୫୧ ଦିନ ପରେ ବି ମିଳିନି ଜଳଛତ୍ର କର୍ମୀଙ୍କ ପାରିଶ୍ରମିକ, ହକ୍ ଟଙ୍କା ପାଇଁ ପୌର କାର୍ଯ୍ୟାଳୟ ଦୌଡି ଦୌଡି ନୟାନ୍ତ
No payment given by Munsipality
For payment


ଝାରସୁଗୁଡା, ୦୫ ଅଗଷ୍ଟ (ହି.ସ.) : ଜିଲ୍ଲାର ବେଲପାହାଡ ପୌରପରିଷଦ ଅଧୀନରେ ଗ୍ରୀଷ୍ମ ପ୍ରବାହ ସମୟରେ ପରିଚାଳିତ ଜଳଛତ୍ରରେ କାର୍ଯ୍ୟ କରିଥିବା କର୍ମୀମାନେ ଏପର୍ଯ୍ୟନ୍ତ ସେମାନଙ୍କ ପାରିଶ୍ରମିକ ପାଇନଥିବା ଅଭିଯୋଗ କରିଛନ୍ତି। ଫଳରେ ବୃଦ୍ଧ, ଗରିବ ଓ ଅସହାୟ ଶ୍ରମିକମାନେ ନିଜ ହକ୍ର ପ୍ରାପ୍ୟ ପାଇଁ ବାରମ୍ବାର ପୌରପରିଷଦ କାର୍ଯ୍ୟାଳୟକୁ ଯିବାକୁ ବାଧ୍ୟ ହେଉଛନ୍ତି।

ସୂଚନା ଅନୁଯାୟୀ, ଏପ୍ରିଲ ୧ରୁ ଜୁନ ୧୫ ପର୍ଯ୍ୟନ୍ତ ପ୍ରାୟ ଅଢେଇ ମାସ ଧରି ବେଲପାହାଡ ପୌରପରିଷଦର ୩୬ଟି ସ୍ଥାନରେ ଜଳଛତ୍ର ଖୋଲାଯାଇଥିଲା। ସେଠାରେ ନିଯୁକ୍ତ କର୍ମୀମାନଙ୍କୁ ଦୈନିକ ୪୭୨ ଟଙ୍କା ହିସାବରେ ପ୍ରାୟ ୭୬ ଦିନ କାମ କରାଯାଇଥିଲା। ଏହି ହିସାବରେ ପ୍ରତ୍ୟେକ କର୍ମୀଙ୍କ ପ୍ରାୟ ୩୫,୮୭୨ ଟଙ୍କା ପ୍ରାପ୍ୟ ଥିବାବେଳେ, ଜୁନ ୧୬ରୁ ଅଗଷ୍ଟ ୫ ପର୍ଯ୍ୟନ୍ତ ୫୧ ଦିନ ବିତିଯାଇଥିଲେ ମଧ୍ୟ ସେମାନଙ୍କୁ ପାରିଶ୍ରମିକ ପ୍ରଦାନ କରାଯାଇନଥିବା ଅଭିଯୋଗ ହୋଇଛି।

ଏ ସମ୍ପର୍କରେ ବେଲପାହାଡ ପୌରପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଗୌବର ପ୍ରଧାନ କହିଛନ୍ତି ଯେ, ଜଳଛତ୍ର ପରିଚାଳନା କାର୍ଯ୍ୟ ଏକ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ କରାଯାଇଥିଲା। ସମ୍ପୃକ୍ତ ଗୋଷ୍ଠୀର ବ୍ୟାଙ୍କ ଖାତା ସଂଯୋଜନ ପ୍ରକ୍ରିୟା ଚାଲିଥିବାରୁ ପାରିଶ୍ରମିକ ପ୍ରଦାନରେ ବିଳମ୍ବ ଘଟିଛି। ତେବେ ଖୁବ୍ଶୀଘ୍ର ସମସ୍ତ କର୍ମୀଙ୍କୁ ସେମାନଙ୍କ ପ୍ରାପ୍ୟ ଅର୍ଥ ପ୍ରଦାନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ, ଦୀର୍ଘ ଦିନ ଧରି ପାରିଶ୍ରମିକ ପାଇନଥିବା କର୍ମୀମାନେ ବିଳମ୍ବ ନକରି ସେମାନଙ୍କ ବକେୟା ଅର୍ଥ ପ୍ରଦାନ କରିବା ସହ ପାରିଶ୍ରମିକ ବିଳମ୍ବର କାରଣର ତଦନ୍ତ କରି ଉଚିତ ପଦକ୍ଷେପ ନେବାକୁ ପ୍ରଶାସନଙ୍କ ନିକଟରେ ଦାବି କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande