ଅଗଷ୍ଟ ୧୦ରେ ଜାତୀୟ କୃମିନାଶକ ଦିବସ, ୧୭ରେ ମପ୍-ଅପ୍ ରାଉଣ୍ଡ : କେନ୍ଦ୍ରାପଡ଼ା ଜିଲ୍ଲାରେ ୩.୫୫ ଲକ୍ଷରୁ ଅଧିକ ଶିଶୁ ଓ କିଶୋରଙ୍କୁ କୃମିନାଶକ ଔଷଧ ପ୍ରଦାନ ଲକ୍ଷ୍ୟ
କେନ୍ଦ୍ରାପଡ଼ା, ୬ ଅଗଷ୍ଟ (ହି.ସ.)- ଜିଲ୍ଲା ସ୍ୱାସ୍ଥ୍ୟ ସମିତି, କେନ୍ଦ୍ରାପଡ଼ା ପକ୍ଷରୁ ଶିକ୍ଷା ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ଜିଲ୍ଲା କଲ୍ୟାଣ ବିଭାଗର ସହଯୋଗରେ ଚଳିତ ଅଗଷ୍ଟ ୧୦ ତାରିଖରେ ସମଗ୍ର ଜିଲ୍ଲାରେ ଜାତୀୟ କୃମିନାଶକ ଦିବସ ପାଳନ କରାଯିବ। ଏହାର ମପ୍-ଅପ୍ ରାଉଣ୍ଡ ଅଗଷ୍ଟ ୧୭ ତାର
ଅଗଷ୍ଟ ୧୦ରେ ଜାତୀୟ କୃମିନାଶକ ଦିବସ, ୧୭ରେ ମପ୍-ଅପ୍ ରାଉଣ୍ଡ..


କେନ୍ଦ୍ରାପଡ଼ା, ୬ ଅଗଷ୍ଟ (ହି.ସ.)- ଜିଲ୍ଲା ସ୍ୱାସ୍ଥ୍ୟ ସମିତି, କେନ୍ଦ୍ରାପଡ଼ା ପକ୍ଷରୁ ଶିକ୍ଷା ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ଜିଲ୍ଲା କଲ୍ୟାଣ ବିଭାଗର ସହଯୋଗରେ ଚଳିତ ଅଗଷ୍ଟ ୧୦ ତାରିଖରେ ସମଗ୍ର ଜିଲ୍ଲାରେ ଜାତୀୟ କୃମିନାଶକ ଦିବସ ପାଳନ କରାଯିବ। ଏହାର ମପ୍-ଅପ୍ ରାଉଣ୍ଡ ଅଗଷ୍ଟ ୧୭ ତାରିଖରେ ଅନୁଷ୍ଠିତ ହେବ। ଏହି ଅଭିଯାନରେ ୧ରୁ ୧୯ ବର୍ଷ ବୟସର ଶିଶୁ ଓ କିଶୋର-କିଶୋରୀ ଏବଂ ୨୦ରୁ ୨୪ ବର୍ଷ ବୟସର ଯୁବତୀମାନଙ୍କୁ କୃମିନାଶକ ଔଷଧ ପ୍ରଦାନ କରାଯିବ। ଅଙ୍ଗନୱାଡ଼ି କେନ୍ଦ୍ରରେ ୧ରୁ ୨ ବର୍ଷ ବୟସର ଶିଶୁଙ୍କୁ ୫ ମି.ଲି. ଏବଂ ୨ରୁ ୫ ବର୍ଷ ବୟସର ଶିଶୁଙ୍କୁ ୧୦ ମି.ଲି. କୃମିନାଶକ ସିରପ୍ ପ୍ରଦାନ କରାଯିବ। ୬ରୁ ୧୯ ବର୍ଷ ବୟସର ଶିଶୁ ଓ କିଶୋର-କିଶୋରୀ ଏବଂ ୨୦ରୁ ୨୪ ବର୍ଷ ବୟସର ଯୁବତୀମାନେ ଗୋଟିଏ ଲେଖାଏଁ କୃମିନାଶକ ବଟିକା ସେବନ କରିବେ। ପ୍ରତିବର୍ଷ ଫେବୃଆରୀ ଓ ଅଗଷ୍ଟ ମାସରେ ଏହି ଜାତୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ। କୃମିନାଶକ ସିରପ୍ ଓ ବଟିକା ସେବନ ଦ୍ୱାରା ଶିଶୁ ଓ କିଶୋର-କିଶୋରୀମାନଙ୍କୁ କୃମି ସଂକ୍ରମଣରୁ ସୁରକ୍ଷା ଦେବା ସହିତ ସେମାନଙ୍କ ସୁସ୍ଥ ବିକାଶ ଓ ଉତ୍ତମ ସ୍ୱାସ୍ଥ୍ୟ ନିଶ୍ଚିତ କରିବା ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ। ଚଳିତ ରାଉଣ୍ଡରେ କେନ୍ଦ୍ରାପଡ଼ା ଜିଲ୍ଲାର ୧୭୫୪ଟି ସରକାରୀ ବିଦ୍ୟାଳୟ, ୨୩୩ଟି ବେସରକାରୀ ବିଦ୍ୟାଳୟ ଏବଂ ୨୧୨୬ଟି ଅଙ୍ଗନୱାଡ଼ି କେନ୍ଦ୍ର ମାଧ୍ୟମରେ ମୋଟ ୩ ଲକ୍ଷ ୫୫ ହଜାର ୯୧୦ ଜଣ ଶିଶୁ ଓ କିଶୋର-କିଶୋରୀଙ୍କୁ କୃମିନାଶକ ଔଷଧ ପ୍ରଦାନ କରାଯିବାର ଲକ୍ଷ୍ୟ ରହିଛି। ଗତ ଫେବୃଆରୀ ୨୦୨୬ ରାଉଣ୍ଡରେ କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରାୟ ୯୯ ପ୍ରତିଶତ ଲକ୍ଷ୍ୟ ହାସଲ କରାଯାଇଥିବା ସୂଚନା ଦିଆଯାଇଛି। ଚଳିତ ରାଉଣ୍ଡରେ ମଧ୍ୟ ଶତପ୍ରତିଶତ ସଫଳତା ହାସଲ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଓ ସମନ୍ୱୟ ଉପରେ ଗୁରୁତ୍ୱ ଦିଆଯାଇଛି। ଜିଲ୍ଲାପାଳ ଶ୍ରୀ ରଘୁରାମ ଆୟର, ଏହି ଜାତୀୟ କାର୍ୟ୍ୟକ୍ରମକୁ ଶତପ୍ରତିଶତ ସଫଳ କରିବା ପାଇଁ ଶିକ୍ଷା, ମହିଳା ଓ ଶିଶୁ ବିକାଶ ଏବଂ ସ୍ୱାସ୍ଥ୍ୟ ବିଭାଗ ସମେତ ସମ୍ପୃକ୍ତ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଦାୟିତ୍ୱର ସହ କାର୍ୟ୍ୟ କରିବାକୁ ଅନୁରୋଧ କରିଛନ୍ତି। ଏହି କାର୍ୟ୍ୟକ୍ରମରେ ଅଭିଭାବକ, ଶିକ୍ଷକ-ଶିକ୍ଷୟିତ୍ରୀ, ସ୍ୱାସ୍ଥ୍ୟକର୍ମୀ, ଆଶାକର୍ମୀ, ଅଙ୍ଗନୱାଡ଼ି କର୍ମୀ, ବ୍ଲକ ଓ ଜିଲ୍ଲାସ୍ତରୀୟ ସ୍ୱାସ୍ଥ୍ୟ ଅଧିକାରୀ ଏବଂ ଜାତୀୟ ସ୍ୱାସ୍ଥ୍ୟ ମିଶନର କର୍ମଚାରୀମାନେ ସକ୍ରିୟ ଭାବେ ସାମିଲ ହେବେ। ଜିଲ୍ଲାସ୍ତରରେ ଜାତୀୟ କୃମିନାଶକ ଦିବସର ଶୁଭାରମ୍ଭ ଜିଲ୍ଲାପାଳଙ୍କ ଦ୍ୱାରା କରାଯିବ। ସେହିପରି ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମଧ୍ୟ ଏହି ଅଭିଯାନର ଶୁଭାରମ୍ଭ କରାଯିବ। ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ. ନମିତା ପଟ୍ଟନାୟକ ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ୟ୍ୟକ୍ରମକୁ ସଫଳତାର ସହ ଆୟୋଜନ କରିବାକୁ ଅନୁରୋଧ କରିଛନ୍ତି।

ଏନେଇ ଆୟୋଜିତ ଆଭାସୀ ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ. ନମିତା ପଟ୍ଟନାୟକ, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡ. ସଚ୍ଚିଦାନନ୍ଦ ମିଶ୍ର, ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡ. ଗୌରାଙ୍ଗ ଚରଣ ଗିରି, ଡିପିଏମ୍ ଡ. ମନୋରଞ୍ଜନ ସାହୁ, ଡେପୁଟି ମ୍ୟାନେଜର ଡ. ସୁକାନ୍ତ କୁମାର ପ୍ରଧାନ, ଡିପିଏଚସିଓ ଶୁଭ ନାରାୟଣ ନାୟକ, ଜିଲ୍ଲା ଡାଟା ମ୍ୟାନେଜର ଜ୍ୟୋତିରଞ୍ଜନ ପରିଡ଼ାଙ୍କ ସମେତ ମହିଳା ଓ ଶିଶୁ ବିକାଶ ବିଭାଗର ସମସ୍ତ ସିଡିପିଓ, ପ୍ରୋଗ୍ରାମ ଅଫିସର, ଜିଲ୍ଲା ଶିକ୍ଷା ଅଧିକାରୀ, ସମସ୍ତ ବ୍ଲକ ଶିକ୍ଷା ଅଧିକାରୀ, ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ, ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ, ବିପିଏମ୍ ଏବଂ ଜିଲ୍ଲା ଜାତୀୟ ସ୍ୱାସ୍ଥ୍ୟ ମିଶନର କନସଲଟାଣ୍ଟମାନେ ଉପସ୍ଥିତ ଥିଲେ। ଶେଷରେ ଡେପୁଟି ମ୍ୟାନେଜର, ପ୍ରଜନନ ଓ ଶିଶୁ ସ୍ୱାସ୍ଥ୍ୟ, ଡ. ସୁକାନ୍ତ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଅଭିଭାବକଙ୍କୁ ନିଜ ଶିଶୁମାନଙ୍କୁ ନିର୍ଦ୍ଧାରିତ ଦିନରେ କୃମିନାଶକ ଔଷଧ ସେବନ କରାଇବା ସହ ଏହି ସ୍ୱାସ୍ଥ୍ୟକର ଅଭିଯାନକୁ ସଫଳ କରିବାରେ ସହଯୋଗ କରିବାକୁ ଆହ୍ୱାନ କରାଯାଇଛି।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande