
ଚମ୍ପୁଆ, ୬ ଅଗଷ୍ଟ (ହି.ସ.)- କେନ୍ଦୁଝର ଜିଲ୍ଲା ଚମ୍ପୁଆ ଶିକ୍ଷାମଣ୍ଡଳ ଅଧୀନରେ ଥିବା ସମସ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ପ୍ରଧାନ ଶିକ୍ଷୟତ୍ରୀ ମାନଙ୍କୁ ଚମ୍ପୁଆ ଶିକ୍ଷାମଣ୍ଡଳ ତରଫରୁ ଏକ କଡ଼ା ନୋଟିସ୍ ଜାରି କରାଯାଇଥିବା ଜଣାପଡିଛି । ଚମ୍ପୁଆ ଗୋଷ୍ଠି ଶିକ୍ଷା ଅଧିକାରୀ ଏ.ବି.ଇ.ଓ ନରେନ୍ଦ୍ର କୁମାର ନାଏକ ଏହି ସୂଚନା ଦେଇଛନ୍ତି।
ଶ୍ରୀ ନାଏକଙ୍କ ସୂଚନା ଅନୁଯାୟୀ, ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ନିର୍ଦ୍ଧାରିତ ସମୟ ଅର୍ଥାତ୍ ସକାଳ ୯:୩୦ ଠାରୁ ଅପରାହ୍ନ ୪:୩୦ ପର୍ଯ୍ୟନ୍ତ ବାଧ୍ୟତାମୂଳକ ଭାବେ ବିଦ୍ୟାଳୟରେ ଉପସ୍ଥିତ ରହିବେ। ଏହି ନିୟମକୁ କଡ଼ାକଡ଼ି ପାଳନ କରିବା ପାଇଁ ଶିକ୍ଷାମଣ୍ଡଳର ସମସ୍ତ ସମନ୍ୱୟ କେନ୍ଦ୍ର ସଂଯୋଜକ ମାନଙ୍କୁ ମଧ୍ୟ ନୋଟିସ୍ ଜରିଆରେ ତାଗିଦ୍ କରାଯାଇଛି। ଯଦି କୌଣସି ଶିକ୍ଷକ କିମ୍ବା ଶିକ୍ଷୟତ୍ରୀ କାର୍ଯ୍ୟରେ ଅବହେଳା କରନ୍ତି, ତେବେ ସେମାନଙ୍କ ବିରୁଦ୍ଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ପଷ୍ଟ କରାଯାଇଛି। ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଭାବେ ଚିମିଳା, ବାଙ୍କ, ସୁନାପଣି, ଜଡିପଦା, ଜଗନ୍ନାଥପୁର ଆଶ୍ରମ, ଚମ୍ପୁଆ ପିଏମ ଶ୍ରୀ ମହତାବ ଉଚ୍ଚ ବିଦ୍ୟାଳୟ, ଚମ୍ପୁଆ ବାଳିକା, ରଜିଆ, କରଞ୍ଜିଆ ବାଳିକା, ବାଲେଶ୍ଵର (ବିଜାବେଡା), ଚନ୍ଦ୍ରଶେଖରପୁର, କାଶିପାଳ, ଭଣ୍ଡା ଉଚ୍ଚ ବିଦ୍ୟାଳୟ, ଉଚ୍ଚବାଲି, ପଦ୍ମପୁର, କେମୁଣ୍ଡିଆ, ରାଉତରାପୁର, ପଡୁଆ, ନିଶାଗୋଡ଼ିଆ ଓ ମଉଦୀ ଆଦି ବିଦ୍ୟାଳୟ ଗୁଡ଼ିକର ପ୍ରଧାନଶିକ୍ଷକ ଓ ପ୍ରଧାନଶିକ୍ଷୟତ୍ରୀ ମାନେ ଏଥିପ୍ରତି ବିଶେଷ ଦୃଷ୍ଟି ଦେବାକୁ କୁହାଯାଇଛି। ଯଦି ସଠିକ୍ ଭାବେ ବିଦ୍ୟାଳୟ ପରିଚାଳନା ନ ହୁଏ, ତେବେ ବିଭାଗୀୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି। ବିଦ୍ୟାଳୟ ପରିଚାଳନା ଓ ଶୃଙ୍ଖଳାକୁ କଡ଼ାକଡ଼ି କରିବା ପାଇଁ ପ୍ରଶାସନର ଏଭଳି ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରାଯାଉଛି।
ହିନ୍ଦୁସ୍ଥାନ ସମାଚାର / Trinath Mahanta