ଜଳବାହିତ ରୋଗର ନିୟନ୍ତ୍ରଣ ପାଇଁ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ
District level task force committee for water disease
Water disease


ଝାରସୁଗୁଡ଼ା, ୬ ଅଗଷ୍ଟ (ହି.ସ.)

ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ଜଳବାହିତ ରୋଗର ନିୟନ୍ତ୍ରଣ ଓ ପ୍ରତିରୋଧ ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ମୌସୁମୀ ଋତୁରେ ଜଳବାହିତ ରୋଗର ବ୍ୟାପିବା ସମ୍ଭାବନାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟାପକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି। ଜିଲ୍ଲାର ଜଳବାହିତ ରୋଗର ସ୍ଥିତି ସମ୍ପର୍କରେ ତଥ୍ୟ ଦେଇ ସମୀକ୍ଷା କରାଯାଇଥିଲା। ୨୦୨୪-୨୫ ବର୍ଷରେ ୨୩୨୫ଟି ଏବଂ ୨୦୨୫-୨୬ରେ ୧୬୬୩ଟି ଆକ୍ୟୁଟ୍ ଡାଏରିଆ କେସ୍ ଆସିଥିବା ବେଳେ ୨୦୨୬-୨୭ ବର୍ଷରେ ଜୁଲାଇ ୩୧ ସୁଦ୍ଧା ୮୫୯ଟି କେସ୍ ରେକର୍ଡ କରାଯାଇଛି। ସେହିପରି ଟାଇଫଏଡ୍ କେସ୍ ୨୦୨୪-୨୫ରେ ୩୪୧ ଏବଂ ୨୦୨୫-୨୬ରେ ୧୨୭ ଥିବା ବେଳେ ଚଳିତ ବର୍ଷ ଜୁଲାଇ ଶେଷ ସୁଦ୍ଧା ୧୦୧ଟି ଚିହ୍ନଟ ହୋଇଛି। ଜିଲ୍ଲାରେ ହଇଜା ଏବଂ ହେପାଟାଇଟିସ୍-ଏ ଏବଂ ଇ ସଂକ୍ରମଣ ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି। ବୈଠକରେ ଜିଲ୍ଲାପାଳ ଶ୍ରୀ ଚହ୍ବାଣ ସାଧାରଣ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ପ୍ରାଥମିକତା ଦେଇ ଖାଦ୍ୟ ସୁରକ୍ଷା ଅଧିକାରୀ କୁନ୍ଦନ ଲୋହାରଙ୍କୁ ସହରର ଅସ୍ୱାସ୍ଥ୍ୟକର ପରିବେଶରେ ଚାଲୁଥିବା ଖାଦ୍ୟ ଦୋକାନ, ଗୁପ୍ଚୁପ୍ ଷ୍ଟଲ୍ ଏବଂ ଚାଇନିଜ୍ ଫାଷ୍ଟଫୁଡ୍ ଦୋକାନଗୁଡ଼ିକ ଉପରେ ନିୟମିତ ଚଢ଼ାଉ ଓ ଯାଞ୍ଚ ଅଭିଯାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଦୋକାନଗୁଡ଼ିକରେ ବ୍ୟବହୃତ ହେଉଥିବା ପାନୀୟ ଜଳ ଓ ଖାଦ୍ୟର ଗୁଣବତ୍ତା ନିମ୍ନମାନର ଥିଲେ କିମ୍ବା ଦୂଷିତ ପାଣି ବ୍ୟବହାର ହେଉଥିଲେ ସମ୍ପୃକ୍ତ ଦୋକାନୀଙ୍କ ବିରୋଧରେ ମୋଟା ଅଙ୍କର ଜରିମାନା ଆଦାୟ କରିବା ସହ ଦୋକାନ ସିଲ୍ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।ଜିଲ୍ଲାର ସମସ୍ତ ବ୍ଲକ ଓ ପୌରାଞ୍ଚଳରେ ପାନୀୟ ଜଳ ଉତ୍ସଗୁଡ଼ିକର ବିଶୋଧନ କାର୍ଯ୍ୟ ଜୋରଦାର କରାଯାଇଛି। ପାନୀୟ ଜଳ ଉତ୍ସ ଗୁଡ଼ିକୁ ବିଶୋଧନ କରାଯାଇଛି। ଜିଲ୍ଲାର ପ୍ରତ୍ୟେକ ବ୍ଲକ୍ (ଝାରସୁଗୁଡ଼ା, ବ୍ରଜରାଜନଗର, ଲଖନପୁର, କୋଲାବିରା, କିର୍ମିରା, ଲଇକେରା) ଏବଂ ୟୁ ଏଲ ବି ଗୁଡ଼ିକରେ ଔଷଧର ମହଜୁଦ୍, ରାପିଡ୍ ରେସପନ୍ସ ଟିମ୍, ଆମ୍ବୁଲାନ୍ସ, କଣ୍ଟ୍ରୋଲ ରୁମ୍ ଏବଂ ଜଳ ପରୀକ୍ଷା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରଖାଯାଇଛି।

ଏହି ସମୀକ୍ଷା ବୈଠକରେ ସିଡିଏମଓ ଏବଂ ପିଏଚଓ ଡ. ଶକ୍ତି ପ୍ରସାଦ ପାଢ଼ୀ, ଡିପିଏଚଓ ତଥା ଡିପିଏମ ଡ. ସୁନୀଲ କୁମାର ପଣ୍ଡା, ଭେକ୍ଟର ବୋର୍ଣ୍ଣ ଡିଜିଜ୍ ଆଣ୍ଡ ଲେପ୍ରୋସି ଅଧିକାରୀ ଡ. ରାଧାରମଣ ବିର୍ତିଆ, ଖାଦ୍ୟ ସୁରକ୍ଷା ଅଧିକାରୀ କୁନ୍ଦନ ଲୋହାର, ଏବଂ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ କୃଷ୍ଣାକେଶୀ ବଳିଆରସିଂହଙ୍କ ସମେତ ଅନ୍ୟାନ୍ୟ ପ୍ରଶାସନିକ ଓ ସ୍ୱାସ୍ଥ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande