
ଜୟପୁର, ୬ ଅଗଷ୍ଟ (ହି.ସ.)- ଜୟପୁରର ଏସଡିପିଓ ସୁଶ୍ରୀ ଅର୍ଚ୍ଚିତା ମିତ୍ତଲଙ୍କ ପ୍ରେରଣାଦାୟକ ପଦକ୍ଷେପରେ ପୋଲିସ ବିଭାଗ ଏବଂ ରୋଟାରୀ କ୍ଲବ ଅଫ୍ ଜୟପୁର ପ୍ରାଇଡ଼ର ମିଳିତ ଆୟୋଜନରେ ସୃଜନଶିଳ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି l ଅଗ୍ରସେନ ଭବନଠାରେ ଜୟପୁର ସହରର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପାଇଁ ଏହି ସୃଜନଶୀଳ ପ୍ରତିଯୋଗିତା ଆୟୋଜିତ ହୋଇଥିଲା।ପ୍ରତିଯୋଗିତାର ବିଷୟବସ୍ତୁ ଥିଲା ଇଣ୍ଡିଆ @ ୨୦୪୭ : ଆଜିର ଯୁବପିଢ଼ି ଗଢ଼ୁଛନ୍ତି ଆସନ୍ତାକାଲିର ଭାରତ। ଏହି ବିଷୟକୁ ଆଧାର କରି ଛାତ୍ରଛାତ୍ରୀମାନେ ଚିତ୍ରାଙ୍କନ, ରଙ୍ଗଚିତ୍ର, ପ୍ରବନ୍ଧ ଲେଖନ, କବିତା ରଚନା ଏବଂ ସୁନ୍ଦର ହସ୍ତାକ୍ଷର ମାଧ୍ୟମରେ ନିଜର ଚିନ୍ତାଧାରା, ସ୍ୱପ୍ନ ଓ ଭବିଷ୍ୟତ ଦୃଷ୍ଟିକୋଣକୁ ପ୍ରକାଶ କରିଥିଲେ। ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୫୦୦ ଜଣଏବଂ ପ୍ଲସ ୨ ର ପ୍ରାୟ ୫୦ ଜଣ ଛାତ୍ରଛାତ୍ରୀ ବହୁତ ଉତ୍ସାହ ଓ ସୃଜନଶୀଳତା ସହ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ମୋଟ ୫୫୦ ଜଣ ଛାତ୍ରଛାତ୍ରୀ ଏଥିରେ ଭାଗ ନେଇ କାର୍ଯ୍ୟକ୍ରମକୁ ଏକ ବିରାଟ ସଫଳତାରେ ପରିଣତ କରିଥିଲେ।ଏହି କୁନି କୁନି ପ୍ରତିଭାମାନଙ୍କର ଉତ୍ସାହ, କଳ୍ପନାଶକ୍ତି ଏବଂ ଦେଶପ୍ରେମ କାର୍ଯ୍ୟକ୍ରମକୁ ଅବିସ୍ମରଣୀୟ କରିଥିଲା ଏବଂ ଉପସ୍ଥିତ ସମସ୍ତଙ୍କ ମନରେ ନୂତନ ଆଶା ଓ ପ୍ରେରଣା ସୃଷ୍ଟି କରିଥିଲା। ଏହି କାର୍ଯ୍ୟକ୍ରମ ଏସଡିପିଓ ଅର୍ଚ୍ଚିତା ମିତ୍ତଲଙ୍କ ଉପସ୍ଥିତିରେ ଏବଂ ଜୟପୁର ପୋଲିସ ଉପବିଭାଗର ପୋଲିସ କର୍ମଚାରୀମାନଙ୍କ ସହଯୋଗରେ ସଫଳତାର ସହ ଆୟୋଜିତ ହୋଇଥିଲା। ରୋଟାରୀ କ୍ଲବ ଅଫ୍ ଜୟପୁର ପ୍ରାଇଡ୍ ପକ୍ଷରୁ କ୍ଲବ ସଭାପତି ରୋଟାରିଆନ୍ କାଳୁରାମ ପଣ୍ଡା, ସମ୍ପାଦକ ରୋଟାରିଆନ୍ ନରେଶ ମହାକୁଳ, ବରିଷ୍ଠ ସଦସ୍ୟ ରୋଟାରିଆନ୍ ରାମନାଥ ସାହୁ, ରୋଟାରିଆନ୍ ରାମହରି ପଣ୍ଡା, ରୋଟାରିଆନ୍ ସୁରେଶ ପାଣିଗ୍ରାହୀ, ରୋଟାରିଆନ୍ ଜି. ଭି. ରାଓ, ରୋଟାରିଆନ୍ ମୁରଲି ସାବତ, ରୋଟାରିଆନ୍ ସଂଜୀବ ମିଶ୍ର, ରୋଟାରିଆନ୍ ସଞ୍ଜୟ ସୁଆରୋ ଏବଂ ରୋଟାରିଆନ୍ ରତ୍ନାକର ଚୌଧୁରୀ ଙ୍କ ସମେତ ଅନ୍ୟାନ୍ୟ ରୋଟାରିଆନମାନେ କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥିଲେ।ଶିକ୍ଷକ, ବିଦ୍ୟାଳୟ ପ୍ରତିନିଧି, ଗାଇଡ୍, ଅଭିଭାବକ ଓ ଅଭିଭାବିକାମାନେ ଏହି ଅଭିନବ ପ୍ରୟାସକୁ ଉଚ୍ଚ ପ୍ରଶଂସା କରିବା ସହ ଏପରି ଅର୍ଥପୂର୍ଣ୍ଣ ଓ ପ୍ରେରଣାଦାୟକ କାର୍ଯ୍ୟକ୍ରମର ଅଂଶୀଦାର ହୋଇଥିବାରେ ଆନନ୍ଦ ପ୍ରକାଶ କରିଥିଲେ। ପ୍ରତ୍ୟେକ ଶିଶୁର ଉତ୍ସାହପୂର୍ଣ୍ଣ ଅଂଶଗ୍ରହଣ ଏକ ଉଜ୍ଜ୍ୱଳ ଓ ବିକଶିତ ଭାରତର ସ୍ୱପ୍ନକୁ ପ୍ରତିଫଳିତ କରୁଥିଲା। ଆସନ୍ତା ୧୫ ଅଗଷ୍ଟ ସ୍ୱାଧୀନତା ଦିବସ ଅବସରରେ ପରେଡ୍ ପଡ଼ିଆରେ ବିଜେତାମାନଙ୍କୁ ପୁରସ୍କାର ପ୍ରଦାନ କରାଯିବ।ଶେଷରେ ଉପସ୍ଥିତ ସମସ୍ତେ ମତବ୍ୟକ୍ତ କରିଥିଲେ ଯେ, ଆସନ୍ତୁ, ଆମେ ସମସ୍ତେ ମିଶି ଆମର ଯୁବପିଢ଼ିଙ୍କୁ ପ୍ରେରଣା ଦେଇ ଚାଲିବା, କାରଣ ସେମାନେ ହିଁ ୨୦୪୭ ସୁଦ୍ଧା ଏକ ବିକଶିତ ଓ ସମୃଦ୍ଧ ଭାରତର ପ୍ରକୃତ ନିର୍ମାତା।
ହିନ୍ଦୁସ୍ଥାନ ସମାଚାର / ପିକେପି