
କେନ୍ଦୁଝର, 05 ଅଗଷ୍ଟ (ହି.ସ.) ଅଗଣିତ ଯୁବକଙ୍କ ହୃଦୟର ସମ୍ରାଟ ତଥା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ଯୁବ ସଭାପତି ସ୍ୱର୍ଗତ ସଂଗ୍ରାମ କେଶରୀ ଜେନା (ବାପି)ଙ୍କ ପବିତ୍ର ଜନ୍ମଜୟନ୍ତୀ ଅବସରରେ କେନ୍ଦୁଝରସ୍ଥିତ ପ୍ରୟାସ ଅନାଥ ଆଶ୍ରମରେ ଏକ ସରଳ ଓ ଭାବଗମ୍ଭୀର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
କେନ୍ଦୁଝର ଜିଲ୍ଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀରଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ୱର୍ଗତ ସଂଗ୍ରାମ କେଶରୀ ଜେନାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହ ତାଙ୍କ ସ୍ମୃତିଚାରଣ କରାଯାଇଥିଲା। ଏହା ସହିତ ଆଶ୍ରମର ଅନ୍ତେବାସୀମାନଙ୍କୁ ଖାଦ୍ୟ ଓ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ପୂର୍ବତନ ସଂସାଦ ପ୍ରାଥୀ ଇଂ ବିନୋଦ ବିହାରୀ ନାଏକ, ଜିଲ୍ଲା ଉପସଭାପତି ଲଳିତ ମୋହନ ନାୟକ, ବରିଷ୍ଠ ନେତା ରତ୍ନାକର ଜେନା, ଜିଲ୍ଲା ସାଧାରଣ ସମ୍ପାଦକ ସୁଢଳ କୁମାର ସେଠୀ, କେନ୍ଦୁଝର ଯୁବ କଂଗ୍ରେସ ସଦର ବ୍ଲକ ସଭାପତି ସୌମ୍ୟ ରଞ୍ଜନ ରାଉତ, ସଂଗ୍ରାମ ବେହେରା,ଅମିତ ରାଉତ, ମାନସ ବେହେରା, ଅଭିଜିତ ବେହେରା ସହ କଂଗ୍ରେସ ଦଳର ଅନ୍ୟାନ୍ୟ ନେତୃବୃନ୍ଦ ଓ କର୍ମୀମାନେ ମଧ୍ୟ ଉପସ୍ଥିତ ରହି ସ୍ୱର୍ଗତ ସଂଗ୍ରାମ କେଶରୀ ଜେନାଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଉପସ୍ଥିତ ବକ୍ତାମାନେ ତାଙ୍କର ସଂଗଠନ ଦକ୍ଷତା, ଯୁବ ସମାଜ ପ୍ରତି ଅବଦାନ ଏବଂ ଜନସେବା ପ୍ରତି ନିଷ୍ଠାକୁ ସ୍ମରଣ କରି କହିଥିଲେ ଯେ, ତାଙ୍କର ଆଦର୍ଶ ସଦା ସର୍ବଦା ଯୁବପିଢ଼ି ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ।
ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ସ୍ୱର୍ଗତ ସଂଗ୍ରାମ କେଶରୀ ଜେନାଙ୍କ ଅମର ଆତ୍ମାର ସଦ୍ଗତି କାମନା କରାଯାଇଥିଲା।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA