

ମାଲକାନଗିରି , ୫ ଅଗଷ୍ଟ (ହି.ସ.) - ମାଲକାନଗିରି ଆଦର୍ଶ ସ୍ନାତକ ମହାବିଦ୍ୟାଳୟ, ର ଶକ୍ତିଶ୍ରୀ ସେଲ୍ର ଆନୁକୂଲ୍ୟରେ ନାରୀ ସଶକ୍ତିକରଣ ଓ ନାରୀ ଜାଗରଣ ଶୀର୍ଷକ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ମହାବିଦ୍ୟାଳୟ ପରିସରରେ ଆଜି ଅନୁଷ୍ଠିତ ହୋଇଯାଇଛି। ସମାଜରେ ନାରୀଙ୍କ ମର୍ଯ୍ୟାଦା, ସମାନ ଅଧିକାର, ସୁରକ୍ଷା, ଆତ୍ମନିର୍ଭରଶୀଳତା ଓ ସାମଗ୍ରିକ ବିକାଶ ସମ୍ପର୍କରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ଥିଲା।
କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ଆଲୋକ କୁମାର ପାତ୍ର ସଭାପତିତ୍ୱ କରି ନିଜ ବକ୍ତବ୍ୟରେ କହିଥିଲେ ଯେ, ନାରୀ ସଶକ୍ତିକରଣ କେବଳ ସରକାରୀ ଯୋଜନା କିମ୍ବା ସ୍ଲୋଗାନରେ ସୀମିତ ନ ରହି ସମାଜର ପ୍ରତ୍ୟେକ ସ୍ତରରେ ବାସ୍ତବ ରୂପ ନେବା ଆବଶ୍ୟକ। ନାରୀମାନେ ଶିକ୍ଷା, ସ୍ୱାସ୍ଥ୍ୟ, ଅର୍ଥନୀତି, ବିଜ୍ଞାନ, ପ୍ରଶାସନ ଓ ସାମାଜିକ କ୍ଷେତ୍ରରେ ସମାନ ସୁଯୋଗ ପାଇଲେ ଦେଶର ସର୍ବାଙ୍ଗୀନ ବିକାଶ ସମ୍ଭବ ବୋଲି ସେ ମତ ପ୍ରକାଶ କରିଥିଲେ। ସେ ଛାତ୍ରଛାତ୍ରୀଙ୍କୁ ନାରୀଙ୍କ ପ୍ରତି ସମ୍ମାନ, ସହଯୋଗ ଓ ସମାନତାର ମନୋଭାବ ଗଢ଼ି ତୋଳିବାକୁ ଆହ୍ୱାନ ଦେଇଥିଲେ।ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିବା ଲୋକ ସୂଚନା ଓ ସମ୍ପର୍କ ଅଧିକାରୀ ସୁଶ୍ରୀ ପ୍ରମିଳା କୁମାରୀ ମାଝୀ ନାରୀଙ୍କ ସାମ୍ବିଧାନିକ ଅଧିକାର, ବିଭିନ୍ନ କଲ୍ୟାଣକାରୀ ଯୋଜନା, ମହିଳା ସୁରକ୍ଷା ଆଇନ, ସାଇବର ସୁରକ୍ଷା, ଲିଙ୍ଗଗତ ସମାନତା ଓ ସାମାଜିକ ସଚେତନତାର ଆବଶ୍ୟକତା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ସେ କହିଥିଲେ ଯେ, ନାରୀଙ୍କ ଆତ୍ମବିଶ୍ୱାସ, ଶିକ୍ଷା ଓ ଆର୍ଥିକ ସ୍ୱାବଲମ୍ବନ ହିଁ ପ୍ରକୃତ ସଶକ୍ତିକରଣର ମୂଳ ଆଧାର। ଆଜିର ଯୁବପିଢ଼ି ଏହି ବାର୍ତ୍ତାକୁ ଘରେ ଘରେ ପହଞ୍ଚାଇ ସମାଜରେ ସକାରାତ୍ମକ ପରିବର୍ତ୍ତନର ବାହକ ସାଜିବା ଆବଶ୍ୟକ ବୋଲି ସେ ମତବ୍ୟକ୍ତ କରିଥିଲେ। ଆଇକ୍ଯୁସି ସଂଯୋଜକ ଡ଼. ଦେବାଶିଷ ପାହି ଶିକ୍ଷାନୁଷ୍ଠାନଗୁଡ଼ିକରେ ନାରୀ ସଶକ୍ତିକରଣ ଭଳି ବିଷୟ ଉପରେ ନିୟମିତ ସଚେତନତା କାର୍ଯ୍ୟକ୍ରମର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ଶକ୍ତିଶ୍ରୀ ସେଲ୍ର ସଂଯୋଜକ ଡ଼. କଳ୍ପନା ବେହେରା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେବା ସହ ନାରୀଙ୍କ ଆତ୍ମସମ୍ମାନ, ନେତୃତ୍ୱ ବିକାଶ ଓ ସାମାଜିକ ଦାୟିତ୍ୱବୋଧ ବୃଦ୍ଧି ପାଇଁ ଏପରି କାର୍ଯ୍ୟକ୍ରମର ଗୁରୁତ୍ୱ ବର୍ଣ୍ଣନା କରିଥିଲେ। ସହ-ସଂଯୋଜକ ଶ୍ରୀ ପ୍ରୀତମ କୁମାର ମହଲା ନାରୀଙ୍କ ପ୍ରତି ସମ୍ମାନ, ସହଯୋଗ ଓ ସୁରକ୍ଷିତ ସାମାଜିକ ପରିବେଶ ଗଠନରେ ସମସ୍ତଙ୍କ ଭୂମିକା ରହିଥିବା ଉଲ୍ଲେଖ କରିଥିଲେ।
କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଏବଂ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଉପସ୍ଥିତ ରହି ବିଷୟବସ୍ତୁ ଉପରେ ଆଗ୍ରହର ସହ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଉପସ୍ଥିତ ଛାତ୍ରଛାତ୍ରୀମାନେ ନାରୀଙ୍କ ପ୍ରତି ସମ୍ମାନ, ସମାନ ଅଧିକାର ଏବଂ ହିଂସାମୁକ୍ତ ସମାଜ ଗଠନ ପାଇଁ ସଚେତନ ରହିବାର ସଂକଳ୍ପ ଗ୍ରହଣ କରିଥିଲେ l
---------------
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ