍ଲକ ଅନ୍ତର୍ଗତ ବିରିଘାଟ ଗ୍ରାମ ପଂଚାୟତର ଝାରସରମ୍ ଗ୍ରାମର ଦୁଇଜଣ ଦିବ୍ୟାଙ୍ଗ ବ୍ୟକ୍ତି ନେପୂର ମାଝୀ ଓ ଫନୀଧର ମାଝୀଙ୍କୁ ଟ୍ରାଇସାଇକେଲ ପ୍ରଦାନ କରାଯାଇଛି।
ସ୍ଥାନୀୟ ଅଧିକାର ମିତ୍ର କ୍ଷୀରସିନ୍ଧୁ ସଗରିଆ ଉଭୟଙ୍କ ସମସ୍ୟା ସମ୍ପର୍କରେ ଜିଲ୍ଲା ଆଇନ ସେବା ପ୍ରାଧିକରଣକୁ ଅବଗତ କରାଇଥିଲେ। ଏହାପରେ ପ୍ରାଧିକରଣର ସଚିବ ନବନୀତା ଦାଶ ତୁରନ୍ତ ଘଟଣାର ଗୁରୁତ୍ୱକୁ ବିଚାର କରି ଖଡ଼ିଆଳ ବ୍ଲକ ପ୍ରଶାସନକୁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ବ୍ଲକ ପ୍ରଶାସନ ତତ୍ପରତାର ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଉଭୟ ହିତାଧିକାରୀଙ୍କୁ ଦୁଇଟି ଟ୍ରାଇସାଇକେଲ ପ୍ରଦାନ କରିଥିଲା।
ଟ୍ରାଇସାଇକେଲ ପାଇବା ପରେ ନେପୂର ମାଝୀ ଓ ଫନୀଧର ମାଝୀ ଖୁସି ବ୍ୟକ୍ତ କରିବା ସହ ଏହା ତାଙ୍କର ଦୈନନ୍ଦିନ ଚଳାଚଳକୁ ସହଜ କରିବା ସହ ସ୍ୱାବଲମ୍ବୀ ଜୀବନଯାପନରେ ସହାୟକ ହେବ ବୋଲି କହିଛନ୍ତି। ଏହି ପଦକ୍ଷେପ ପୁଣିଥରେ ପ୍ରମାଣ କରିଛି ଯେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ କେବଳ ଆଇନ୍ଗତ ସହାୟତା ପ୍ରଦାନରେ ସୀମିତ ନରହି, ସମାଜର ଦୁର୍ବଳ ବର୍ଗର ଲୋକଙ୍କ ସାମାଜିକ ସୁରକ୍ଷା, ପୁନର୍ବାସ ଏବଂ ସରକାରୀ କଲ୍ୟାଣମୂଳକ ଯୋଜନାର ସୁବିଧା ପହଂଚାଇବାରେ ମଧ୍ୟ ସକ୍ରିୟ ଭୂମିକା ଗ୍ରହଣ କରୁଛି।
.......................................
ହିନ୍ଦୁସ୍ଥାନ ସମାଚାର / ହେମନ୍ତ