୧୦ ମିଟର ରୟତି ଜମି ପାଇଁ ୬୫ ପରିବାରର ଦୁର୍ଦ୍ଦଶା: ବର୍ଷାରେ ପାଣି–କାଦୁଅ ଭିତରେ ଜୀବନ, ଶୀଘ୍ର ସମାଧାନ ଦାବି
Villagers demand for road construction
Problem facing


ଝାରସୁଗୁଡ଼ା, 05 ଅଗଷ୍ଟ (ହି.ସ.) ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ପଞ୍ଚଗାଁ ପଞ୍ଚାୟତର ସୁକୁଳପାଲି ଆଦର୍ଶ ଗ୍ରାମର ପତ୍ରାମାଲ ପଡ଼ାକୁ ଆଜି ପର୍ଯ୍ୟନ୍ତ ପକ୍କା ରାସ୍ତାର ସୁବିଧା ମିଳିନାହିଁ। ମାତ୍ର ପ୍ରାୟ ୧୦ ମିଟରରୁ କମ୍ ରୟତି ଜମିକୁ କେନ୍ଦ୍ର କରି ରାସ୍ତା ନିର୍ମାଣ କାର୍ଯ୍ୟ ଦୀର୍ଘଦିନ ଧରି ଅଟକି ରହିଥିବାରୁ ବର୍ଷା ଦିନେ ପଡ଼ାବାସୀଙ୍କ ଦୈନନ୍ଦିନ ଜୀବନ ଅତ୍ୟନ୍ତ ଦୁର୍ବିଷହ ହୋଇପଡ଼ିଛି।

ରାସ୍ତାରେ ଆଣ୍ଠୁଏ ପାଣି ଓ କାଦୁଅ ଜମି ରହୁଥିବାରୁ ସ୍କୁଲ ଓ କଲେଜ ଯାଉଥିବା ଛାତ୍ରଛାତ୍ରୀ, ବୃଦ୍ଧ, ମହିଳା ଏବଂ ସାଧାରଣ ଲୋକ ପ୍ରତିଦିନ ବିପଦସଙ୍କୁଳ ପରିସ୍ଥିତିରେ ଯାତାୟାତ କରୁଛନ୍ତି। ବିଶେଷକରି ଜରୁରୀ ସ୍ୱାସ୍ଥ୍ୟସେବା ପାଇଁ ରୋଗୀଙ୍କୁ ଡାକ୍ତରଖାନାକୁ ନେବା ଅତ୍ୟନ୍ତ କଷ୍ଟସାଧ୍ୟ ହୋଇପଡ଼ୁଥିବାରୁ ପଡ଼ାବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି।

ସୂଚନା ଅନୁଯାୟୀ, ୧୯୫୬ ମସିହାରେ ହୀରାକୁଦ ନଦୀବନ୍ଧ ପ୍ରକଳ୍ପ ଯୋଗୁଁ ବିସ୍ଥାପିତ ହେବା ପରଠାରୁ ପତ୍ରାମାଲ ପଡ଼ାର ଲୋକମାନେ ଏଠାରେ ବସବାସ କରୁଛନ୍ତି। ବର୍ତ୍ତମାନ ପଡ଼ାରେ ପ୍ରାୟ ୬୫ଟି ପରିବାର ଓ ୩୦୦ରୁ ଅଧିକ ଭୋଟର ରହିଛନ୍ତି। ସମସ୍ତ ପରିବାର ଅନୁସୂଚିତ ଜାତି ଓ ଜନଜାତି ବର୍ଗର ହୋଇଥିବା ବେଳେ ଅଧିକାଂଶ ଲୋକ ଦିନମଜୁରି ଓ ଅନ୍ୟାନ୍ୟ ଶ୍ରମଭିତ୍ତିକ କାମ କରି ଜୀବିକା ନିର୍ବାହ କରୁଛନ୍ତି।

ପଡ଼ାବାସୀଙ୍କ କହିବା ଅନୁଯାୟୀ, ପ୍ରତ୍ୟେକ ସାଧାରଣ ଓ ପଞ୍ଚାୟତ ନିର୍ବାଚନ ସମୟରେ ବିଭିନ୍ନ ରାଜନୈତିକ ଦଳର ନେତାମାନେ ରାସ୍ତା ନିର୍ମାଣ ସହ ବିକାଶମୂଳକ କାର୍ଯ୍ୟର ପ୍ରତିଶ୍ରୁତି ଦେଇଥାନ୍ତି। କିନ୍ତୁ ନିର୍ବାଚନ ସରିବା ପରେ ସେହି ପ୍ରତିଶ୍ରୁତି କାର୍ଯ୍ୟକାରୀ ହେଉନଥିବାରୁ ଲୋକଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି। ରାସ୍ତାର ଦୟନୀୟ ଅବସ୍ଥା ଯୋଗୁଁ ଶିକ୍ଷା, ସ୍ୱାସ୍ଥ୍ୟ ଓ ଦୈନନ୍ଦିନ ଜୀବନ ବ୍ୟାପକ ଭାବେ ପ୍ରଭାବିତ ହେଉଥିବା ସେମାନେ କହିଛନ୍ତି।

ଏହି ସମସ୍ୟା ସମ୍ପର୍କରେ ସମ୍ପୃକ୍ତ ଜମି ମାଲିକଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଘରୋଇ ଅସୁବିଧା କାରଣରୁ ବର୍ତ୍ତମାନ ରାସ୍ତା ନିର୍ମାଣ ସମ୍ଭବ ହୋଇପାରିନାହିଁ। ତେବେ ବର୍ଷା ଋତୁ ଶେଷ ହେବା ପରେ ପଡ଼ାବାସୀଙ୍କ ଯାତାୟାତ ସୁବିଧାକୁ ଦୃଷ୍ଟିରେ ରଖି ନିଜ ଉଦ୍ୟମରେ ରାସ୍ତା ନିର୍ମାଣ କରିବେ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।

ତେବେ ଦୀର୍ଘଦିନର ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରି ରାସ୍ତା ନିର୍ମାଣରେ ଥିବା ପ୍ରତିବନ୍ଧକ ଦୂର କରିବାକୁ ପଡ଼ାବାସୀ ଦାବି କରିଛନ୍ତି। ବର୍ତ୍ତମାନ ସମସ୍ତଙ୍କ ନଜର ବର୍ଷା ପରେ ରାସ୍ତା ନିର୍ମାଣ ପ୍ରତିଶ୍ରୁତି କେବେ ବାସ୍ତବ ରୂପ ନେଉଛି, ସେଥି ଉପରେ ରହିଛି।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande