ଚମ୍ପୁଆରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା : ସମୟ ଅନୁଯାୟୀ ଚାମ୍ବରରେ ବସୁନାହାନ୍ତି ଡାକ୍ତର, ରୋଗୀ ହନ୍ତସନ୍ତ
ଚମ୍ପୁଆ, ୬ ଅଗଷ୍ଟ (ହି.ସ.)- କେନ୍ଦୁଝର ଜିଲ୍ଲା ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟରେ ରୋଗୀ ସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ସରକାରୀ ନିୟମକୁ ବେଖାତିର କରି ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀମାନେ ମନମାନି ଚଳାଇଥିବା ବେଳେ ଦୂରଦୂରାନ୍ତରୁ ଆସୁଥିବା ଗରିବ ରୋଗୀମାନେ ନାହିଁ ନଥିବା ଅସୁବିଧାର ସ
ଚମ୍ପୁଆରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା : ସମୟ ଅନୁଯାୟୀ ଚାମ୍ବରରେ ବସୁନାହାନ୍ତି ଡାକ୍ତର, ରୋଗୀ ହନ୍ତସନ୍ତ


ଚମ୍ପୁଆ, ୬ ଅଗଷ୍ଟ (ହି.ସ.)- କେନ୍ଦୁଝର ଜିଲ୍ଲା ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟରେ ରୋଗୀ ସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ସରକାରୀ ନିୟମକୁ ବେଖାତିର କରି ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀମାନେ ମନମାନି ଚଳାଇଥିବା ବେଳେ ଦୂରଦୂରାନ୍ତରୁ ଆସୁଥିବା ଗରିବ ରୋଗୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଜନଅସନ୍ତୋଷ ପ୍ରକାଶ ପାଇଛି।

ଅଭିଯୋଗ ଅନୁଯାୟୀ, ଡାକ୍ତରଖାନାରେ ଡାକ୍ତରମାନେ ନିର୍ଦ୍ଧାରିତ ସମୟ ଅନୁସାରେ ନିଜ ଚାମ୍ବରରେ ବସୁନାହାନ୍ତି। ରୋଗୀମାନେ ସକାଳୁ ଲମ୍ବା ଲାଇନରେ ଠିଆହୋଇ ଟିକେଟ କାଉଣ୍ଟରରୁ ଟିକେଟ୍ ନେବା ପରେ, ଡାକ୍ତରଙ୍କୁ ଦେଖାଇବା ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରୁଛନ୍ତି। ମାତ୍ର ଚାମ୍ବରରେ ଡାକ୍ତର ରହୁ ନ ଥିବାରୁ ଅନେକ ରୋଗୀ ନିରାଶ ହୋଇ ଫେରୁଛନ୍ତି। ଏହା ସହିତ ଡାକ୍ତରଖାନାର କିଛି ଅସାଧୁ କର୍ମଚାରୀଙ୍କ ପାତରଅନ୍ତର ନୀତି ଯୋଗୁଁ ସାଧାରଣ ଲୋକେ ଅଧିକ ହଇରାଣ ହେଉଛନ୍ତି। କର୍ମଚାରୀମାନେ ସାଧାରଣ ରୋଗୀଙ୍କୁ ଅପେକ୍ଷା କରାଇ ନିଜ ପରିଚିତ ଲୋକଙ୍କୁ ଆଗ ସେବା ଯୋଗାଉଥିବା ଦେଖିବାକୁ ମିଳୁଛି।

ଉଲ୍ଲେଖଯୋଗ୍ୟ ଯେ, ଏହି ଚିକିତ୍ସାଳୟ ଉପରେ କେବଳ ଚମ୍ପୁଆ ଉପଖଣ୍ଡ ନୁହେଁ, ବରଂ ପଡ଼ୋଶୀ ମୟୁରଭଞ୍ଜ ଜିଲ୍ଲା ଏବଂ ପଡ଼ୋଶୀ ଝାଡ଼ଖଣ୍ଡ ରାଜ୍ୟର ପଶ୍ଚିମ ସିଂହଭୂମି ଜିଲ୍ଲାର ହଜାର ହଜାର ଗରିବ ଲୋକ ନିର୍ଭର କରନ୍ତି। ଏଭଳି ପରିସ୍ଥିତିରେ ଡାକ୍ତରଖାନା କର୍ମଚାରୀଙ୍କ ମନମାନି ଯୋଗୁଁ ରୋଗୀ ସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବାର ସ୍ୱଚ୍ଛତା ପାଇଁ ବିଭିନ୍ନ ଯୋଜନା କରୁଥିବା ବେଳେ ଚମ୍ପୁଆ ଡାକ୍ତରଖାନାର ଏହି ଚିତ୍ର ବାସ୍ତବତାକୁ ପଦାରେ ପକାଇଛି। ଏଣୁ କେନ୍ଦୁଝର ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ଏହା ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେଇ ତୁରନ୍ତ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ବୁଦ୍ଧିଜୀବୀ ଓ ଜନସାଧାରଣ ଦାବି କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande