
ଝାରସୁଗୁଡ଼ା, ୦୬, ଅଗଷ୍ଟ (ହି.ସ.) : ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସାର୍ବଜନୀନ ଚକ୍ଷୁ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ - ସୁରେନ୍ଦ୍ର ସାଏ ଦିବ୍ୟ ଦୃଷ୍ଟି ଯୋଜନା' (୨୦୨୬-୨୭) ଅଧୀନରେ ସ୍କୁଲ ଆଇ ହେଲ୍ଥ ପ୍ରୋଗ୍ରାମ' ପାଇଁ ଏକ ଜିଲ୍ଲାସ୍ତରୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ୱାଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଚକ୍ଷୁ ସ୍ୱାସ୍ଥ୍ୟ, ଦୃଷ୍ଟିଶକ୍ତି ସମସ୍ୟାର ଶୀଘ୍ର ଚିହ୍ନଟ ଏବଂ ମାଗଣା ଚଷମା ବଙ୍ଘ’ନ ସମ୍ପର୍କରେ ବ୍ୟାପକ ଆଲୋଚନା କରାଯାଇଛି। ଏହି ବୈଠକରେ ଚକ୍ଷୁ ବିଶେଷଜ୍ଞ ଡାକ୍ତର ଆଶିଷ ଭୋଇ ଏକ ପାୱାର ପଏଂଟ ପ୍ରେଜେକସନ୍ ମାଧ୍ୟମରେ କାର୍ଯ୍ୟକ୍ରମର ଲକ୍ଷ୍ୟ, ଉଦ୍ଦେଶ୍ୟ ଏବଂ କାର୍ଯ୍ୟକାରିତା ସମ୍ପର୍କରେ ଉପସ୍ଥାପନ କରିଥିଲେ। ସେ ଦର୍ଶାଇଥିଲେ ଯେ ଜିଲ୍ଲାର ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ଅଧୀନରେ ଥିବା ବିଶେଷ ବିଦ୍ୟାଳୟର ୧୦୦% ଛାତ୍ରଛାତ୍ରୀଙ୍କର ଦୃଷ୍ଟିଶକ୍ତି ପରୀକ୍ଷା କରାଯିବ। ପ୍ରାରମ୍ଭିକ ପର୍ଯ୍ୟାୟରେ ତାଲିମପ୍ରାପ୍ତ ଶିକ୍ଷକମାନଙ୍କ ଦ୍ୱାରା ସ୍କ୍ରିନିଂ କରାଯିବା ପରେ ଦୃଷ୍ଟିଶକ୍ତି ସମସ୍ୟା ଥିବା ପିଲାମାନଙ୍କୁ ଚକ୍ଷୁ ଚିକିତ୍ସା ଅଧିକାରୀଙ୍କ ଦ୍ୱାରା ପରୀକ୍ଷା କରାଯାଇ ମାଗଣାରେ ଚଷମା ଯୋଗାଇ ଦିଆଯିବ। ତଥ୍ୟ ଅନୁଯାୟୀ, ଜିଲ୍ଲାର ୫ଟି ବ୍ଲକ୍ (ଲଖନପୁର, ଝାରସୁଗୁଡ଼ା, ଲଇକେରା, କୋଲାବିରା, କିର୍ମିରା) ର ମୋଟ ୬୩୦ଟି ସ୍କୁଲର ୫୦,୨୪୮ ଜଣ ଛାତ୍ରଛାତ୍ରୀଙ୍କର ସ୍କ୍ରିନିଂ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି। ସେଥିମଧ୍ୟରୁ ଛାତ୍ରଛାତ୍ରୀଙ୍କୁ ବ୍ଲକ ସ୍ତରୀୟ ୧୬ଟି ସ୍ୱତନ୍ତ୍ର କ୍ୟାମ୍ପ ମାଧ୍ୟମରେ ଚକ୍ଷୁ ପରୀକ୍ଷା କରାଯିବ। ଏତଦ୍ୱ୍ୟତୀତ ଏସ ଏସ ଇ ପି ଡି ବିଭାଗ ଅଧୀନରେ ଥିବା ୩ଟି ବିଶେଷ ବିଦ୍ୟାଳୟର ୨୩୪ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ୪ଟି ସ୍ୱତନ୍ତ୍ର ଚକ୍ଷୁ ପରୀକ୍ଷା ଶିବିର ଆୟୋଜନ କରାଯିବ। ଏହି ସାର୍ବଜନୀନ ଯୋଜନାକୁ ସଫଳ କରିବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କୁ ବିସ୍ତୃତ ମାଇକ୍ରୋ-ପ୍ଲାନ୍ ପ୍ରସ୍ତୁତି, ବ୍ଲକ ଶିକ୍ଷା ଅଧିକାରୀ ମାନଙ୍କୁ ନିର୍ଦ୍ଦେଶନାମା, ସୁପରଭିଜନ ଏବଂ ରାଜ୍ୟରୁ ଚଷମା ଆସିବାର ଗୋଟିଏ ସପ୍ତାହ ମଧ୍ୟରେ ଛାତ୍ରଛାତ୍ରୀଙ୍କୁ ବଂଟନ କରିବାକୁ ଦାୟିତ୍ୱ ଦିଆଯାଇଛି। ଏହି ସମୀକ୍ଷା ବୈଠକରେ ସିଡିଏମଓ ଏବଂ ପିଏଚଓ ଡ. ଶକ୍ତି ପ୍ରସାଦ ପାଢ଼ୀ, ଡିପିଏଚଓ ତଥା ଡିପିଏମ ଡ. ସୁନୀଲ କୁମାର ପଣ୍ଡା, ଜିଲ୍ଲା ଶିକ୍ଷା ବିଭାଗର ଅଧିକାରୀବୃନ୍ଦ, ଭେକ୍ଟର ବୋର୍ଣ୍ଣ ଡିଜିଜ୍ ଆଣ୍ଡ ଲେପ୍ରୋସି ଅଧିକାରୀ ଡ. ରାଧାରମଣ ବିର୍ତିଆ, ବ୍ଲକ ଶିକ୍ଷା ଅଧିକାରୀ ପ୍ରକାଶ ସାହୁ ଏବଂ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ କୃଷ୍ଣାକେଶୀ ବଳିଆରସିଂହଙ୍କ ସମେତ ଅନ୍ୟାନ୍ୟ ପ୍ରଶାସନିକ, ଶିକ୍ଷା ଓ ସ୍ୱାସ୍ଥ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ