
ବୌଦ୍ଧ, 05 ଅଗଷ୍ଟ (ହି.ସ.) ବିଶ୍ୱ ସ୍ତନ୍ୟପାନ ସପ୍ତାହ ଅବସରରେ ଆଜି ବୌଦ୍ଧ ଜିଲ୍ଲା ମୁଖ୍ୟାଳୟସ୍ଥିତ ଟ୍ରେନିଂ ହଲ୍ଠାରେ ଜିଲ୍ଲାସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ସଫଳତାର ସହ ପାଳିତ ହୋଇଯାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାର ଏବଂ ଜିଲ୍ଲା ସ୍ୱାସ୍ଥ୍ୟ ସମିତି, ବୌଦ୍ଧଙ୍କ ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ. ମହେନ୍ଦ୍ର କୁମାର ସାହୁ ସଭାପତିତ୍ୱ କରିଥିଲେ।କାର୍ଯ୍ୟକ୍ରମରେ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ଡିପିଏଚଓ) ଡ଼ଃ. ସନ୍ତୋଷ କୁମାର ତ୍ରିପାଠୀ, ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ. ଶାନ୍ତା ନିବେଦିତା, ଜିଲ୍ଲା ପ୍ରକଳ୍ପ ପ୍ରବନ୍ଧକ (ଏନ୍ଏଚ୍ଏମ୍) ଗିରିଜା ପ୍ରସାଦ ମିଶ୍ର, ଶିଶୁରୋଗ ବିଶେଷଜ୍ଞ ଡ଼ଃ. ବିଭୂତିଭୂଷଣ ଦଳେଇ, ଡ଼ଃ. ଭଞ୍ଜକିଶୋର ଦେଓ ହେମ୍ବ୍ରମ୍, ଅଧ୍ୟକ୍ଷ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ବରିଷ୍ଠ ଚିକିତ୍ସକମାନେ ଏବଂ ଅନ୍ୟାନ୍ୟ ଡାକ୍ତରମାନେ ଉପସ୍ଥିତ ଥିଲେ। ଜିଲ୍ଲା ସମାଜ ମଙ୍ଗଳ ବିଭାଗ ପକ୍ଷରୁ ପ୍ରୋଗ୍ରାମ ଅଫିସର ରିନା ମହାନ୍ତି, ଗୀତାଞ୍ଜଳି ଦଲାଲ, ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ, ଆଶାକର୍ମୀ, ବିଭିନ୍ନ ଗଣ ମାଧ୍ୟମର ପ୍ରତିନିଧି ଓ ସ୍ଥାନୀୟ ଏ.ଏନ୍.ଏମ୍. ପ୍ରଶିକ୍ଷଣ ମହାବିଦ୍ୟାଳୟର ଛାତ୍ରୀମାନେ ବହୁ ସଂଖ୍ୟାରେ ଯୋଗଦେଇଥିଲେ। ପ୍ରାରମ୍ଭରେ ଡ଼ଃ. ସାହୁ ସମସ୍ତଙ୍କୁ ସ୍ୱାଗତ ଜଣାଇ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳନର ଉଦ୍ଦେଶ୍ୟ ଓ ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ ନବଜାତ ଶିଶୁର ସୁସ୍ଥ ବିକାଶ ପାଇଁ ଜନ୍ମର ପ୍ରଥମ ଘଣ୍ଟା ମଧ୍ୟରେ ସ୍ତନ୍ୟପାନ ଆରମ୍ଭ କରିବା ଏବଂ ପ୍ରଥମ ଛଅ ମାସ କେବଳ ମା'ର କ୍ଷୀର ଦେବା ଅତ୍ୟନ୍ତ ଜରୁରୀ l ଶିଶୁରୋଗ ବିଶେଷଜ୍ଞ ଡ଼ଃ. ବିଭୂତିଭୂଷଣ ଦଳେଇ ମା' ଓ ଶିଶୁର ସ୍ୱାସ୍ଥ୍ୟ ସୁରକ୍ଷା, ମା'ର କ୍ଷୀରର ପୋଷକଗୁଣ, ରୋଗ ପ୍ରତିରୋଧ କ୍ଷମତା ବୃଦ୍ଧିରେ ଏହାର ଭୂମିକା ଏବଂ ଜନ୍ମରୁ ପ୍ରଥମ ଛଅ ମାସ ପର୍ଯ୍ୟନ୍ତ କେବଳ ମା'ର କ୍ଷୀର ଦେବାର ଉପକାରିତା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ସେ ଉପସ୍ଥିତ ପ୍ରସୂତି ମା'ମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ମଧ୍ୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବହୁ ପ୍ରସୂତି ମହିଳା ନିଜ ନବଜାତ ଶିଶୁଙ୍କ ସହ ଯୋଗଦେଇ ସ୍ତନ୍ୟପାନ, ଶିଶୁ ଯତ୍ନ ଓ ପୋଷଣ ସମ୍ପର୍କିତ ସଚେତନତା ହାସଲ କରିଥିଲେ।ଏହି ଅବସରରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା କହିଲେ ଯେ, “ମା'ର କ୍ଷୀର କେବଳ ଶିଶୁର ଶରୀରକୁ ପୋଷଣ ଦିଏ ନୁହେଁ, ଏହା ସଂସ୍କାର, ସ୍ନେହ, ନିରାପତ୍ତା ଓ ଜୀବନର ପ୍ରଥମ ବିଶ୍ୱାସର ଭିତ୍ତି ମଧ୍ୟ ଗଢ଼ି ତୋଳେ। ମା'ର ହୃଦୟର ମମତା, ମା'ର କ୍ଷୀରର ଅମୃତ ଏବଂ ମା'ର ଆଶୀର୍ବାଦରେ ଶିଶୁର ସୁନ୍ଦର ଭବିଷ୍ୟତ ନିହିତ ରହିଛି।”ଶେଷରେ ଉପସ୍ଥିତ ସମସ୍ତଙ୍କୁ ମା'ର କ୍ଷୀରର ମହତ୍ତ୍ୱ ସମ୍ପର୍କରେ ସଚେତନ ହୋଇ ଏହି ବାର୍ତ୍ତାକୁ ସମାଜର ପ୍ରତ୍ୟେକ ସ୍ତରରେ ପହଞ୍ଚାଇବା ପାଇଁ ଆହ୍ୱାନ କରାଯାଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ସମ୍ପତ