
କେନ୍ଦ୍ରାପଡ଼ା, ୬ ଅଗଷ୍ଟ (ହି.ସ.)- ଜନସାଧାରଣଙ୍କ ରାଜସ୍ୱ ସମ୍ପର୍କିତ ଅଭିଯୋଗର ତ୍ୱରିତ ସମାଧାନ ଓ ଲୋକଙ୍କୁ ସୁଗମ ରାଜସ୍ୱ ସେବା ପ୍ରଦାନ ଉଦ୍ଦେଶ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରତିମାସ ତହସିଲସ୍ତରରେ ବରିଷ୍ଠ ଅଧିକାରୀଙ୍କ ଦ୍ୱାରା ରାଜସ୍ୱ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଜାରି ରହିଛି।ଏହି ପରିପ୍ରେକ୍ଷୀରେ ଅଗଷ୍ଟ ମାସ ପାଇଁ ଶୁଣାଣି କାର୍ଯ୍ୟସୂଚୀ ଚୂଡ଼ାନ୍ତ କରାଯାଇଛି।
କାର୍ଯ୍ୟସୂଚୀ ଅନୁଯାୟୀ,୧୧ ଅଗଷ୍ଟରେ ପଟ୍ଟାମୁଣ୍ଡାଇ ଠାରେ ଜିଲ୍ଲାପାଳ ରଘୁରାମ ଆର୍. ଆୟର, ୧୪ ଅଗଷ୍ଟରେ ମହାକାଳପଡ଼ା ଠାରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ନବକୃଷ୍ଣ ଜେନା, ୧୮ ଅଗଷ୍ଟରେ ରାଜନଗର ଠାରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ରବୀନ୍ଦ୍ର କୁମାର ମଲ୍ଲିକ ଏବଂ ୨୦ ଅଗଷ୍ଟରେ ରାଜକନିକା ଠାରେ ଉପଜିଲ୍ଲାପାଳ ଅରୁଣ କୁମାର ନାୟକ ରାଜସ୍ୱ ଅଭିଯୋଗ ଶୁଣାଣି କରିବେ। ସମସ୍ତ ଶୁଣାଣି ପୂର୍ବାହ୍ନ ୧୦ଟା ୩୦ ମିନିଟ୍ ରେ ଅନୁଷ୍ଠିତ ହେବ। ଜନସାଧାରଣଙ୍କ ଯେକୌଣସି ରାଜସ୍ୱ ସମ୍ପର୍କିତ ଅଭିଯୋଗ କିମ୍ବା ସମସ୍ୟା ଥିଲେ, ନିର୍ଦ୍ଧାରିତ ତାରିଖରେ ସମ୍ପୃକ୍ତ ତହସିଲ କାର୍ଯ୍ୟ।ଳୟରେ ଉପସ୍ଥିତ ହୋଇ ନିଜର ଅଭିଯୋଗ ଦାଖଲ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି। ଏହି ଶୁଣାଣି ମାଧ୍ୟମରେ ଜନସାଧାରଣଙ୍କ ରାଜସ୍ୱ ସମ୍ପର୍କିତ ସମସ୍ୟାଗୁଡ଼ିକର ତ୍ୱରିତ ସମାଧାନ ସହ ତହସିଲସ୍ତରରେ ଅଭିଯୋଗ ନିରାକରଣ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରାଯାଉଛି।
ହିନ୍ଦୁସ୍ଥାନ ସମାଚାର / ରବି