
ନୂଆପଡ଼ା,୫ ଅଗଷ୍ଟ (ହି.ସ.)- ନିକଟରେ ହୋଇଥିବା ବନ୍ୟାରେ ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ବ୍ୟାପକ କ୍ଷୟକ୍ଷତି ଘଟିଥିବା ପରିପ୍ରେକ୍ଷୀରେ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ତୁରନ୍ତ ସହାୟତା ଓ ପୁନର୍ବାସ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛନ୍ତି। ଚିଠିରେ ବିଧାୟକ ବନ୍ୟା ଯୋଗୁଁ ସମ୍ପୂର୍ଣ୍ଣ ବାଲିଚରରେ ପରିଣତ ହୋଇଥିବା ଚାଷ ଜମିର ଉନ୍ନତିକରଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବା ସହ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଉଚିତ କ୍ଷତିପୂରଣ ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି। ସେହିପରି ବନ୍ୟାରେ କ୍ଷତିଗ୍ରସ୍ତ ପୂର୍ତ, ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନ ରାସ୍ତା, ଗ୍ରାମାଂଚଳ ସଡ଼କ ଓ ପୋଲଗୁଡ଼ିକର ଶୀଘ୍ର ପୁନଃନିର୍ମାଣ ପାଇଁ ମଧ୍ୟ ଦାବି କରିଛନ୍ତି। ଏହାସହ ବନ୍ୟା ଯୋଗୁଁ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଥିବା ବିଦ୍ୟୁତ ବ୍ୟବସ୍ଥା ଓ ପାନୀୟ ଜଳ ଯୋଗାଣ ସେବାର ତୁରନ୍ତ ପୁନଃରୁଦ୍ଧାର କରି ସାଧାରଣ ଲୋକଙ୍କୁ ଆବଶ୍ୟକ ସୁବିଧା ଯୋଗାଇବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ବନ୍ୟା ପ୍ରଭାବିତ ଅଂଚଳରେ ଶୀଘ୍ର ରିଲିଫ୍ ଓ ପୁନର୍ବାସ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ବିଧାୟକ ଆଶା ପ୍ରକାଶ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ