
ଭୁବନେଶ୍ୱର, ୦୫ ଅଗଷ୍ଟ (ହି.ସ.) - ପୁରୀ ସାଂସଦ ସମ୍ବିତ ପାତ୍ର ବୁଧବାର ଦିନ କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସାକ୍ଷାତ କରି ପୁରୀ ଲୋକସଭା କ୍ଷେତ୍ରରେ ରେଳ ସେବାର ସମ୍ପ୍ରସାରଣ ଏବଂ ଯାତ୍ରୀ ସୁବିଧା ସମ୍ବନ୍ଧୀୟ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା କରିଛନ୍ତି। ଏହି ଅବସରରେ ବିଭିନ୍ନ ଟ୍ରେନର ରହଣି, ନୂତନ ପ୍ୟାସେଞ୍ଜର ହଲ୍ଟ ସ୍ଥାପନ, ରୋଡ୍ ଓଭର ବ୍ରିଜ୍ ଏବଂ ସ୍ଥାୟୀ ଅଣ୍ଡରପାସ ନିର୍ମାଣ ସମ୍ବନ୍ଧୀୟ ଦାବିପତ୍ର ତାଙ୍କୁ ପ୍ରଦାନ କରିଛନ୍ତି। ରେଳମନ୍ତ୍ରୀ ଦାବିପତ୍ରକୁ ସକାରାତ୍ମକ ଭାବେ ବିଚାର କରି ଆବଶ୍ୟକ ପରବର୍ତୀ ପଦକ୍ଷେପ ନେବା ପାଇଁ ଆଶ୍ୱାସନ ପ୍ରଦାନ କରିଛନ୍ତି ।
ସାଂସଦ ତାଙ୍କ ଦାବିପତଅରେ ଉଲ୍ଲେଖ କରିଛନ୍ତି ଯେ ଟ୍ରେନ ସଂଖ୍ୟା ୧୮୪୧୩ ପୁରୀ–ପାରାଦୀପ ଇଂଟରସିଟି ଏକ୍ସପ୍ରେସର କଣାସ ରୋଡ୍ ପ୍ୟାସେଞ୍ଜର ହଲ୍ଟ ଠାରେ ନିୟମିତ ରହଣି ସୁନିଶ୍ଚିତ କରାଯାଉ। ନୟାଗଡ଼ ଏବଂ ମାଣିକାଇଗୋଡ଼ା (ଇଟାମାଟି–ଚମ୍ପାତୀପୁର ଅଂଚଳ) ମଧ୍ୟରେ ଏକ ନୂତନ ପ୍ୟାସେଞ୍ଜର ହଲ୍ଟ ସ୍ଥାପନ କରାଯାଉ। ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳ ଅନ୍ତର୍ଗତ ନିରାକାରପୁରସ୍ଥିତ ଲେଭେଲ୍ କ୍ରସିଂ ନଂ–୨୧୯ ଠାରେ ଏକ ରୋଡ୍ ଓଭର ବ୍ରିଜ୍ ନିର୍ମାଣ କରାଯାଉ। ପୁରୀ ରେଳ ଷ୍ଟେସନ ନିକଟସ୍ଥ ମାଳତୀପାଟପୁର ଲେଭେଲ୍ କ୍ରସିଂ ଠାରେ ଏକ ସ୍ଥାୟୀ ଅଣ୍ଡରପାସ ନିର୍ମାଣ କରାଯାଉ। ଟ୍ରେନ ସଂଖ୍ୟା ୧୮୪୧୩ ପୁରୀ–ପାରାଦୀପ ଇଂଟରସିଟି ଏକ୍ସପ୍ରେସର କଣାସ ରୋଡ୍ ପ୍ୟାସେଞ୍ଜର ହଲ୍ଟ ଠାରେ ରହଣି ଏବଂ ନୟାଗଡ଼ ଓ ମାଣିକାଇଗୋଡ଼ା (ଇଟାମାଟି–ଚମ୍ପାତୀପୁର ଅଂଚଳ) ମଧ୍ୟରେ ନୂତନ ପ୍ୟାସେଞ୍ଜର ହଲ୍ଟ ସ୍ଥାପନ ହେଲେ କଣାସ ବ୍ଲକ, ନୟାଗଡ଼ ଜିଲ୍ଲା ଏବଂ ଆଖପାଖ ଗ୍ରାମାଂଚଳର ହଜାର ହଜାର ଯାତ୍ରୀ ସିଧାସଳଖ ଉପକୃତ ହେବେ। ଏହା ଫଳରେ ଛାତ୍ରଛାତ୍ରୀ, ଚାକିରିଆ, ବ୍ୟବସାୟୀ, କୃଷକ ଓ ସାଧାରଣ ଲୋକଙ୍କର ଦୈନନ୍ଦିନ ଯାତାୟାତ ଅଧିକ ସହଜ, ସୁଲଭ ଓ ସୁବିଧାଜନକ ହେବ କ୍ଷ ସେହିପରି, କୃଷିଜାତ ଉତ୍ପାଦ, ସ୍ଥାନୀୟ ଉତ୍ପାଦ ଏବଂ କ୍ଷୁଦ୍ର ବ୍ୟବସାୟ ପାଇଁ ଉନ୍ନତ ପରିବହନ ସୁବିଧା ଉପଲବ୍ଧ ହେବା ଦ୍ୱାରା ସ୍ଥାନୀୟ ଅର୍ଥନୀତି ଅଧିକ ସୁଦୃଢ଼ ହେବ।
ସେହିପରି, ନିରାକାରପୁରସ୍ଥିତ ଲେଭେଲ୍ କ୍ରସିଂ ନଂ–୨୧୯ ଠାରେ ରୋଡ୍ ଓଭର ବ୍ରିଜ୍ ଏବଂ ପୁରୀ ରେଳ ଷ୍ଟେସନ ନିକଟସ୍ଥ ମାଳତୀପାଟପୁର ଲେଭେଲ୍ କ୍ରସିଂ ଠାରେ ସ୍ଥାୟୀ ଅଣ୍ଡରପାସ ନିର୍ମାଣ ହେଲେ ଅଞ୍ଚଳବାସୀଙ୍କ ପାଇଁ ସୁରକ୍ଷିତ, ନିରବିଚ୍ଛିନ୍ନ ଏବଂ ସୁବିଧାଜନକ ଯାତାୟାତ ସୁନିଶ୍ଚିତ ହେବ। ଏହି ପ୍ରକଳ୍ପଗୁଡ଼ିକ ସମ୍ପୂର୍ଣ୍ଣ ହେବା ପରେ ରେଳ ଫାଟକ ବନ୍ଦ ରହିବା ଯୋଗୁଁ ହେଉଥିବା ଦୀର୍ଘ ସମୟର ଅପେକ୍ଷା, ଯାତାୟାତ ଜନିତ ସମସ୍ୟା ଏବଂ ଦୁର୍ଘଟଣାର ଆଶଙ୍କାରେ ଉଲ୍ଲେଖନୀୟ ହ୍ରାସ ଘଟିବ କ୍ଷ ବିଶେଷ କରି ସ୍କୁଲ ଛାତ୍ରଛାତ୍ରୀ, ରୋଗୀ, ଆମ୍ବୁଲାନ୍ସ ସେବା, କୃଷକ ଏବଂ ଦୈନିକ ଯାତ୍ରୀମାନେ ନିରବିଚ୍ଛିନ୍ନ ଯାତାୟାତ ସୁବିଧା ପାଇପାରିବେ ।
,.......
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା